

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜଣେ ଲୋକପ୍ରିୟ ଓ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ଥିବା ମନୋହର ପାରିକରଙ୍କର ଗତକାଲି ସନ୍ଧ୍ୟାରେ ୬୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ‘ଏକ ସ୍ମୃତି ଚାରଣ ସଭା’ ବ୍ରହ୍ମପୁର ଗାନ୍ଧିନଗର ଛକ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କରାଯାଇଛି । ୧୯୫୫ ମସିହା ଡିସେମ୍ବର ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ମନୋହର ପ୍ରରିକର ଜଣେ ସଚ୍ଚା ଦେଶଭକ୍ତ, ସହିତ ଜଣେ ସଚ୍ଚୋଟ ରାଜନେତା, ଶାନ୍ତସ୍ୱଭାବ, ମୄଦୁଭାଷୀ ହେବାସହ ରାଜନୀତିରେ ଜଣେ ସରଳ, ଅମାୟିକ ଓ ନିର୍ମଳ ଭାବମୂର୍ତ୍ତି ସମ୍ପର୍ଣ୍ଣ ରାଜନେତା ହିସାବରେ ମନୋହରଙ୍କ ପରିଚୟ ଥିଲା । ଆଇଆଇଟିରୁ ପାସ କରିଥିବା ପ୍ରଥମ ବିଧାୟକ ଭାବେ ସେ ପରିଚିତ ହୋଇଥିଲେ । ସେ ୪ ଥର ଗୋଆର ମୁଖ୍ୟମନ୍ତ୍ରୀ ହେବା ସହ କେନ୍ଦ୍ରରେ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଥିଲେ । ୨୦୧୪ରେ ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ସମୟରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା । ନିଜକୁ ଜନସେବାରେ ଉତ୍ସର୍ଗ କରି ନିଷ୍ଠାର ପ୍ରତୀକ ଥିବା ପାରିକରଙ୍କ ଭୂମିକାକୁ ଗୋଆର ଜନସାଧାରଣଙ୍କ ସମେତ ଦେଶବାସୀ କେବେ ଭୁଲି ପାରିବେ ନାହିଁ ବୋଇ ଆଜି ବିଜେପି ନେତାମାନେ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ମନୋହର ପାରିକରଙ୍କ ବିୟୋଗରେ ଭାରତୀୟ ଜନତା ପାର୍ଟିର ଅପୂରଣୀୟ କ୍ଷତି ହେବ ସହ ସାରା ଦେଶରେ ଗଭୀର ଶୋକର ଛାୟା ଖେଳିଯାଇଛି । ଗୋଆ ଓ ଦେଶ ପାଇଁ ତାଙ୍କର ଯୋଗଦାନ ଅବିସ୍ମରଣୀୟ ବୋଲି ଆଜି ନେତାମାନେ କହିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ଏବଂ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନଟ ନିରବ ପ୍ରାର୍ଥନା କରାଯାଇଛି । ଆଜିର ଏହି ସ୍ମୃତି ଚାରଣ ସଭାରେ ବିଜେପି ଗଞ୍ଜାମଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ବରିଷ୍ଠ ନେତା ଶିଶିର ପାଢ଼ୀ, ରବୀନ୍ଦ୍ର ସାହୁ ଓ ନମିତା ରାଣୀ ପଣ୍ଡା, ସୁନୀଲ କୁମାର ସାହୁ, ପ୍ରବୀଣ ପାତ୍ର, ପ୍ରଭାତ କିରଣ ଷଡ଼ଙ୍ଗୀ, ଅମୁଲ୍ୟ ଚୋୖଧୁରୀ, ପ୍ରଦୀପ ଶତପଥୀ, ଡି. କରୁଣା କର, ମଦନ ମୋହନ ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ସୂର୍ଯ୍ୟନାହାକ, ସୁମନ ଶତପଥୀ, ରୀଙ୍କ ଶାମଲ, ଅନନ୍ତ ନାରାୟଣ ମହାନ୍ତି, ବିଘ୍ନରାଜ ନାୟକ, ଟି. ରବି କିରଣ, ଶ୍ରୀନିବାସ ସୁବୁଧି, ପ୍ରଦୀପ ମିଶ୍ର, ସୁନୀଲ ପାତ୍ର, ବିଜୟ ପଣ୍ଡା, ସୁବାସିନୀ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

