ବ୍ଲଡପ୍ରସର, ଡାଇବେଟିସ ବାହାନାରେ ନିର୍ବାଚନ କାର୍ଯ୍ୟରୁ ଦୁରେଇ ରହିବା ଆବେଦନକୁ ଖାରଜ କରିଛନ୍ତି ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) କେତେକ ସରକାରୀ କର୍ମଚାରୀ ବ୍ଲଡପ୍ରେସର, ଡାଇବେଟିସ୍ ବାହାନାରେ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ଜିଲ୍ଲା ଅଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି । ବ୍ଲଡପ୍ରେସର, ଡାଇବେଟିସରେ ପ୍ରାୟ ଅଧିକାଂଶ ପୀଡିତଥିବାରୁ ସେମାନଙ୍କୁ ବାଦ୍ ଦେଇ ଗଞ୍ଜାମ ଜିଲ୍ଲାରେ ନିର୍ବାଚନ କରିବା ସମ୍ଭବ ନୁହେଁ । ଏହି ବାହାନାରେ କୈାଣସି କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରୁ ବାଦ୍ ଦିଆଯିବ ନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରୋକଠୋକ୍ ପ୍ରକାଶ କରିଛନ୍ତି । ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଭୋଟର ତାଲିକାରୁ ନାମ ବାଦ ଦେବା ସମୟରେ ଅତ୍ୟଧିକ ଯତ୍ନଶୀଳ ହେବାକୁ କହିଛନ୍ତି । ମୃତ ଭୋଟରଙ୍କ ସଠିକ୍ ତଥ୍ୟ ସଂଗ୍ରହ କରିସେମାନଙ୍କୁ ବାଦ ଦିଆଯିବ । ଉକ୍ତ ଫର୍ମରେ ତାଙ୍କ ପରିବାର ସଦସ୍ୟଙ୍କ ଦସ୍ତଖତ ମଧ୍ୟ ରଖାଯିବ । ଭୋଟର ତାଲିକାରେ ଭୋଟରଙ୍କ ଫଟୋ ଅନିଦାର୍ଯ୍ୟ । ଯେଉଁ ଠାରେ ଅଭିଯୋଗ ଅଛି ତାକୁ ବିଡିଓ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବେ । ଭୋଟର ତାଲିକାରେ ଥିବା ଦିବ୍ୟାଙ୍ଗ ଭୋଟରମାନଙ୍କ ନାମ କୈାଣସି ସରକାରୀ ସହାୟତା ପାଇଁ ବ୍ୟବହାର କରାଯାଇପାରିବ ନାହିଁ । ନିର୍ବାଚନ କାର୍ଯ୍ୟରେ ସମ୍ପୂର୍ଣ୍ଣ ନିର୍ଭୁଲତା ରଖିବାପାଇଁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ବିଡିଓ ଏବଂ ତହସିଲଦାର ସଂପୃକ୍ତ ବୁଥ୍ ଗୁଡିକର ସୁବିଧା ଅସୁବିଧା ବ୍ୟକ୍ତିଗତ ଭାବରେ ଅନୁଧ୍ୟାନ କରି ଫେବୃୟାରୀ ୧୫ତାରିଖ ସୁଦ୍ଧା ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବେ । ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ନାମ ଭୋଟର ତାଲିକା ଅଛି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରିବେ । ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୫ରୁ ୨୦ଟି ବୁଥ୍ ମଡେଲ ବୁଥ୍ କରାଯିବ । ତାସହିତ ପ୍ରତ୍ୟେକ ବୁଥ୍ ରେ ବିଦ୍ୟୁତ୍ ସଂଯୋଗ ନିଶ୍ଚିତ ରୂପେ ରହିବ । ନିର୍ବାଚନ ସରଞ୍ଜାମ ଆବଣ୍ଟନ ଏବଂ ପୋଲିଂ ପାର୍ଟିଙ୍କ ପ୍ରସ୍ଥାନ ସ୍ଥଳ ଏବେଠାରୁ ଚିହ୍ନଟ କରାଯାଇ ସେଠାରେ ପାଣି, ଶୈାଚାଳୟ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଏବେ ଠାରୁ ସୁନିଶ୍ଚିତ କରାଯିବ । ଅବାକରୀ ଚଢାଉକୁ ଯୋରଦାର କରାଯିବା ସହିତ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗୁଡିକର କ୍ରୟ ପରିମାଣ ଉପରେ ନଜର ରଖାଯିବ । ଜିଲ୍ଲାର ପ୍ରତ୍ୟେକ କଲେଜମାନଙ୍କରେ ନିର୍ବାଚନ ପାଠଶାଳା ଆୟୋଜନ ହେବ । ଫେବୃୟାରୀ ୧୪ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ପୋଲିଂ ଅଫିସରମାନଙ୍କର ତାଲିମ ଅନୁଷ୍ଠିତ ହେବ । ଜିଲ୍ଲାର ସମସ୍ତ କର୍ମଚାରୀ ସମଷ୍ଟିଗତ ଭାବରେ ନିର୍ବାଚନକୁ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ , ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରିୟ ରଂଜନ ପୃଷ୍ଟି, ଡେପୁଟିକଲେକ୍ଟର (ନିର୍ବାଚନ) ଡ. ବିଜୟାନନ୍ଦ ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ୱାଳ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା