ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗରର ଜଣାଶୁଣା ଡାକ୍ତର ନଳିନୀ କାନ୍ତ ତ୍ରିପାଠୀଙ୍କ ଆଜି ଦିନ ୨ଟା ସମୟରେ ହୃତଘାତରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ଘୁମୁସର ଅଂଚଳର ଜଣେ ଖ୍ୟାତନାମା ଚିକିତ୍ସକ ଭାବେ ସେ ପରିଚିତ ଥିଲେ । ତାଙ୍କ ନିକଟକୁ ସ୍ବାସ୍ଥ୍ୟ ସେବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକମାନେ ଆସୁଥିବା ବେଳେ ଭଞ୍ଜନଗର ସହରର ସର୍ବ ପ୍ରଥମ ଘରୋଇ କ୍ଲିନିକ ତାଙ୍କର ରହିଥିଲା ବୋଲି ସ୍ଥାନୀୟ ବାସୀ ପ୍ରକାଶ କରିଛନ୍ତି । ଦୀର୍ଘ ୬୦ ବର୍ଷ ଧରି ସେ ଭଞ୍ଜନଗର ଓ ଆଖପାଖ ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ । ଜଣେ ଉତ୍ତମ ଚିକିତ୍ସକ ସାଙ୍ଗକୁ ସମାଜ ସେବୀ, ସଂଘଠକ ଓ ବଳିଷ୍ଠ ବ୍ୟକ୍ତିତ୍ବ ଭାବେ ସେ ତାଙ୍କ ପରିଚୟ ସୃଷ୍ଟି କରି ପାରିଥିଲେ । ସ୍ୱାସ୍ଥ୍ୟ ସେବା ସହ ସେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡିତ ମଧ୍ୟ ରହିଥିଲେ । ପୂର୍ବରୁ ସେ ଗ୍ରାମ ଦେବତୀ ଠାକୁରାଣୀ ମନ୍ଦିରର ପରିଚାଳନା ଟ୍ରଷ୍ଟି ରହିଥିବା ବେଳେ ଦୀର୍ଘ ବର୍ଷ ହେବ ରଘୁନାଥ ମନ୍ଦିରର ପରିଚାଳନା ମୁଖ୍ୟ ଭାବେ ଦାୟିତ୍ବ ସମ୍ପାଦନା କରି ଆସୁଥିଲେ । ଏଥି ସହିତ ସେ ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରାର ସଭାପତି ଭାବେ ଦୀର୍ଘ ୯ ବର୍ଷ ଦାୟିତ୍ବରେ ରହି ୩ଟି ଠାକୁରାଣୀ ଯାତ୍ରା ତାଙ୍କ ନେତୃତ୍ୱରେ ପରିଚାଳନା ହୋଇଥିବା ଜଣାପଡ଼ିଛି । ତାଙ୍କରି ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ ପାଇଁ ଖାଲାସୀ ସାହି ସ୍ଥିତ ବାସଭବନରେ ପହଂଚିଥିଲେ । ତାଙ୍କରି ବିୟୋଗରେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଯାତ୍ରା କମିଟିର ସମସ୍ତ ସଦସ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି ।