ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କୋରନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଭଞ୍ଜନଗରରେ ମଧ୍ୟ ଏହା ବ୍ୟାପକ ଭାବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ବୁଧବାର ଭଞ୍ଜନଗର ବ୍ଲକରୁ ୨ପଜିଟିଭ ଚିହ୍ନଟ ହୋଇଛି । ସେଥି ମଧ୍ୟରୁ ଜଣେ ଲାଲସିଙ୍ଗ ଗ୍ରାମ ପଞ୍ଚାୟତର ବୋଲି ଜଣାପଡିଛି । ସେ ଗତ ଚାରି ମାସ ତଳେ ସୁରତରୁ ଫେରିଥିଲେ । ସେହିପରି ଭଞ୍ଜନଗର ଏନ.ଏ.ସିର ବିଭିନ୍ନ ୱାର୍ଡରୁ ୫ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ସମସ୍ତ ୫ଜଣ ଯାକ ଦୋକାନୀ ଓ ବ୍ୟବସାୟୀ ହୋଇଥିବା ବିଡ଼ିଓ ଅନିଲ କୁମାର ସେଠୀ ସୂଚନା ଦେଇଛନ୍ତି । ଏଥି ସହିତ ଜିଲ୍ଲା ପ୍ରଶାସନକୁ ଏ ନେଇ ଅବଗତ କରାଯିବା ସହିତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ଅପିଲ କରାଯାଇଥିବା ସେ କହିଛନ୍ତି । ଫଳରେ ଏହାକୁ ନଜରରେ ରଖି ଭଞ୍ଜନଗର ଖାଲାସାହି ଛକ ଠାରୁ ଥାନା ଛକର ଉଭୟ ପାର୍ଶ୍ଵ ଦୋକାନ ବଜାର, ପୁରୁଣା ବଜାର ସାହି ଉପେନ୍ଦ୍ର ଭଞ୍ଜ ମାର୍କେଟ କମ୍ପ୍ଲେକ୍ସର ପଛପାଖ ବଜାର ଓ ଏଲ.ଅଇ.ସି ଅଫିସ ଠାରୁ ଭେଜିପୁଟ ଗୋଲା ସାହି ତଥା ଜଗନ୍ନାଥ ମନ୍ଦିରର ଉଭୟ ପାର୍ଶ୍ଵ ଆସନ୍ତା ନିଷ୍ପତ୍ତି ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଆଜି ଠାରୁ କାର୍ଯ୍ୟକାରୀ କରିବା ପାଇଁ ଏନ.ଏ.ସି ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି । ତେଣୁ ଏଭଳି ସ୍ଥିତିରେ ସମସ୍ତେ ସତର୍କ ରହି ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ସହ ସରକାରୀ ନିୟମ ପାଳନ କରିବା ଜରୁରୀ ହୋଇପଡିଛି ।
ରିପୋର୍ଟ : ନିଲୁ ବିଷୋୟୀ