ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ପ୍ରତିରକ୍ଷା, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ଘଟିବା ପରେ ଦେଶ ବ୍ୟାପି ଶୋକର ଛାୟା ଖେଳିଯାଇଛି । ଅରୁଣ ଜେଟଲୀ ସୁପ୍ରିମକୋର୍ଟର ଜଣେ ଦକ୍ଷ ଆଇନଜୀବୀ ହେବା ସାଙ୍ଗକୁ ଭାରତ ରାଜନୀତିରେ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ । ୧୯୫୨ ମସିହାରେ ଜନ୍ମ ଗ୍ରହଣ କରିଥିବା ଅରୁଣ ଜେଟଲୀଙ୍କ ୬୬ବର୍ଷ ବୟସରେ ନିଧନ ହୋଇଛି । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ରହିବା ପରେ ଏଇମସରେ ଚିକିତ୍ସାଧୀନ ରହିଥିବା ଅବସ୍ଥାରେ ଇହଲୀଳା ତ୍ୟାଗ କରିଛନ୍ତି । ଆଜି ଗାନ୍ଧିନଗର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଶୋକ ସଭାରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ତାଙ୍କ ମହାନ ଜୀବନୀର ସ୍ମୃତି ଚାରଣ କରିଥିଲେ । ସେ ଛାତ୍ର ଜୀବନରୁ ହିଁ ରାଜନୈତିକ ଜୀବନର ଆରମ୍ଭ କରିଥିଲେ । ୧୯୭୭ ମସିହାରେ ଜନ ସଂଘରେ ସାମିଲ ହେବା ସହିତ ଏବିଭିପିର ଅଧ୍ୟକ୍ଷ ଓ ୧୯୮୦ ମସିହାରେ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ହୋଇଥିଲେ । ବିଭିନ୍ନ ସମୟରେ ବିଭିନ୍ନ ଦାୟିତ୍ୱ ନେବା ସହ ବାଜପେୟୀଙ୍କ ସରକାରରେ ସୁଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୦୦ ମସିହାରେ ଆଇନ ମନ୍ତ୍ରୀ ଓ ମୋଦିଙ୍କ ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ସେ ଅର୍ଥମନ୍ତ୍ରୀ ରହିବା ସମୟରେ ଭାରତର ଅର୍ଥନୀତିକୁ ସୁଧାରିବା ପାଇଁ ଯେଉଁ କେତୋଟି ପଦକ୍ଷେପ ନେଇଥିଲେ ସେଥି ମଧ୍ୟରୁ ବିମୁଦ୍ରିକରଣ ଓ ଜିଏସଟି ଏକ ପ୍ରମୁଖ ପଦକ୍ଷେପ । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ବିଭୁତି ଭୂଷଣ ଜେନା ଅରୁଣ ଜେଟଲୀଙ୍କ ବ୍ୟକ୍ତିତ୍ୱ ଓ ସଫଳ ଜୀବନୀ ଉପରେ କାର୍ଯ୍ୟକର୍ତ୍ତା ମାନଙ୍କୁ ଅବଗତ କରାଇବା ସହିତ ତାଙ୍କ ଭାବାବେଗ ସହିତ ଜଡିତ ଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଆଜିର ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଗୋପୀନାଥ ପଣ୍ଡା, ପ୍ରବୀରପାତ୍ର, ସୁନୀଲ କୁମାର ସାହୁ, ନମିତା ପଣ୍ଡା, ପ୍ରଦୀପ ସାହୁ, ନୀଳାଞ୍ଚଳ ପଣ୍ଡା, ପ୍ରଭାତ ଷଡ଼ଙ୍ଗୀ, ଏନ. ରାଜେନ୍ଦ୍ର କୁମାର, ରାଜେଶ ସାହୁ, ମଦନ ମୋହନ ପାତ୍ର, ପ୍ରଦୀପ ମିଶ୍ର, ଧରଣୀଧର ବେହେରା, ନିରଞ୍ଜନ ପାଣିଗ୍ରାହୀ, ସଞ୍ଜୟ ନାୟକ, ଡି.କରୁଣା କର, ସୁନୀଲ ପାତ୍ର, ବିଜୟ ପଣ୍ଡା, ତ୍ରିନାଥ ମହାପାତ୍ର, ଗୌରୀ ମହାନ୍ତି, ଭଗବାନ ସାହୁ, କିରଣ କୁମାର ସାହୁ, କମଲ ପାତ୍ର, ସୁବାସିନୀ ପଟ୍ଟନାୟକ, ସୁଜାତା ବିଷୋୟୀ, ସୁମନ ଶତପଥୀ, ଶକ୍ତି ସ୍ୱରୂପ ଜେନା, ମନୋଜ ମହାରଣା, ଅମୁଲ୍ୟ ଚୌଧରୀ, ସନ୍ତୋଷ ପାଣିଗ୍ରାହୀ, ଶିବ ପ୍ରସାଦ ପାତ୍ର, ଶିବ ମହାରଣା ପ୍ରମୁଖଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା