ବ୍ରହ୍ମପୁର ନିକଟରେ ମାଲଗାଡ଼ି ଲାଇନଚ୍ୟୁତ, ୨ଟି ଟ୍ରେନ୍‌ ବାତିଲ,ବିଭିନ୍ନ ଷ୍ଟେସନରେ ଅଟକିଛି ଯାତ୍ରୀବାହୀ ଟ୍ରେନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସକାଳେ ଖୋର୍ଦ୍ଧା ରୋଡ୍‌ ବିଶାଖାପାଟଣା  ଯାଉଥିବାଏକ ମାଲଗାଡ଼ିର ଦୁଇଟି ବଗି ଲାଇନ୍‌ଚ୍ୟୁତ ହେବାରୁ ବ୍ରହ୍ମପୁର ବିଶାଖାପାଟଣା ଟ୍ରେନ ଚଳାଚଳ ବନ୍ଦ ହୋଇଛି । ବ୍ରହ୍ମପୁରରୁ ଗୋଲନ୍ଥରା ଷ୍ଟେସନ ମଧ୍ୟର ଏହି ଦୁଇଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରୁ ଓ୍ଵାଲଟିୟର ଅଭିମୁଖେ ଯାଉଥିବା ଏକ ମାଲଗାଡ଼ିର ଦୁଇଟି ବଗି ବ୍ରହ୍ମପୁରରୁ ଗୋଲନ୍ଥରା ଷ୍ଟେସନ ମଧ୍ୟରେ ଲାଇନଚୁତ ହୋଇଛି। ତେବେ ଏହି ବଗି ଦୁଇଟି ଖାଲି ଥିଲା। ବଗି ଲାଇନ୍‌ଚ୍ୟୁତ ଯୋଗୁଁ କୌଣସି ଧନଜୀବନର କ୍ଷତି ହୋଇ ନାହିଁ। ତେବେ ଟ୍ରାକ୍‌ କିଛିଟା କ୍ଷତି ହୋଇଥିବାରୁ ସେହି ଲାଇନ୍‌ରେ ବର୍ତ୍ତମାନ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ରେସ୍‌କ୍ୟୁ ଗାଡ଼ି ପହଞ୍ଚି ବଗି ଦୁଇଟିକୁ ଟ୍ରାକକୁ ଆଣିବା ପରେ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି। ତେବେ ଏହି ବଗି ଲାଇନଚ୍ୟୁତ ପାଇଁ ଟ୍ରାକ୍‌ ମରାମତି କାର୍ଯ୍ୟ ଚାଲିଥିବାରୁ ପୁରୀ-ପଲାସା ଓ ଭୁବନେଶ୍ୱର- ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍‌କୁ ବାତିଲ କରା ଯାଇଛି। ଅନ୍ୟ ଟ୍ରେନ୍‌ଗୁଡ଼ିକ ଡାଉନ୍‌ ଲାଇନ୍‌ରେ ଚଳାଚଳ କରିବ ବୋଲି ଜଣାପଡ଼ିଛି।ଅନ୍ୟପକ୍ଷ୍ୟରେ ବିଶାଖାପାଟଣା ରୁ ମଧ୍ୟ ବ୍ରହ୍ମପୁର ଅଭିମୁଖେ ଯାଉ ଥିବା ଟ୍ରେନ ଗୁଡିକ ବିଭିନ୍ନ ଷ୍ଟେସନରେ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି।