ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ଗଣମାଧ୍ୟମର ଧଜ୍ଜିଆ ଉଡାଇଛନ୍ତି ପ୍ରଖ୍ୟାତ ସାମ୍ବାଦିକ ସିଦ୍ଧାର୍ଥ ବରଦରାଜନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଗୋଡାଣିଆ ସାଜି ଥିବା ଦେଶର ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମକୁ କଡା ସମାଲୋଚନା କରି ଦେଶର ଗଣତନ୍ତ୍ରକୁ ସୁରକ୍ଷିତ ରଖିବାରେ ଏହି ଦୁଇ ଗଣମାଧ୍ୟମ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ ଦୃଢ ମତପୋଷଣ କରିଛନ୍ତି । ୪ ତାରିଖ ଗୁରୁବାର ଦିନ ଏଠାରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବରଦରାଜନ୍ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ମାଲିକମାନଙ୍କୁ ଏଥିପାଇଁ ଦାୟି କରି ସାମ୍ବାଦିକ ଓ ସଂପାଦକମାନେ ଏଥି ସକାଶେ ଚାପରେ ରହୁଥିବା ଏବଂ ଅନେକ କ୍ଷେତ୍ରରେ ସେମାନେ ମାଲିକମାନଙ୍କ ଚାପକୁ ଏଡାଇ ନ ପାରି ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ଛାଡିବାକୁ ବାଧ୍ୟ ହେଉଥିବା ସେ ଅଭିଯୋଗ କରିଛନ୍ତି । ବରଦରାଜନ୍ କହିଛନ୍ତି, ଇଂଟରମେଟ୍ ଓ ୱେବ୍ ମିଡ଼ିଆ ଏବେ ନିରପେକ୍ଷ ଖବର ଓ ଖବରକୁ ବିଶ୍ଲେଷଣ ପ୍ରକାଶ କରିବାର ଏକମାତ୍ର ନିର୍ଭରଯୋଗ୍ୟ ମାଧ୍ୟମ ହୋଇଛି । ଯୁବ ପିଢିରେ ସ୍ମାର୍ଟଫୋନ୍ ପ୍ରତି ଆଦର ବଢିବା ସହ ଇଂଟରନେଟ୍ ମିଡିଆର ପ୍ରସାର ମଧ୍ୟ ବିଶ୍ୱବ୍ୟାପୀ ହୋଇପାରିଛି । ତେଣୁ, ଯୁବ ପିଢିର ସାମ୍ବାଦିକମାନେ ନିଜର ନିରପେକ୍ଷ ଓ ସ୍ପଷ୍ଟ ମତ ବିଶ୍ୱ ଦରବାରରେ ପହଂଚାଇବାକୁ ଇଂଟରନେଟକୁ ଏକ ଭରସାଯୋଗ୍ୟ ମାଧ୍ୟମ ଭାବେ ଗ୍ରହଣ କରି ପାରିବେ ବୋଲି ସେ କହିଥିଲେ ।ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ‘ସମ୍ବାଦ’ର ୩୪ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ବରଦରାଜନ୍ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦେଶର ଗଣତନ୍ତ୍ରକୁ ସୁରକ୍ଷିତ ରଖିବାରେ ଭାରତୀୟ ଗଣମାଧ୍ୟମର ବିଫଳତାର ଦୀର୍ଘ ସୂଚୀ ଉପସ୍ଥାପନ କରିଥିଲେ । ୧୯୯୫ରେ ସେ ଇଂରାଜୀ ଦୈନିକ ‘ଟାଇମ୍ସ ଅଫ୍ ଇଂଡ଼ିଆ’ର ସଂପାଦନା ବିଭାଗରେ ଯୋଗ ଦେଇ ସଂପାଦନା କାର୍ଯ୍ୟ କରିବା ସହ ବିଦେଶ ପ୍ରତିନିଧି ଭାବେ ମଧ୍ୟ ଲମ୍ବା ସମୟ ବିତାଇ ଥିଲେ । ପରେ, ସେ ୨୦୦୪ରେ ‘ଦି ହିନ୍ଦୁ’ ଖବର କାଗଜର ଡ଼େପୁଟୀ ଏଡ଼ିଟର ଭାବେ ଯୋଗ ଦେଇ ୨୦୧୧ରେ ତାହାର ସଂପାଦକ ହୋଇଥିଲେ । କୌଣସି କାରଣରୁ ସେ ‘ଦି ହିନ୍ଦୁ’ରୁ ଇସ୍ତଫା ଦେବା ପରେ ‘ଦି ୱାୟାର’ ନାମକ ଏକ ଜାତୀୟସ୍ତର ‘ୱେବ୍ ପୋର୍ଟାଲ’ ଆରମ୍ଭ କରି ତାହାର ପ୍ରତିଷ୍ଠାତା ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି । ଏହି ୱେବ୍ ପୋର୍ଟାଲ କେନ୍ଦ୍ର ସରକାରଙ୍କ ବିଭିନ୍ନ ଦୋଷତୃଟୀ ପଦାକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ମିଡ଼ିଆ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଛି । ନିଜର ଦୀର୍ଘ ଅଭିଜ୍ଞତାକୁ ଭିତ୍ତି କରି ବରିଷ୍ଠ ସାମ୍ବାଦିକ ବରଦରାଜନ୍ ଭାରତୀୟ ଗଣମାଧ୍ୟମର ବର୍ତର୍ମାନର ସ୍ଥିତିକୁ ନେଇ ଯେଉଁ ଚମକପ୍ରଦ ବକ୍ତବ୍ୟ ରଖିଛନ୍ତି,ତାହା ଦେଶରେ ସରକାର-ପ୍ରଶାସନ-ଗଣାମାଧ୍ୟମର ମଧୁଚନ୍ଦି୍ରକାକୁ ପଦାରେ ପକାଇଛି ।ବରଦରାଜନ୍ କହିଛନ୍ତି, ଭାରତ ଭଳି ଏକ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ର ଓ ରାଷ୍ଟ୍ରର ସୁରକ୍ଷା ଦାୟିତ୍ୱ ଗଣମାଧ୍ୟମର ହୋଇଥିବା ବେଳେ ଭାରତୀୟ ଗଣମାଧ୍ୟମ ଯେଭଳି କାର୍ଯ୍ୟ କରୁଛି ତାହା ଚିନ୍ତାର ବିଷୟ । ଗଣମାଧ୍ୟମ ଜନତାଙ୍କ ପ୍ରତିନିଧିତ୍ୱ କରି ସେମାନଙ୍କ ବାସ୍ତବ ସମସ୍ୟା ଲୋକଲୋଚନକୁ ଆଣିବା କଥା । ବିଭିନ୍ନ ସମୟରେ ନିର୍ବାଚିତ ସରକାର ଓ ପ୍ରଶାସକମାନେ ନିଜର ରାଜନୈତିକ ଓ ବ୍ୟକ୍ତିଗତ ସ୍ୱାର୍ଥସିଦ୍ଧି ପାଇଁ ଭୁଲ ନୀତି ଗ୍ରହଣ କରି ଦେଶକୁ ଭୁଲ ବାଟରେ ପରିଚାଳିତ କରିବାକୁ ଉଦ୍ୟମ କରିଥା’ନ୍ତି । ସେହି ସମୟରେ ଗଣମାଧ୍ୟମ ସତର୍କ ପ୍ରହରୀ ଭାବେ ଉଭୟ ସରକାର ଓ ପ୍ରଶାସକଙ୍କୁ ଅଙ୍କୁଶ ଲଗାଇବା ପାଇଁ ନିଜର କ୍ଷମତା ପ୍ରୟୋଗ କରିବା କଥା । କିନ୍ତୁ, ଆଜିର ଗଣମାଧ୍ୟମ (ଉଭୟ ଛାପା ଓ ବୈଦ୍ୟୁତିକ) ତାହା ନ କରି ବିଭିନ୍ନ ସବୁଧା ପାଇବା ପାଇଁ ସରକାରଙ୍କ ଗୋଡାଣିଆ ସାଜିଛନ୍ତି । ସରକାର ଓ ପ୍ରଶାସକମାନେ ଯାହା ଯେମିତି ଛାପିବାକୁ କହୁଛନ୍ତି ସେଭଳି ଛାପୁଛନ୍ତି । ବାସ୍ତବ ସମସ୍ୟା ଭିତରକୁ ଯାଉ ନାହାନ୍ତି । ଜନସାଧାରଣଙ୍କ ବାସ୍ତବ ସମସ୍ୟା ଅନୁଧ୍ୟାନ କରି ରିପୋର୍ଟ ଛାପିଲେ ସରକାରଙ୍କ କୋପର ଶିକାର ହେବାକୁ ପଡିବ । ତେଣୁ, ମାଲିକମାନେ ତାହାର ସଂପାଦକ ଓ ସାମ୍ବାଦିକମାନଙ୍କୁ ଅଂକୁଶ ଲଗାଉଛନ୍ତି ।ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ନିକଟରେ ବିଭିନ୍ନ ଅସ୍ତ୍ର ରହିଛି । ପର୍ଯ୍ୟାପ୍ତ ବିଜ୍ଞାପନ ଓ ବିଭିନ୍ନ ସୁବିଧା, ସୁଯୋଗ ଦେଇ ଗଣମାଧ୍ୟମ ମାଲିକଙ୍କ ମୁହଁ ବନ୍ଦ କରି ଦିଆ ଯାଉଛି । ଏହା ସତ୍ୱେ ଯଦି କେହି ଭିନ୍ନମତ ପୋଷଣ କରୁଛି ବିଜ୍ଞାପନ ଦେବାରେ ସଂପୃକ୍ତ ସଂସ୍ଥାକୁ କଳାତାଲିକାଭୁକ୍ତ କରାଯାଉଛି ବା ସଂସ୍ଥାର ପଂଜୀକରଣ ରଦ୍ଦ କରିଦିଆ ଯାଉଛି । ତେଣୁ, ଗଣମାଧ୍ୟମ ମାଲିକମାନେ ଜନସାଧାରଣଙ୍କ ପ୍ରତି ସେମାନଙ୍କ ଦାୟିତ୍ୱକୁ ଭୁଲି ଯାଇ ସରକାରଙ୍କୁ ସୁହାଇଲା ଭଳି ଖବର ଛାପିବାକୁ ବା ପ୍ରସାରଣ କରିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ଗଣମାଧ୍ୟମ ସଂପାଦକମାନେ ମାଲିକଙ୍କ ଚାପକୁ ଏଡାଇ ପ୍ରକୃତ ଅନୁସଂଧାନମୂଳକ ଖବର ପ୍ରସାରଣ କରିବାକୁ ଆଗକୁ ଆସୁଛନ୍ତି ସେମାନଙ୍କୁ ଏବିପି ସଂପାଦକ ପୁନ୍ୟ ପ୍ରସୁନ୍ନ ବାଜପେୟୀଙ୍କ ଭଳି ବାହାରକୁ ରାସ୍ତା ଦେଖାଇ ଦିଆଯାଉଛି । ବର୍ତ୍ତମାନ ଗଣମାଧ୍ୟମ ବିଶେଷକରି ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରାଇମ୍ ଟାଇମ୍ ବିତର୍କ ନାମରେ ଯେଭଳି ପ୍ରହସନ ଚାଲିଛି ତାହାକୁ ଖୁଲାସା କରି ବରଦରାଜନ୍ କହଛନ୍ତି, ୟୁପିରେ ଏକ ଡାକ୍ତରଖାନାରେ ଅକ୍ସିଜେନ୍ ଅଭାବରୁ ଏକାଧିକ ଶିଶୁଙ୍କ ମୃତ୍ୟୁ ଘଟି ଥିବା ବେଳେ ସେହି ଦିନ ଜାତୀୟ ଟିଭି ଚ୍ୟାନେଲରେ ବନେ୍ଦମାତରମ୍ ଓ ହିନ୍ଦ-ମୁସଲିମ୍ ବିବାଦକୁ ନେଇ ପ୍ରାଇମ୍ ଟାଇମ୍ ବିତର୍କ ଚାଲି ଥିଲା । ବିତର୍କରେ ଅତିଥି ଥିବା ଜଣେ ଦଳୀୟ ମୁଖପାତ୍ର ଶିଶୁ ମୃତ୍ୟୁ ବିଷୟରେ ବିତର୍କ ହେବା ଉଚିତ ବୋଲି ମତ ଦେବାରୁ ଆଂକର ରାଗି ଯାଇ ‘ବିତର୍କର ବିଷୟବସ୍ତୁରୁ ବାହାରକୁ ଚାଲି ଯାଉଛନ୍ତି’ ବୋଲି ଅତିଥିଙ୍କୁ ତାଗିଦ କରିଥିଲେ । ସେହିଭଳି, ଫ୍ରାନ୍ସରୁ ‘ରାଫେଲ୍’ ଯୁଦ୍ଧ ବିମାନ କିଣା ପ୍ରସଙ୍ଗରେ କେନ୍ଦ୍ର ସରକାର ଅନିଲ ଆମ୍ବାନୀଙ୍କ ରିଲାଏନ୍ସ ଡ଼ିଫେନ୍ସ ପ୍ରତି ଅନୁଗ୍ରହ ପ୍ରଦର୍ଶନ କରିଥିବା ନେଇ ଏହି ଚୁକ୍ତି ସ୍ୱାକ୍ଷର କରିଥିବା ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ତାଙ୍କ ଦେଶରେ ଏକ ସାକ୍ଷାତକାର ମାଧ୍ୟମରେ ଖୁଲାସା କରିଥିଲେ । କିଛି ଜାତୀୟ ସମ୍ବାଦପତ୍ରରେ ଏହା ଛୋଟ ଖବରଟିଏ ହୋଇ ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇ ଥିଲେ ମଧ୍ୟ ଅନ୍ୟ ଭାରତୀୟ ଭାଷା ସମ୍ବାଦପତ୍ରରେ ଭିତର ପୃଷ୍ଠାରେ କାହାରି ଆଖିକୁ ନ ଦିଶିଲା ଭଳି ଛୋଟିଆ ଖବର ହୋଇ ପ୍ରକାଶ ପାଇ ଥିଲା । କିଛି ଖବରକାଗଜ ମୋଟେ ଏହି ଖବରକୁ ପ୍ରକାଶ କରି ନ ଥିଲେ । ସରକାରଙ୍କ କୋପର ଶିକାର ହେବା ଭୟରେ ଏତେ ବଡ ଖବରକୁ ଗୌଣ କରିଦେବା କେତେଦୂର ଗ୍ରହଣୀୟ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଆଜିର ଭାରତୀୟ ଗଣମାଧ୍ୟମ ଛୋଟିଆ ଘଟଣା ବା ଅପ୍ରସଙ୍ଗକୁ ବିତର୍କର ମୁଖ୍ୟ ପ୍ରସଙ୍ଗ କରି ଦେଉଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସରକାରଙ୍କ କୋପର ଶିକାର ହେବା ଭୟରେ ଚାପି ଦିଆ ଯାଉଛି । ଗତ ୨୦ ବର୍ଷ ମଧ୍ୟରେ ସେ ବିଭିନ୍ନ ସରକାରଙ୍କୁ ଦେଖିଛନ୍ତି । ସବୁ ସରକାରଙ୍କ ସମୟରେ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ଉଦ୍ୟମ ହୋଇଛି । ତେବେ, ଆଜିର ଭଳି ପରିସ୍ଥିତି ସେ ଆଗରୁ କେବେ ଦେଖି ନଥିଲେ ବୋଲି ବରଦରାଜନ୍ କହିଛନ୍ତି ।ଏନଆଇଏ ସଂପର୍କରେ ଏକ ଉଦାହରଣ ଦେଇ ସେ କହିଛନ୍ତି, କାଶ୍ମୀରର ଜଣେ ଫଟୋ ସାମ୍ବାଦିକଙ୍କୁ ଏନଆଇଏ ଗିରଫ କରିଥିଲା । ନିରାପତ୍ତା ବାହିନୀ ଉପରେ ଟେକା ଫିଙ୍ଗୁ ଥିବା ଜଣେ ଆତଙ୍କିକୁ ଗିରଫ କରାଯାଇଛି କହି ତାଙ୍କୁ କୋର୍ଟରେ ହାଜର କରିଥିଲା । କୋର୍ଟରେ ଏନଆଇଏର ଯୁକ୍ତି ଥିଲା, ସଂପୃକ୍ତ ବ୍ୟକ୍ତିଙ୍କ କ୍ୟାମେରାରେ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟର କୌଣସି ଫଟୋ ନ ଥିବା ବେଳେ ଯାହା ସବୁ ଫଟୋ ଥିଲା ରାଜ୍ୟରେ ଚାଲି ଥିବା ହିଂସାକାଣ୍ଡର । ତେଣୁ, ଗିରଫ ବ୍ୟକ୍ତି ଫଟୋ ସାମ୍ବାଦିକ ନୁହନ୍ତି, ଜଣେ ଆତଙ୍କି ବୋଲି ଏନଆଇଏ କୋର୍ଟରେ ପ୍ରମାଣ କରିବାକୁ ଚାହିଁ ଥିଲା । ତେବେ, କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ନ ଥିଲେ । ସେହିଭଳି, ସିବିଆଇ ମଧ୍ୟ ସରକାରଙ୍କ ହାତରେ ଖେଳନା ହୋଇ ରହି ଥିବା ୟୁପିଏ ସରକାର ଅମଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ପରୋକ୍ଷରେ ସ୍ୱୀକାର କରିଥିଲେ । ସିବିଆଇକୁ ‘ପଂଜୁରୀବଦ୍ଧ ଶୁଆ’ କହି ସେତେବେଳେ ସମାଲୋଚନା କରାଯାଇଥିଲା । କେନ୍ଦ୍ର ସରକାର ଲୋକପାଳ ବିଲ୍ ଆଣି ତାହା ଅଧିନରେ ସିବିଆଇକୁ ରଖାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ରାଜନେତା, ପ୍ରଶାସକଙ୍କୁ ଲୋକପାଳ ତଦନ୍ତ ପରିସରର୍ଭୁକ୍ତ କରାଯିବାକୁ ସେତେବେଳେ ଯୋରଦାର ଆନେ୍ଦାଳନ ହୋଇଥିଲା । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡ଼ିଏ ସରକାର କ୍ଷମତାକୁ ଆସିବା ପରେ ସଂସଦରେ ଲୋକପାଳ ବିଲ୍ ଗୃହୀତ ହେଲା ସିନା ଆଜିସୁଦ୍ଧା ତାହା କାର୍ଯ୍ୟକାରୀ କରାଯାଇ ନାହିଁ । ସଂସଦରେ ଗୃହୀତ ବିଲ୍ରେ ଥିବା ବ୍ୟବସ୍ଥାରେ ସାମାନ୍ୟ ସଂଶୋଧନ କଲେ ଲୋକପାଳ ନିଯୁକ୍ତିର ବାଟ ସଫା ହୋଇଯିବ । ସଂସଦରେ ସରକାରୀ ଦଳର ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ସଂଖ୍ୟା ରହିଛି । ସରକାର ଆଗ୍ରହୀ ଥିବା ବିଧେୟକର ସଂଶୋଧନ ହୋଇ ପାରୁଛି । କିନ୍ତୁ, ଲୋକପାଳ ନିଯୁକ୍ତି ପାଇଁ ଚୟନ ସଂପର୍କିତ ଆଇନରେ ଥିବା ଅସୁବିଧା ଦୂର କରିବା ପାଇଁ ସଂଶୋଧନ କାର୍ଯ୍ୟ ହୋଇପାରୁ ନାହିଁ । ଏତେ ବଡ ଇସ୍ୟୁରେ ଗଣମାଧ୍ୟମ ପାଟି ନ ଖୋଲିବା ସନେ୍ଦହର ବିଷୟ ନୁହେଁ କି ବୋଲି ବରଦରାଜନ୍ ପ୍ରଶ୍ନ କରିଛନ୍ତି ।ବିଜେପି ଦଳର ଓ ସରକାରଙ୍କ ସବୁ ଛୋଟ, ବଡ ପୋଷ୍ଟର ସମେତ ସରକାରଙ୍କ ପ୍ରତି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ବଡ ବଡ ଫଟୋ ଦେଖିବାକୁ ମିଳୁଛି । କିନ୍ତୁ, କୌଣସି ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରଦାୟୀ କରାଯାଉନାହିଁ । ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନାରୁ ଉଦ୍ଧ୍ୱର୍ରେ ରଖା ଯାଇଛି । ଯଦି କେହି ସମାଲୋଚନା କରୁଛି ବା ଭିନ୍ନମତ ପ୍ରକାଶ କରୁଛି ତା’ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉଛି । ଖବରକାଗଜ ପଂଜୀକରଣ ରଦ୍ଧ ହେଉଛି । ଗଣମାଧ୍ୟମ ସ୍ୱର ଉତ୍ତୋଳନ କରିବା ବଦଳରେ ସରକାରଙ୍କ ଦୋଷତୃଟୀକୁ ଚପାଇ ଦେବାର ଯେଉଁ ଭୂମିକା ଗ୍ରହଣ କରିଛି ତାହା ଦେଶର ଗଣତନ୍ତ୍ରକୁ କେତେଦୂର ସୁରକ୍ଷା ଦେଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ପୌରୋହିତ୍ୟ କରି ସିଦ୍ଧାର୍ଥ ବରଦରାଜନଙ୍କ ସମାଲୋଚନାକୁ କଟାକ୍ଷରେ ଉଡାଇ ଦେଇଥିଲେ । ଗଣମାଧ୍ୟମ ମାଲିକମାନେ ‘ସତ୍ୟ’ ପ୍ରକାଶ ପାଇବାରେ କେବେ ମନା କରି ନାହାନ୍ତି, ‘ଅପ୍ରିୟ ସତ୍ୟ’କୁ ମନା କରୁଛନ୍ତି ବୋଲି କହି ବରଦରାଜନଙ୍କ ବକ୍ତବ୍ୟକୁ ସେ ‘ନିମ ପିତା’ ସହ ତୁଳନା କରିଥିଲେ । ଯିଏ ଗ୍ରହଣ କରିବ କରୁ ବୋଲି କହି କଥା ହାଲକା କରିବାକୁ ପଟ୍ଟନାୟକ ଚେଷ୍ଟା କରିଥିଲେ । କାରଣ, ଏହି ସଭାର ମୁଖ୍ୟ ଅତିଥି ଥିଲେ ଓଡ଼ିଶାର ରାଜ୍ୟପାଳ ଗଣେଶୀଲାଲ୍ ଜୀ ।“ଚାହା ବିକି ମୋଦୀଜୀ ଏବେ ରାଜ ଗାଦିରେ” । ଏସବୁ ପ୍ରସଙ୍ଗ ସଂସଦରେ ଆଲୋଚନା ପାଇଁ ଠିକ୍ ବୋଲି ରାଜ୍ୟପାଳ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ସଭାରେ ଇଷ୍ଟର୍ଣ୍ଣ ମିଡ଼ିଆ ଗୃପ୍ ପରିଚାଳିନା ନିର୍ଦେଶିକା ମୋନିକା ନୟର ପଟ୍ଟନାୟକ ଗୃପ୍ ର ବିଭିନ୍ନ କାର୍ଯ୍ୟକଳାପ ସଂପର୍କରେ ଆଲୋକପାତ କରିଥିବା ବେଳେ ସାହିତି୍ୟକ ଗୌରହରି ଦାଶ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତାଙ୍କୁ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭିକ ସଂଗୀତ, ଦୀପ ପ୍ରଜ୍ୱଳନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପୁରସ୍କାର ବିତରଣରେ ସରିଥିଲା ।
ରିପୋର୍ଟ : ପ୍ରସାଦ ରାଓ