

ଆସିକା (ସମୃଦ୍ଧ ଓଡିଶା) ଆସିକା ସବଡିଭିଜନ ହସ୍ପିଟାଲରେ ଡାକ୍ତର ନିଯୁକ୍ତି ଦାବୀ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଅଭିନବ ଢଙ୍ଗରେ ବ୍ରହ୍ମପୁର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୧୦୭ ତମ ଘଣ୍ଟ ଯାତ୍ରା କରାଯାଇଛି । ମଞ୍ଚ ପକ୍ଷରୁ ବସଷ୍ଟାଣ୍ଡ ଆହାର କେନ୍ଦ୍ର ଠାରୁ ବ୍ୟାନର ସହ ପ୍ଲାକାର୍ଡ଼ ଧରି ଶୋଭାଯାତ୍ରାରେ ସହର ପରିକ୍ରମା କରି ମଞ୍ଚ ସଦସ୍ୟ ଚିକିତ୍ସାଳୟ ନିକଟରେ ପହଂଚିଥିଲେ । ପରେ ଚିକିତ୍ସାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମଞ୍ଚର ସଂଯୋଜକ ଅବନୀ କୁମାର ଗୟା, ସିପିଆଇ(ଏମଲ) ରେଡଷ୍ଟାର ଜିଲ୍ଲା ଶଙ୍କର ସାହୁ, ମଞ୍ଚ ସଭ୍ୟ ମନୋଜ ତରାଇ, ମାଗୁଣି ନାହକ, କ୍ରାନ୍ତିକାରୀ କୃଷକ ସଭାର ସମ୍ପାଦକ ବୃନ୍ଦାବନ ବାରିକ, ଓଡିଶା ନିର୍ମାଣ ଶ୍ରମିକ ସଂଘ ଆସିକା ସଭାପତି ରାମଚନ୍ଦ୍ର ବାଡ଼ତ୍ୟା ସହ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା କର୍ମୀ ଯୋଗ ଦେଇଥିଲେ । ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା ଅନୁଯାୟୀ ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଭିତ୍ତିଭୂମି ତୁରନ୍ତ ଯୋଗାଇ ଦିଆଯିବା ସହ ଚିକିତ୍ସାଳୟରେ ଲାଗି ରହିଥିବା ବିଭିନ୍ନ ଅସୁବିଧା ଓ ସମସ୍ୟା ଦୂର କରିବା ପାଇଁ ଦାବି କରାଯାଇଥିଲା । ୮ ଦଫା ସମ୍ବଳିତ ଦାବିପତ୍ର ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକାରୀ ଡା. ଦୀପକ କୁମାର ସାମନ୍ତରାକୁ ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇଥିଲା । ନିକଟରେ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସରକାର ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ଦେଇଥିବା ବେଳେ ଏବେ ନାମକୁ ମାତ୍ର ଦୁଇ ଜଣ ଡାକ୍ତର ସହ ଜଣେ ଦାନ୍ତ ଚିକିତ୍ସକ ରହିଛନ୍ତି । ଏଥିଯୋଗୁଁ ରୋଗୀ ଚିକିତ୍ସା ପ୍ରଭାବିତ ହେଉଥିବା ଅଭିଯୋଗ କରାଯାଇଛି । ଦୁଇ ଦିନ ତଳେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଡାକ୍ତର ନିଯୁକ୍ତ ହୋଇନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି । ଲୋକଙ୍କ ଆକ୍ରୋଶ ଓ ରାଜନୈତିକ ବିଫଳତା ରକ୍ଷା ପାଇଁ ନାମକୁ ମାତ୍ର ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବୋର୍ଡ ହଟାଇ ଉପଖଣ୍ଡ ଚିକିତ୍ସାଳୟ ସାଇନବୋର୍ଡ଼ ଲଗାଇ ଦିଆଯାଇଥିବା ଅଭିଯୋଗ କରାଯାଇଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା
