ଭାରତମାତା କୃଷକ ସଂଘ ପକ୍ଷରୁ ତିତିଲି ସମ୍ପର୍କିତ କ୍ଷତି ଭରଣ ପାଇଁ ଦାବି ପତ୍ର…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରାୟଗଡର ଭାରତମାତା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଗତ ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କ୍ଷୟକ୍ଷତିର ଭରଣ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଛି । ସେମାନେ ଜଣାଇଛନ୍ତି ଯେ, ଅଜକୁ ବାତ୍ୟା ହେବାର ୧୧ ଦିନ ପୁରଣ ହୋଇଯାଇଥିଲେ ମଧ୍ୟ ସରକାରୀ ରିଲିଫ ପହଞ୍ଚି ପାରିନାହିଁ  କିମ୍ବା ଅଦ୍ୟାବଧି କୌଣସି ସରକାରୀ କର୍ମଚାରୀଙ୍କର ଏଠାରେ ପାଦ ପଡ଼ିନାହିଁ । ରାୟଗଡ ବ୍ଲକ ଜିଲ୍ଲାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଧାନ ଫସଲ, କପା, କାନ୍ଦୁଲ, କାଜୁ, ମାଣ୍ଡିଆ, କାଙ୍ଗୁ, ବଜାରା, ଜନା, ମକ୍କା ଆଦି ଫସଲ ନଷ୍ଟ ହୋଇଥିବା ବେଳେ ବାଇଗଣ ଟମାଟ ଆଦି ପନିପରିବା ଫସଲ ସମ୍ପୂର୍ଣ ଧ୍ୱଂସ ହୋଇଯାଇଛି । ରାୟଗଡ ବ୍ଲକର ଆମ୍ବ, ନଡ଼ିଆ, ପଣସ, କଦଳୀ, ବିରି, ମୁଗ, ଶାଗୁଆନ ଗଛ ଆଦି ବାତ୍ୟାରେ ଧ୍ୱଂସ ହୋଇଯାଇଥିବା ବେଳେ ଅଧିକାଂଶ ଜନବସତି ବାସହରା ହୋଇଛନ୍ତି । ଗୃହପାଳିତ ପଶୁପକ୍ଷୀଙ୍କ କ୍ଷୟକ୍ଷତି ହିସାବ କଲେ ନାହିଁନଥିବା କ୍ଷତି ଘଟିଛି । ଏସବୁ ଦୃଷ୍ଟିରୁ ସରକାରୀ କର୍ମଚାରୀମାନେ ଏଠାରେ ଆକଳନ ପାଇଁ ଆସୁନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ରାୟଗଡ଼ ବ୍ଲକର କ୍ଷତି ଭରଣ ପାଇଁ ଉପଯୁକ୍ତ ଭାବେ ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି । ଗତକାଲି ଏହି ସଂଘ ଏକ ବିରାଟ ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ସହରରେ ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ରାଜ୍ୟପାଲଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ସେମାନେ ଏହି ସଂପର୍କରେ ଗତକାଲି ଦାବିପତ୍ର ପ୍ରଦାନ କରିଛନ୍ତି ।