ବିଶାଖାପାଟଣା (ପ୍ରତାପ କୁମାର ପାଢ଼ୀ): ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଖୁଚୁରା ବଜାରରେ ଆନ୍ତଃରାଷ୍ଟୀୟ ବ୍ୟବସାୟୀଙ୍କ ପ୍ରବେଶ ଓ ଏଫଡିଆଇକୁ କ୍ୟାବିନେଟ ମଞ୍ଜୁରୀକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି। ଓଡିଶାର ବ୍ୟବସାୟୀ ମହାସଂଘ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଏହାଫଳରେ ରାଜ୍ୟର ସମସ୍ତ ଛୋଟ ବଡ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ବିଭିନ୍ନ ଦାବି ନେଇ ବ୍ୟବସାୟୀମାନେ ଆନ୍ଦୋଳନ ଚଳାଇଛନ୍ତି। ଆଜି ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ପକ୍ଷରୁ ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି। ଏହାଫଳରେ ରାଜ୍ୟରେ ପ୍ରାୟ ୨୨ ହଜାର ଔଷଧ ଦୋକାନ ବନ୍ଦ ରହିଛି ବୋଲି ଜଣାପଡିଛି। ବନ୍ଦ ପ୍ରଭାବରେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ରାଜ୍ୟରେ ସରକାରୀ ଓ ବେସରକାରୀ ଡାକ୍ତରଖାନା ପରିସରରେ ଥିବା ଔଷଧ ଦୋକାନ ଖୋଲା ରହିଛି। ବିଶାଖାପାଟଣାରେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ତଥା ଔଷଧ ଦୋକାନ ବନ୍ଦରହିଛି। ଔଷଧ ଦୋକାନ ମାଲିକ ମାନେ ଏକତ୍ରିତ ହୋଇ ବନ୍ଦପାଳନକୁ ସଫଳ କରିବା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ, ରାସ୍ତାରୋକ ଆଦି ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଚାଲୁରଖିଛନ୍ତି । ଜନସାଧାରଣ ସହଯୋଗ କରୁଥିବାରୁ ବ୍ୟବସାୟୀ ମାନେ କୃତଜ୍ଞତା ଜଣାଇଛନ୍ତି।