ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ସେକ୍ବାଲ ଗାଁରୁ ବୁଧବାର ଭୋର କଟକସ୍ଥିତ ଅବକାରୀ ଗୁଇନ୍ଦା ଓ ଜଳେଶ୍ୱର ଅବକାରୀ ଥାନାର ମିଳିତ ଚଢାଉକ୍ରମେ ଜବତ୍ ହୋଇଥିବା ୧ କି.ଗ୍ରା ବ୍ରାଉନ୍ ସୁଗର ବାଲେଶ୍ୱରରେ ପହଞ୍ଚିବା ପରେ ୩୦୫ ଗ୍ରାମ ହେବା ଘଟଣା ଜଳେଶ୍ୱର ବାସୀ ସହଜରେ ଗ୍ରହଣ କରିପାରି ନାହାନ୍ତି । ଏପରିକି ଏହି ଘଟଣା ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ବାରମ୍ବାର ପ୍ରସାରିତ ହେବା ପରେ ଏହାର ଅନୁମାନିକ ମୂଲ୍ୟ ୧କୋଟି ଟଙ୍କା ବୋଲି ଜଣାପଡିଥିଲା । ମାତ୍ର ପରବର୍ତ୍ତୀ ସମୟରେ ବାଲେଶ୍ୱର ଅବକାରୀ ଅଧିକ୍ଷକ କାର୍ଯ୍ୟାଳୟରେ ଜବତ୍ ହୋଇଥିବା ଉକ୍ତ ବ୍ରାଉନ୍ ସୁଗର ପହଞ୍ଚିବା ପରେ ତାର ପରିମାଣ ମାତ୍ର ୩୦୫ଗ୍ରାମ ବୋଲି ଜଣାପଡିଥିଲା । ଫଳରେ ଏହି ଅବକାରୀ ବିଭାଗ ଉପରେ ସାଧାରଣ ଜନସାଧାରଣଙ୍କ ଆଶା, ବିଶ୍ୱାସ ତୁଟିବାରେ ଲାଗିଛି । ଏପରିକି କେତେକ ଜନସାଧାରଣ ଏହି ବ୍ରାଉନ୍ ସୁଗର କମ୍ ହେବା ଘଟଣାରେ ବିଭାଗର କିଛି କର୍ମଚାରୀଙ୍କ ହାତ ରହିଛି ବୋଲି ଚର୍ଚ୍ଚା କରୁଛନ୍ତି । ଅଭିଯୁକ୍ତ ସପନ ପ୍ରଧାନଙ୍କ ଘରୁ ଜବତ୍ ସମୟରେ କେତେକ ଦାମୀ ମୋବାଇଲ୍, ନଗଦ ଟଙ୍କା ଉଦ୍ଧାର ହୋଇଥିବା ବେଳେ ସେ ସବୁକୁ ବିଭାଗ ପକ୍ଷରୁ ସିଜର୍ ଲିଷ୍ଟରେ ଦର୍ଶାଯାଇ ନଥିବା ବୋଲି ଆଲୋଚନା ଚାଲିଛି । ମାତ୍ର ପ୍ରକୃତ ଘଟଣା କଣ ଏ ସଂପର୍କରେ ଅବକାରୀ ଥାନା ଅଧିକାରୀ ହରପ୍ରସାଦ ରଣାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନ ଥିଲା । ତେଣୁ ବିଭାଗ ପକ୍ଷରୁ ଏ ଘଟଣାର ଏକ ଉଚ୍ଚସ୍ତାରୟ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା