ନାରାୟଣ ବାବୁ, ପତ୍ନୀ କନକଲତା, ପୁଅ ଶରତ ଓ ନାତି ନାତୁଣୀଙ୍କୁ ନେଇ ଅଭାବୀ ସଂସାର । ଅଭାବ ସିନା ଥାଏ । ଭାବରେ ଊଣା ନଥାଏ । ସମସ୍ତେ ସମସ୍ତଙ୍କ ଅନ୍ତର ବୁଝନ୍ତି । ଏ ପରିବାରରେ ସୁଖ ଓ ଆରାମ କମ୍ ଥାଏ କିନ୍ତୁ —-ଖୁସି, ଆନନ୍ଦ ଓ ଶାନ୍ତି ଭରପୁର ଥାଏ । କେହି କାହା ମନରେ ଦୁଃଖ ଦିଅନ୍ତି ନାହିଁ।ହଁ, ନାରାୟଣ ବାବୁଙ୍କର ଚାରିଟି ଝିଅ ମଧ୍ୟ ଅଛନ୍ତି । କିନ୍ତୁ ବିବାହ ପରେ ସେମାନେ ପରଘରୀ।ପରଘରୀ ମାନେ ପର।ବାପା ବୋଉଙ୍କ ଦୁଃଖ ସୁଖରେ ଭାଗୀଦାର ହୋଇ ପାରନ୍ତି ନାହିଁ । ଏ ସମାଜର ଚଳଣିରୁ ବାଦ୍ ପଡି ବ୍ୟତିକ୍ରମ ସୃଷ୍ଟି କରନ୍ତି ନାହିଁ । ଯାହାହେଉ ସ୍ବଳ୍ପ ରୋଜଗାରରେ ଶରତ ତା ଛଜଣିଆ ପରିବାରର ଡଙ୍ଗାଟିକୁ ସୁଦକ୍ଷ ଭାବରେ ଚଳାଉଥାଏ । ହେଲେ ଜନ୍ମରୁ ସୁଖ ଓ ଅୟସରେ ବଢିଥିବା, ଏକଦା ଜଣାଶୁଣା ଧନୀ, ନାରାୟଣଙ୍କର ପତ୍ନୀ କନକଲତାଙ୍କ ମନରେ ବେଳେ ବେଳେ ଝଡ ଉଠେ। ସେ ଝଡକୁ ନାରାୟଣ ବାବୁ ସାମ୍ନା କରନ୍ତି । ଏମିତି ଦିନେ ଝଡର ଆଭାସ ଦେଇ କନକଲତା ଆରମ୍ଭ କଲେ —–“ତୁମେ ଏ ସମାଜର ଏକ ବ୍ୟତିକ୍ରମ ବ୍ୟକ୍ତି । ମୁଁ ଶୁଣିଛି ତୁମେ ଏଗାର ବର୍ଷ ବୟସରୁ ରୋଜଗାର ଆରମ୍ଭ କରିଛ । ତାହା ପୁଣି ତୁମ ଗାଁ ଠାରୁ ପାଞ୍ଚ ଶହ କିଲୋମିଟର ଦୂର ସହର ରେ।ହଁ, ତୁମେ ମାଟି ଛୁଇଁ ଦେଲେ ସୁନା ହେବା ମୁଁ ଦେଖିଛି । କିନ୍ତୁ କୋଉ କାମକୁ ? ଏ ବୁଢାବୟସରେ ତୁମ ପାଖରେ ଅଛି କ’ଣ ?ଟଙ୍କା ? ସୁନା ? ଜମି ? ଘର ? ନା —– କିଛି ବୋଲି କିଛି ନାହିଁ । ଜୀବନ ଯାଙ୍କ ରୋଜଗାର କଲ । କିନ୍ତୁ ନିଜ ଆଦର୍ଶର ଦ୍ବାହିରେ ସବୁ ସମ୍ପତ୍ତି ସାରିଦେଲ । ବିପଦ ସମୟରେ ସମସ୍ତଙ୍କ ପାଖରେ ଠିଆ ହୋଇ ଦାତାପୁରୁଷ ବୋଲାଇଲ । କିନ୍ତୁ ଏବେ ତୁମ ପିଠିରେ କିଏ ପଡିବ ? ରୋଗ ବଇରାଗରେ ଔଷଧ ପାନେ ଖାଇବାକୁ ପଇସା ଅଛି କି ?”—“ଓହୋ ଏଇ କଥା ପାଇଁ ଏତେ ବ୍ୟସ୍ତ କାହିଁକି ? ସୁଖ ଦୁଃଖକୁ ସମାନ ଭାବରେ ଗ୍ରହଣ କର କିଛି ଅସୁବିଧା ହେବନାହିଁ । ବ୍ୟକ୍ତିତ୍ବରେ ବ୍ୟତିକ୍ରମ ଥିବା ବ୍ୟକ୍ତିମାନେ ହିଁ ଉଦାହରଣ ସୃଜନ୍ତି ।ମନ୍ଦ ବ୍ୟକ୍ତି ଖରାପ ଉଦାହରଣ ସୃଷ୍ଟି କଲା ବେଳେ ଆଦର୍ଶ ବ୍ୟକ୍ତି ସମାଜ ଉପଯୋଗୀ ଉଦାହରଣ ସୃଷ୍ଟି କରନ୍ତି । ସମାଜର ନିର୍ଦ୍ଦିଷ୍ଟ ଶଗଡ ଗୁଳାରେ ଚାଲି କେହି କେବେ ବିଶିଷ୍ଟ ହୋଇ ନାହିଁ ।”—ଭାବଗର୍ଭକ ବାଣୀ ଶୁଣାଇଲା ଭଳି ଶୁଣାଉଥିଲେ ନାରାୟଣ ବାବୁ । କିନ୍ତୁ କନକଲତାଙ୍କ ଏକାନରେ ପଶି ସେକାନରେ କଥା ଗୁଡା ବାହାରି ଯାଉଥିଲା । ଆଖିରୁ ଲୁହ ଦୁଇ ଟୋପା ଝରାଇ କହିଲେ “ସବୁ ଦୁ଼ଃଖିଙ୍କ ଦୁଃଖ ନିଜ ପିଠିରେ ବୋହି ଏବେ ନିଜେ ଅନ୍ୟମାନଙ୍କ ଉପରେ ବୋଝ ହୋଇଗଲ । ଆମ ଦୁଇଜଣଙ୍କ ବୋଝ ଏବେ କିଏ ବୋହିବ ? ଯେଉଁ ଭାଇ, ଭଉଣୀ, ସାଇ, ପଡିଶା ଓ ସମ୍ପର୍କ ନଥିବା ଅଜଣା ଦୁଃଖୀ ରଙ୍କିଙ୍କ ପାଇଁ ନିଜକୁ ସମ୍ପୂର୍ଣ୍ଣ ନିଃସ୍ବ କରିଦେଲ, ସେମାନେ ତୁମକୁ, ଅଳିଆକୁ ଡଷ୍ଟବିନ୍ ରେ ଫିଙ୍ଗିଲା ପରି ନିଜଠାରୁ ଦୂରେଇ ଫିଙ୍ଗି ହିଁ ଦେଲେ ।” “ଆରେ ଯାଃ ——ସେତିକି ବେଳୁ ବକର ବକର ହଉଛ । ମୁଁ କ’ଣ କାହାଠାରୁ କିଛି ଫେରି ପାଇବା ଆଶାରେ ସାହାଯ୍ୟ କରିଥିଲି ?–ମୋ ଦ୍ବାରା କିଛି ଦୁଃଖୀ ଲୋକ ଉପକୃତ ହୋଇଛନ୍ତି।—ବାସ୍ ଏତିକି ଆତ୍ମସନ୍ତୋଷ ମୋ ପାଇଁ ବଞ୍ଚିବାର ଖୋରାକ।ଆଉ କହୁଛ ବୋଝ । ନିଜ ପୁଅ ଝିଅଙ୍କ ଉପରେ କ’ଣ ବାପା ବୋଉ ବୋଝ ହୋଇ ଯାଆନ୍ତି ? ମୋ ପୁଅ କ’ଣ ଅଯୋଗ୍ୟ ? ଆମ ପୁଅ ବୋହୂ, ତ ଆମକୁ ବୋଝ ଭାବୁନାହାନ୍ତି । ଆଉ ତୁମେ କାହିଁକି ଗୋଟା ମିଛଟାରେ ଦିନରାତି କଟର କଟର ଲଗାଇଛ ?” “ହଁ ଠିକ୍ କହିଲ ଯେ, ହେଲେ ପୁଅର ରୋଜଗାର କେତେ ? ଏ ମହଙ୍ଗା ଯୁଗରେ ସେ ଭୁବନେଶ୍ୱରରେ ଘରଭଡା ନେଇ ଆମ ନାତି, ନାତୁଣୀ, ବୋହୂ ଓ ଆମ ଦାୟିତ୍ୱ କେତେ କଷ୍ଟରେ ସମ୍ଭାଳୁଛି ତୁମେ କ’ଣ ଲକ୍ଷ କରୁନ ? ସେଥିରେ ପୁଣି ତୁମର ଲେଖା ପଢା ନିଶା । ମାତୃଭାଷା ପ୍ରେମ।ନାତି, ନାତୁଣୀ, ବୋହୂ ଓ ପୁଅ ମୋବାଇଲରେ ଵ୍ୟସ୍ତ । କିନ୍ତୁ କେବଳ ତୁମ ପାଇଁ ପୁଅ ପାଞ୍ଚଟି ଓଡ଼ିଆ ପତ୍ରିକା ଓ ସମାଜ ସମ୍ବାଦ ପ୍ରଭୃତି ଖବର କାଗଜ କିଣୁଛି ।” “ହଉ ସେତିକି କହିଥାଅ । ବୋହୂ ଚା ଆଣିଲାଣି । ମୁଣ୍ଡ ଥଣ୍ଡା କରି ଗରମ ଚା,ର ମଜା ଉଠାଅ । ଦେଖ, ଆମ କୁନି ନାତୁଣୀ କେମିତି ତା କୁନି କୁନି ହାତରେ ଗରମ ପକୁଡି ପ୍ଲେଟ ଧରି ତା କୁନି କୁନି ପାଦରେ ଆସ୍ତେ ଆସ୍ତେ ଆସୁଛି । ମୋ ସାଙ୍ଗରେ ଝଗଡା ନକରି ତା ହାତରୁ ପକୁଡି ପ୍ଲେଟ୍ ଟି ଆଣ । ଥଣ୍ଡା ହୋଇଗଲେ ଖାଇବାର ମଜା ରହିବନି ।” କନକଲତା ନାତୁଣୀ ହାତରୁ ପକୁଡି ପ୍ଲେଟ୍ ଆଣିଲେ । ନାତି, ନାତୁଣୀ, ଜେଜେ ଓ ଜେଜେମା ସାଙ୍ଗ ହୋଇ ପକୁଡି ଖାଉଥିଲେ । ବୋହୂ ଆଉ ଦୁଇ ପ୍ଲେଟ୍ ପକୁଡି ଓ ଗରମ ବରା ଛାଣି ଟିପୟ ଉପରେ ରଖିଲା । ତଥାପି କନକଲତାଙ୍କ ମନ ଶାନ୍ତି ହୋଇନଥିଲା ।ପୁଣି ଆରମ୍ଭ କଲେ —“ଖାଲି କ’ଣ ପତ୍ରିକା ପଢି ମନ ଶାନ୍ତି ହେଉଛି ?ପୁଣି ନିଜେ ଲେଖି ବହି ଛପେଇବାକୁ ବାହାରି ପଡିଲ । ସାନଝିଅ ତୁମ ଲେଖା ପଢିବାକୁ ଭଲପାଏ । ତାଛଡା ତା ଶାଶୁ, ଶଶୁର ଓ ସ୍ବାମୀ ବହୁତ ଭଲଲୋକ।ସେଥିପାଇଁ ସେ ବହି ଛପେଇବା ପାଇଁ ଟଙ୍କା ଦେଲା । ଆଉ ପୁଅ ଭଲ ପ୍ରକାଶକଙ୍କ ପାଖରେ ଛପେଇ ଜମାଣିଆ ଉନ୍ମୋଚନ ବି କରିଦେଲା । କିନ୍ତୁ ସେ ବହି ନା ଗୋଟିଏ ବିକ୍ରି ହେବ, ନା କିଏ ପଢିବ ! ଅଯଥା ଖର୍ଚ୍ଚ ହିଁ ହେଲା ।” ଏତିକି ବେଳେ ହଠାତ୍ ପୁଅ ଶରତ କହି କହି ଆସିଲା । “କିଛି ଅଯଥା ଖର୍ଚ୍ଚ ନୁହେଁ ଲୋ ବୋଉ । ତୁ ପା କହିଛୁ –ବାପା ମାଟି ଛୁଇଁଲେ ସୁନା ।—ଅନେକ ଉପନ୍ୟାସ, ଗଳ୍ପ ଓ କବିତା ଆଦି ଲେଖାଯାଉଛି।କିନ୍ତୁ ବାପାଙ୍କ ଲେଖାରେ ସ୍ବତନ୍ତ୍ରତା, ମୌଳିକତା, କିଛି ନୂଆ ପଣିଆ, ସମାଜକୁ ନୂତନ ଦିଗ୍ ଦର୍ଶନ ଦେଲାଭଳି ବାର୍ତ୍ତା, ସର୍ବୋପରି ଓଡିଶା ମାଟିର ମହକ ଭରି ରହିଛି।ସେଇଥି ପାଇଁ ବାପାଙ୍କ ବହିଟି ଲକ୍ଷେ ଟଙ୍କାର ପୁରସ୍କାର ପାଇବାକୁ ଯୋଗ୍ୟ ମନୋନୀତ ହୋଇଛି । ମୋ ଫୋନରେ ଶୁଭେଚ୍ଛା ବାର୍ତ୍ତା ଛାଇ ହୋଇଗଲାଣି । ଆଉଗୋଟା ନିରାଟ ସତ, କ୍ଷୋଭ ଓ ପରିତାପର କଥା ହେଲା ଏ ବହିଟି ଯଦି ଇଂରାଜୀ ଭାଷାରେ ଲେଖା ହୋଇଥାଆନ୍ତା, ଏତେବେଳକୁ ଗୁଡାଏ ପୁରସ୍କାର ପାଇସାରନ୍ତାଣି । ତେବେ ବହୁତ ଶିଘ୍ର ଏ ବହିଟିକୁ ମୁଁ ଇଂରାଜୀ ଭାଷାରେ ଅନୁବାଦ କରେଇବି । ଏତେ ପୁରସ୍କାର ବର୍ଷା ହେବଯେ ତୁ ଗଣିପାରିବୁନି ।”
ପ୍ରଜ୍ଞାମୟୀ ମମତା ଶତପଥୀ
କେନ୍ଦ୍ରାପଡା