ବ୍ରହ୍ମପୁର(ସମୃଦ୍ଧଓଡିଶା) ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗ, ଲୋକ ପ୍ରଶାସନ ବିଭାଗ ଏବଂ ଇତିହାସ ବିଭାଗର ମିଳିତ ସହଯୋଗରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପି.ଜି.ସି କମିଟି ହଲରେ “ଆନ୍ତର୍ଜାତୀୟ ମାନବାଧିକାର ଦିବସ” ସୁଚାରୁ ରୂପେ ପାଳିତ ହୋଇଯାଇଛି । ବର୍ତ୍ତମାନ ସମୟରେ ବ୍ୟକ୍ତିର ଅଧିକାର କେତେ ଗୁରୁତ୍ଵ ବହନ କରେ ଏବଂ ଏହି ଅଧିକାର ଗୁଡ଼ିକ ଶିକ୍ଷକ-ଶିକ୍ଷୟତ୍ରୀ, ଗବେଷକ-ଗବେଷିକା ଓ ଛାତ୍ର-ଛାତ୍ରୀ ମାନଙ୍କ ପାଇଁ କେତେ ଆବଶ୍ୟକତା ରହିଛି ଉକ୍ତ ଦିବସର ମୁଖ୍ୟ ଆଲୋଚନାର ବିଷୟ ରହିଥିଲା । ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନର ପୂର୍ବତନ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତ ତଥା ଆନ୍ତର୍ଜାତୀୟ ସ୍ତରରେ ମାନବାଧିକାରର ପ୍ରାସଙ୍ଗିକତା ଉପରେ ଅଭିଭାଷଣ ରଖିଥିଲେ । ଏହା ସହ ମୌଳିକ ଅଧିକାର ଓ ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ମଧ୍ୟରେ ଏକ ତୁଳନାତ୍ମକ ବିଶ୍ଳେଷଣ କରିବା ସହ ସମଗ୍ର ଭାରତରେ କିପରି ମାନବାଧିକାରକୁ ବିସ୍ତୃତ ଭାବେ ଲାଗୁ କରାଯାଇପାରିବ ସେ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ । ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର ଅମିୟ କୁମାର ପରିଚ୍ଛା ଅନ୍ୟ ଏକ ବକ୍ତା ଭାବେ ମାନବାଧିକାରର ଐତିହାସିକ ପୃଷ୍ଠଭୂମି ଉପରେ ଅଭିଭାଷଣ ରଖିଥିଲେ ଏବଂ ଆନ୍ତର୍ଜାତୀୟ ସ୍ତରରେ ବ୍ୟକ୍ତିର ଅଧିକାରକୁ କିପରି ସୁରକ୍ଷା ପ୍ରଦାନ କରାଯାଇ ପାରିବ ସେ ବିଷୟରେ ଉପସ୍ଥିତ ଛାତ୍ର-ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ରାଜନୀତି ବିଜ୍ଞାନ ବିଭାଗର ସଂଯୋଜକ ଡ଼. ଶାରଦା ପ୍ରସନ୍ନ ରାଉତ ସ୍ୱାଗତ ଅଭିଭାଷଣ ରଖିଥିଲେ ଏବଂ ଇତିହାସ ବିଭାଗର ମୁଖ୍ୟ ଡ଼.ସଦାନନ୍ଦ ନାୟକ ଉପସ୍ଥିତ ଛାତ୍ର-ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ମାନବାଧିକାରକୁ ନେଇ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏଥିସହ ଲୋକ ପ୍ରଶାସନ ବିଭାଗର ସଂଯୋଜକ ଶ୍ରୀ ସଞ୍ଜୟ ମେହେର୍, ଡ଼. ରାଜେଶ୍ ସେଠ୍, ଡ଼. ସୌମେନ୍ଦ୍ର କୁମାର ମହାନ୍ତି, ଡ଼. ଭଗ୍ୟଶ୍ରୀ ରଥ, ଶ୍ରୀ ଯଜ୍ଞଦତ୍ତ ପଟ୍ଟନାୟକ, ଡ଼. ରମାକାନ୍ତ ଭୂୟାଁ, ଡ଼. ଲୋକେଶ୍ କୁମାର ଦୁର୍ଗା, ଡ଼. ଦିଲ୍ଲୀପ୍ କୁମାର ମାଝୀ, ଡ଼. ଏ ଶୋଭାରାଣି ଏବଂ ରାଜନୀତି ବିଜ୍ଞାନ, ଲୋକ ପ୍ରଶାସନ ଓ ଇତିହାସ ବିଭାଗର ସମସ୍ତ ଛାତ୍ର-ଛାତ୍ରୀ ମାନେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ସେମିନାର ସେକ୍ରେଟାରୀ ସାଇଶ୍ମିତା ପତ୍ରି ମାନବାଧିକାର ଦିବସ ପାଳନର ପ୍ରାସଙ୍ଗିକତା ବିଷୟରେ କହିବା ସହ ଅତିଥିମାନଙ୍କୁ ମଞ୍ଚ ଉପରକୁ ସ୍ୱାଗତ କରିଥିଲେ । ଶେଷରେ ଲୋକ ପ୍ରଶାସନ ବିଭାଗର ସେମିନାର ସେକ୍ରେଟାରୀ ଅନ୍ୱେଷା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ନିମାଇଁ ପଣ୍ଡା