ବ୍ରହ୍ମପୁର ସିପିଆଇ ଶାଖାର ସମ୍ମିଳନୀ ଅନୁଷ୍ଠିତ : ଆନ୍ଦୋଳନ ପାଇଁ ନିଷ୍ପତ୍ତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବ୍ରହ୍ମପୁର ସହର ଶାଖାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଆଞ୍ଚଳିକ କମିଟିର ସମ୍ପାଦକ ସୁଧାଂଶୁ ପଣ୍ଡା ପାର୍ଟିର ପତାକା ଉତ୍ତୋଳନ କରିଥିବା ବେଳେ ଶ୍ରମିକ ନେତା ମହମ୍ମଦ ଉସମ୍ମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ପାଟ୍ଟଯୋଶୀ ଉଦଘାଟନ କରିଥିଲେ । ଏହାସହ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଜନ ଆନ୍ଦୋଳନକୁ ସୃଦୁଢ଼ କରିବା ସହ ପାର୍ଟି ଓ ଗଣ ସଂଗଠକମାନଙ୍କ ଶକ୍ତି ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ । ପାର୍ଟିର ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାର କର୍ପୋରେଟ ସଂସ୍ଥାଗୁଡ଼ିକର ସ୍ୱାର୍ଥରେ ଦେଶର ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗ, ବ୍ୟାଙ୍କ ଓ ବୀମା କମ୍ପାନୀକୁ ଧ୍ୱଂସ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ଅଭିଯୋଗ କରିଥିଲେ । ରାଜ୍ୟରେ ମଧ୍ୟ ନବୀନ ସରକାର ବିକାଶ ପରିବର୍ତ୍ତେ ବିନାଶ ଦିଗକୁ ଯାଉଛନ୍ତି ବୋଲି ସେ କହିଥିଲେ । ଏଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ ପାଇଁ ପ୍ରକାଶ ପାତ୍ର ଆହ୍ୱାନ ଦେଇଥିଲେ । କାମଦେବ ନାହାକ ସମ୍ମିଳନୀରେ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ପରେ ବିଘ୍ନେଶ୍ୱର ସାହୁ, କାଳିକୀଙ୍କର ପାତ୍ର, ଆର. ବିଜୟ ଲକ୍ଷ୍ମୀ, ପ୍ରଭାତୀ ଦେବୀ, ରବୀନ୍ଦ୍ର ନାହାକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଏମସି ଅଫିସ ଆଗରେ ଆନ୍ଦୋଳନ କରିବା ପାଇଁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା । ସେହିଭଳି ଆସନ୍ତା ବର୍ଷ ପାଇଁ ମହମ୍ମଦ ଉସମାନ ସମ୍ପାଦକ, କାମଦେବ ନାହାକ ସହ-ସମ୍ପାଦକ ଓ କାର୍ଯ୍ୟକାରୀ କମିଟିକୁ ଏ. ସୁଧୀର, ବିଶ୍ୱେଶ୍ୱର ସାହୁ, ଗାଗାରିନ ନାୟକ, ଭି. ଲୋଚମାୟା ରେଡ୍ଡୀ, ମହେନ୍ଦ୍ର ପାତ୍ର, ପ୍ରଭାତୀ ଦେବୀ, ବିଷ୍ଣୁପ୍ରିୟା ନାୟକ, ରବୀନ୍ଦ୍ର ନାୟକ, କାଳିକୀଙ୍କର ପାତ୍ର, ସୁପ୍ରଭା ମିଶ୍ର, ଆର୍. ବନଜ ଲକ୍ଷ୍ମୀ ନିର୍ବାଚିତ ହୋଇଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା