

ରାୟଗଡା (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ଦ୍ୱାରା ନୂଆ ପରିବହନ ନିୟମ ଓ ନୀତି ଲାଗୁ କରାଯିବା ପରେ ସେ ନେଇ ସର୍ବତ୍ର ଏହି ବିଷୟ ବସ୍ତୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି । ସାଂପ୍ରତିକ ଗଣମାଧ୍ୟମ ଗୁଡିକରେ ଏହି ନିୟମରେ ଏହି ବିଷୟରେ ଘଣ୍ଟା ଘଣ୍ଟା ଧରି ତର୍କବିତର୍କ ମଧ୍ୟ ଚାଲୁ ରହିଛି । ତେବେ ସଡକ ସୁରକ୍ଷା ଏବଂ ପରିବହନ ନିୟମ ସର୍ବୋପରି ଏକ ସାମାଜିକ ଦାୟିତ୍ୱ ଅଟେ । ଏ ନେଇ ପ୍ରତ୍ୟେକ ନାଗରିକଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ପଟିଆ ଶାଖା ଦ୍ୱାରା ଅଳ୍ପଦିନ ବ୍ୟବଧାନରେ ଗତକାଲି ଦ୍ୱିତୀୟଥର ପାଇଁ ଏକ ସେମିନାର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମାକୁମାରୀ ଈ.ବି.ବି.ର ମୁଖ୍ୟାଳୟ ମାଉଂଟଆବୁରୁ ଅନୁସନ୍ଧାନ ନିମନ୍ତେ ଗଠନ କରାଯାଇଥିବା ଭଗ୍ନୀ ସଂସ୍ଥା “ରାଜଯୋଗ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠାନ”ର ପରିବହନ ପ୍ରଭାଗ ତରଫରୁ ମୁଖ୍ୟବକ୍ତା ଭାବରେ ଇଂ. ଇ.ଭି ଗିରିଶ ଏବଂ ବେଙ୍ଗାଲୁରରୁ ପ୍ରଭାଗର ପ୍ରୋଜେକ୍ଟ କୋର୍ଡିନେଟର ବ୍ର.କୁ କବିତା ଯୋଗଦେଇ ସେମିନାର ପରିଚାଳନା କରିଥିଲେ । ଏହାସହ ଭୁବନେଶ୍ୱର ଆଂଚଳିକ ପରିବହନ ଅଧିକାରୀ ଇଂ. ସଞ୍ଜୟ କୁମାର ବେହେରା, ଟ୍ରାଫିକ୍ (ଯାତାୟତ) ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରମୋଦ ପଟ୍ଟନାୟକ, ଶ୍ରୀ ତୃପ୍ତିରଞ୍ଜନ ଦାସ ହେଲୋ କ୍ୟାବ୍ ଏମ.ଡି, ସମାଜସେବୀ ଇଂ. ଦିଲିପ କୁମାର ସାହୁ ସମ୍ମାନନୀୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଗାଡି ମାଲିକ ଏବଂ ଅପରେଟରମାନଙ୍କୁ ଉଦବୋଧନ ଦେଇ ସରକାରଙ୍କ ନୀତିକୁ ଦଣ୍ଡ ନଭାବି ଏହା ଆମର ସାମାଜିକ ଦାୟିତ୍ୱବୋଧ ବୋଲି ଭାବି ସହଜରେ ଏହା ସ୍ୱୀକାର କରି ଉତର ପିଢ଼ିକୁ ଦିଗ୍ ଦର୍ଶନ ଦେବାକୁ ଅନୁରୋଧ କରିଥିଲେ । ଶେଷରେ ପଟିଆ ସେବାକେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ଗୋଲାପ ଭଉଣୀ ସମସ୍ତ ଉପସ୍ଥିତ ସଭାମଣ୍ଡଳୀକୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବ୍ରହ୍ମାକୁମାର ମନୋରଂଜନ ଭାଇ ଏହି କାର୍ଯ୍ୟକ୍ରମ ପରିଚଳନା କରିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ


