


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମର ବିଜିପୁର ବୋଲବମ ସଂଘ ଗତକାଲି ଗଞ୍ଜାମ ଜିଲ୍ଲାର ବୃହତ୍ତମ ନଦୀ ଋଷିକୂଲ୍ୟା ନଦୀ ଘାଟରୁ ଆଜି ସନ୍ଧ୍ୟାରେ ବାଲୁକା ଲିଙ୍ଗ ତିଆରି କରି ଷଣ୍ଡେଶ୍ଵର ମହାଦେବ ନାମ ସ୍ମରଣ କରିବା ସହିତ ଧୁପ, ଦୀପ, ନୈବେଦ୍ୟ, ଫୁଲ, ଚନ୍ଦନ ଇତ୍ୟାଦି ଦେଇ ବାଲୁକା ଲିଙ୍ଗକୁ ପୂଜା କରିଛନ୍ତି । ଏହାପରେ ବୋଲବମ ଭକ୍ତମାନେ ଓଁ ନମଃ ଶିବାୟ, ହରହର ମହାଦେବ ଓ ବୋଲବମ ମୁଖରେ ଗାୟନ କରି ବିଭିନ୍ନ ମହାଦେବଙ୍କ ମନ୍ଦିରରେ ଜଳ ଢ଼ାଳିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ସଂଘରେ ୨୦ରୁ ଉଦ୍ଧ୍ୱ ଭକ୍ତ ଅଂଶ ଗ୍ରହଣ କରିଛନ୍ତି । ଏହି ବୋଲବମ ସଂଘ ୨୦୦୨ରୁ ଆରମ୍ଭ କରି ବର୍ତ୍ତମାନ ୨୦୧୯ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷର ଶ୍ରାବଣ ମାସରେ ବିଭିନ୍ନ ମହାଦେବ ମନ୍ଦିରକୁ ଯାତ୍ରା କରି ଆସୁଛନ୍ତି । ଏହି ସଂଘ ଶ୍ରାବଣ ମାସର ୪ଟି ସୋମବାର ସହିତ ପୂର୍ଣ୍ଣିମା ପର୍ଯ୍ୟନ୍ତ ଉକ୍ତ ଯାତ୍ରା କରିବେ । ଏହି ଶ୍ରାବଣ ମାସରେ ସଂଘର ୫ଟି ଯାତ୍ରା ରହିଛି । ସେଗୁଡିକ ହେଲା- ପ୍ରଥମପାଳି ସୋମବାର ଦିନ ଗଞ୍ଜାମ ସହରର ଋଷିକୂଲ୍ୟା ନଦୀ ଘାଟ ଠାରୁ ରାଳଜ ଷଣ୍ଡେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାତ୍ରା କରିବେ, ୨ୟା ପାଳି ସୋମବାର ଦିନ ଲାହାଗୁଡି ବ୍ରିଜ ଠାରୁ ଜୟପୁର ଗୁପ୍ତେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାତ୍ରା କରିବେ, ୩ୟ ପାଳି ସୋମବାର ଦିନ ଚନ୍ଦନପୁର (ଖୋର୍ଦ୍ଧା ଜିଲ୍ଲା)ଠାରୁ ପୁରୀ ଲୋକନାଥ ମହାଦେବଙ୍କ ମନ୍ଦିରକୁ ଯାତ୍ରା କରିବେ, ୪ର୍ଥ ପାଳି ସୋମବାର ଦିନ ପ୍ରତାପପୁର ଠାରୁ ଚିକିଟି ଘଟକେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାତ୍ରା କରିବେ, ପୂର୍ଣ୍ଣିମା ଦିନ ଲାଠି ଠାରୁ ବ୍ରହ୍ମଶ୍ୱର ଓ ଗକର୍ଣ୍ଣେଶ୍ୱର ମହାଦେବ (ବ୍ରହ୍ମପୁର)ଙ୍କ ମନ୍ଦିରକୁ ଯାତ୍ରା କରିବେ । ଏହି ସଂଘର ମୁଖ୍ୟ ପରିଚାଳକ ସନ୍ତୋଷ ମୁନି ଓ ପଣ୍ଡିତ ଲୋକନାଥ ପହରାଜ ।
ରିପୋର୍ଟ : ତ୍ରିନାଥ ବେହେରା






