ଭଞ୍ଜନଗର (ସମୃଦ୍ଧ ଓଡିଶା) ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଆସିକା ଲୋକସଭା କ୍ଷେତ୍ର ଅଧିନସ୍ଥ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକସଭା କ୍ଷେତ୍ର ଅଧିନସ୍ଥ ଭଞ୍ଜନଗର ବିଧାନସଭା ଆସନ ପାଇଁ ଚାଲିଥିଲା ମତଦାନ । ତେବେ ନିର୍ବାଚନର କିଛି ଘଣ୍ଟା ପୂର୍ବରୁ ବୁଧବାର ବିଳମ୍ବିତ ରାତିରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟା ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ଅଗଝୋଳ ଗ୍ରାମର ସଦାନନ୍ଦ ପ୍ରଧାନ(୨୬)ଙ୍କ ଉପରେ ବୋମାମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ ବିଳମ୍ବିତ ରାତିରେ କିଛି ସହଯୋଗୀ ଘରକୁ ଆସି ଡ଼ାକିବାରୁ ସଦାନନ୍ଦ ସେମାନଙ୍କ ସହ ଯାଇଥିବା ବେଳେ ହଠାତ୍ ଗାଁ ଦାଣ୍ଡରେ ବୋମାର ପ୍ରଚଣ୍ଡ ଶଦ୍ଦ ଶୁଣିବାକୁ ମିଳିଥିଲା । ଗାଁ ଲୋକେ ଯାଇ ଦେଖିବା ସମୟରେ ସଦାନନ୍ଦ ରକ୍ତ ଜୁଡ଼ୁବୁଡ଼ୁୂ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲା । ଏହାର କିଛି ସମୟ ମଧ୍ୟରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବାପା ସାରଜିନି ପ୍ରଧାନ ସୂଚନା ଦେଇଛନ୍ତି । ଖବର ପାଇ ଭଞ୍ଜନଗର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି । ତେବେ ଏହି ହତ୍ୟାକାଣ୍ଡ ରାଜନୈତିକ ଶତୃତାକୁ କେନ୍ଦ୍ରକରି ହୋଇଥିବା କୁହାଯାଉଥିଲେ ମଧ୍ୟ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ପରେ ହିଁ ପ୍ରକୃତ କାରଣ ଏବଂ ହତ୍ୟାକାରୀଙ୍କ ସଂପର୍କରେ ଜଣାପଡ଼ିବ ବୋଲି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧ ନିମାଇଁ ଚରଣ ପଣ୍ଡା