ଭଙ୍ଗା ଦର୍ପଣ ରେ ଭଙ୍ଗା ଦର୍ପଣ–
ତୋର ଭଗ୍ନ ରୂପଟି ଦେଖିଲା ବେଳକୁ
ଦେହ ମୋର ଆଉ ପାରୁନି ସହି,
ତୋର ମୋର ଏଇ ପୀରତି ଡୋରକୁ
ଭାଙ୍ଗି ଦେଇ ଚାଲି ଗଲୁଟି ତୁହି,
ତୋ ଭଗ୍ନ ରୂପଟି ଦେଖିଲା ବେଳକୁ
ଦେହ ମୋର ଆଉ ପାରୁନି ସହି।୧।
ଭଙ୍ଗା ଦର୍ପଣରେ ଭଙ୍ଗା ଦର୍ପଣ–
ଯେବେ ତୋ ହୃଦୟ ଭାଙ୍ଗି ନଥିଲା,
ମୋ ଦେହର ଛବିକୁ ଆଙ୍କୁ ଥିଲୁ ସଦା ତୋ ହୃଦୟରେ
ଏବେ ଭଗ୍ନ ହୋଇ କେମିତି ରହିଛୁ
ମୁଁ ପଡୁନିକି କେବେ ଟିକେ ତୋ ମନରେ।୨।
ଭଙ୍ଗା ଦର୍ପଣରେ ଭଙ୍ଗା ଦର୍ପଣ–
ମୋ ରୂପ ଲାବଣ୍ୟକୁ ଦେଖାଇବା ପାଇଁ ତୋର
ସ୍ବଛ୍ଛ ହୃଦୟଟି ଖୋଜୁଛି ମୁହିଁ,
ହେଲେ ତୋର ଭଗ୍ନ ରୂପକୁ ଦେଖି ମୁଁ ଆଜି
ଦେହ ମୋର ଆଉ ପାରୁନି ସହି।୩।
ଭଙ୍ଗା ଦର୍ପଣରେ ଭଙ୍ଗା ଦର୍ପଣ–
ମୋ ଦୁଃଖ ଯନ୍ତ୍ରଣାର ଭାବକୁ
କମିତି ଦେଖିବୁ ତୁହି?
ତୁତ ଭଗ୍ନ ହୋଇ ପଡିଛୁ ଏଠି
ତୋ ଭଗ୍ନ ରୂପକୁ ଦେଖି,ପାରୁନି ମୁଁ ଆଉ ସହି।୪।
ଭଙ୍ଗା ଦର୍ପଣରେ ଭଙ୍ଗା ଦର୍ପଣ–
ମୋ ହସହସ ମୁହଁ ଦେଖିବୁ କେମିତି ତୁହି?
ବୋହି ଯାଉ ଥିବା ମୋ ଆଖିର ଲୁହକୁ
ଦେଖି ପାରିବୁକି ତୁହି?
ତୁତ ଭଗ୍ନ ହୋଇ ପଡିଛୁ ଏଠି
ତୋ ଭଗ୍ନ ରୂପକୁ ଦେଖି ଦେଖି
ଏ ଦେହତ ପାରୁନି ସହି।୫।
ଭଙ୍ଗା ଦର୍ପଣରେ ଭଙ୍ଗା ଦର୍ପଣ–
ମୋ କ୍ରୋଧ ଜରଜର ମୁହଁଟି
ତୋତେ ଦେଖାଇବି ଆଉ କେମିତି?
ଏବେ ଜାଣିବି କେମିତି କ୍ରୋଧରେ
ଦିଶୁଛି ମୋ ମୁହଁ ଆକୃତି?
ତୁତ ଭଗ୍ନ ହୋଇ ପଡିଛୁ ଏଠି,
ଦେଖି ତୋର ଏଇ ଭଗ୍ନ ରୂପ
ଏ ଦେହ ସହିବ କେମିତି?।୬ ।
ଭଙ୍ଗା ଦର୍ପଣରେ ଭଙ୍ଗା ଦର୍ପଣ–
ମୋ ବେଣୀବନ୍ଧା କେଶ କେମିତି
ଦେଖାଇବି ତୋତେ ମୁଁହିଁ?
ମୋ ଫୁଲ ମାଳ ଲଗା ବେଣୀ ବନ୍ଧାଟି
ଦେଖି ପାରିବୁକି ତୁହି?
ତୁତ ଭଗ୍ନ ହୋଇ ପଡିଛୁ ଏଠି
ତୋ ଭଗ୍ନ ରୂପକୁ ଦେଖି ଦେଖି
ଦେହ ମୋର ଆଉ ସହୁ ନାହିଁ।୭।
ଭଙ୍ଗା ଦର୍ପଣରେ ଭଙ୍ଗା ଦର୍ପଣ–
କୁନି ପୁଅ ମୋର ଅଳି କରୁଛି
ତୋ ମୁଁହଁ ଦେଖିବା ପାଇଁ,
ତୁତ ଭଗ୍ନ ହୋଇ ପଡିଛୁ ଏଠି
କେମିତି ତାକୁ ବୁଝାଇବି ମୁଁହି,?।୮।
ଭଙ୍ଗା ଦର୍ପଣରେ ଭଙ୍ଗା ଦର୍ପଣ–
ଘାତପ୍ରତିଘାତର ଏକ ଭଙ୍ଗା ହୃଦୟଟି
ଧରି ବସିଛୁ ତୁହି,
ତୋ ହୃଦୟରେ ତୋର ମୋର ଯେଉଁ ପୀରତି ଭାବ
ମୁଁ ଖୋଜି ଖୋଜି ଆଉ ପାଉ ନାହିଁ,
ତୁତ ଭଗ୍ନ ହୋଇ ପଡିଛୁ ଏଠି
ତୋ ଭଗ୍ନ ରୂପକୁ ଦେଖି ଦେଖି
ଏ ଦେହତ ପାରୁନି ସହି।୯।
ଭଙ୍ଗା ଦର୍ପଣରେ ଭଙ୍ଗା ଦର୍ପଣ–
ମୋ ମାନଅଭିମାନ ମୁଁହଁକୁ କେମିତି
ଦେଖାଇବି ତୋତେ ମୁଁହିଁ?
ଘୃଣା ପ୍ରତାରଣା ଆସିବ ଯେତେ ମୋ ପଥେ
କେମିତି ଜଣାଇବି ତୋତେ ମୁହିଁ
ତୁତ ଭଗ୍ନ ହୋଇ ପଡିଛୁ ଏଠି
ତୋ ଭଗ୍ନ ରୂପକୁ ଦେଖି ଦେଖି
ଏ ଦେହତ ପାରୁନି ସହି।୧୦।
ଭଙ୍ଗା ଦର୍ପଣରେ ଭଙ୍ଗା ଦର୍ପଣ–
ଚୂର୍ଣ ତୁ ହେଲୁ ଖଣ୍ଡ ଖଣ୍ଡ ହୋଇ,
ତୋ ଖଣ୍ଡ ଖଣ୍ଡ ଅଙ୍ଗ ସାଉଁଟି ଆଣି ଯେତେ
ଯୋଡିଲେ ମୁଁ,ଆଉ ଜୋଡି ମୁଁ ପାରିଲି ନାହିଁ
ଆଉ ଜୋଡି ମୁଁ ପାରିଲି ନାହି,
ଆଉ ଜୋଡି ମୁଁ ପାରିଲି ନାହି।୧୧।
କବିତା ଲେଖକ -ମାନସୀ ବେହୁରା,ମାନସୀ ମାନୀ ଜାହ୍ନବୀ ଜାନୁ