ଜଳେଶ୍ୱର (ସମୃଦ୍ଧ ଓଡିଶା) ୧୯୫୦ ମସିହାରେ ପ୍ରତିଷ୍ଠିତ ଉତ୍ତର ବାଲେଶ୍ୱରରେ ଅବସ୍ଥିତ ଜଳେଶ୍ୱର ନୋଡାଲ ହାଇସ୍କୁଲର ଏସ୍ଏମ୍ଡିସି କମିଟିକୁ ଦୀର୍ଘ ୯ବର୍ଷ ପରେ ଭାଂଗି ଦିଆଯାଇଛି । ବିଦ୍ୟାଳୟର ସୁପରିଚାଳନା ଲାଗି ୨୦୧୧ ମସିହାରେ ଏହି ଏସ୍ଏମ୍ଡିସି ଗଠନ କରାଯାଇଥିଲା । ମାତ୍ର ୨୦୧୭ ମସିହାରେ ସରକାରଙ୍କ ନୂତନ ଶିକ୍ଷାନିତୀ ଅନୁଯାୟୀ ଏକ ପରିସର ମଧ୍ୟରେ ଥିବା ନୂଆବଜାର ଉପ୍ରା ବିଦ୍ୟାଳୟ ଓ ଜଳେଶ୍ୱର ହାଇସ୍କୁଲକୁ ମିଶାଇ ନୋଡାଲ ସ୍କୁଲରେ ପରିଣତ ହେବା ଫଳରେ ଏହାର ପୁରୁଣା ଏସ୍ଏମ୍ଡିସି ର କୌଣସି କ୍ଷମତା ରହିଲା ନାହିଁ । ନିୟମ ଅନୁସାରେ ୧ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହୁଥିବା ଏହି ନୋଡାଲ ସ୍କୁଲର ଏସ୍ଏମ୍ସି (ବିଦ୍ୟାଳୟ ପରିଚାଳନା କମିଟି) ଗଠନ ହେବା କଥା । ସରକାରଙ୍କ ଚିଠି ଅନୁଯାୟୀ ଏହା ୨୦-୨-୨୦୧୮ ରୁ ଏହି ଏସ୍ଏମ୍ଡିସି କମିଟି ଭାଙ୍ଗିବା କଥା । ମାତ୍ର ଅଦ୍ୟାବଧି ୨ବର୍ଷ ବିତି ଯାଇଥିଲେ ମଧ୍ୟ ସେହି ପୁରୁଣା ଏସ୍ଏମ୍ଡିସି କମିଟି ବିଦ୍ୟାଳୟର ବିଭିନ୍ନ ଉନ୍ନୟମ ମୂଳକ କାର୍ଯ୍ୟରେ ସହଯୋଗ କରିଆସୁଥିଲା । ହେଲେ ଏହି ବେନିୟମ କାର୍ଯ୍ୟ ବିରୋଧରେ ନୂଆବଜାର ନିବାସୀ ଲକ୍ଷ୍ମୀନାରାୟଣ ଜେନା ଜିଲାପାଳଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ବାଲେଶ୍ୱର ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗାଙ୍କ ନିର୍ଦ୍ଦେଶରେ ଏହି ଏସ୍ଏମ୍ଡିସି କମିଟିକୁ ଜୁଲାଇ ୧ତାରିଖରୁ ଭାଂଗିଦିଆଗଲା ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦେଇଥିଲେ । ବିଦ୍ୟାଳୟ ଖୋଲିବାପରେ ନୂତନ ଏସ୍ଏମ୍ସି ଗଠନ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଫଳରେ ସ୍ଥାନୀୟ ଅଂଚଳରେ ଏହା ଆଲୋଚ୍ୟର ବିଷୟ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା