

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସ୍ ଏକ ଡ଼କାୟତ ଗ୍ୟାଙ୍ଗର ୩ କୁଖ୍ୟାତ ଡ଼କାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୯୫୦ ଗ୍ରାମ୍ ରୁପା, ୧୨୬ ଗ୍ରାମ୍ ସୁନା, ନଗଦ ୧୯ ହଜାର ଟଙ୍କା,୨ ଟି ମୋଟରସାଇକେଲ, ୬ ଟି ମୋବାଇଲ୍ ସହ ଛୁରୀ ଜବତ କରିଛି । ଗିରଫ ଡ଼କାୟତମାନେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗ୍ରାମର ଆଲୋକ ପ୍ରଧାନ ଏବଂ ଖୋଜାପଲ୍ଲୀ ଗ୍ରାମର ଜିତୁ ପାଣ୍ଡି ଓ ଅଜୟ ଗୌଡ଼ । ପୋଲିସ୍ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟଯେ, ଗତ ୧ ତାରିଖ ଦିନ ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଠାରେ ଜଣେ ବ୍ୟବସାୟୀଙ୍କ ନିକଟରୁ ମାରଣାସ୍ତ୍ର ଦେଖାଇ ୧୦ କେଜି ରୁପା, ୩୦୦ ଗ୍ରାମ୍ ସୁନା ଓ ନଗଦ ଟଙ୍କା ଲୁଟି ନେଇଥିଲେ । ଏସଂପର୍କରେ ବ୍ୟବସାୟୀ ଜଣକ ଖଲ୍ଲିକୋଟ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଘଟଣାରେ ସଂପୃକ୍ତ ଥିବା ଏହି ଗ୍ୟାଙ୍ଗ୍ ର ଅନ୍ୟ ୪ ଜଣ ଡ଼କାୟତ ଫେରାର୍ ଥିବା ଖଲ୍ଲିକୋଟ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସଡ଼ିପିଓ ରମେଶ ଚନ୍ଦ୍ର ସେଠୀ ଏବଂ ଖଲ୍ଲିକୋଟ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି । ଯେଉଁମାନେ ଫେରାର ଅଛନ୍ତି ସେମାନଙ୍କୁ ଗିରଫ କରିବା ଲାଗି ଏକ ପୋଲିସ ଟିମ ଗଠନ କରାଯାଇଥିବା ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠି ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
