ବନେଶ୍ୱର(ସମୃଦ୍ଧଓଡିଶା)- ଆସନ୍ତା ନଭେମ୍ବର ମାସ ୧୧ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବିହାରର ରାଜଗିର ଠାରେ ଏସିଆନ୍ ମହିଳା ହକି ଚାମ୍ପିୟନସିପ୍ ଅନୁଷ୍ଠିତ ହେବ। ଭାରତ ସମେତ ଚୀନ୍, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ ଏବଂ ଥାଇଲାଣ୍ଡ ଦେଶର ମହିଳା ହକିଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ପରିପ୍ରେକ୍ଷୀରେ ଆଜି ଓଡିଶା କ୍ରୀଡା ଓ ଯୁବସେବା ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଭାସୀ ମାଧ୍ୟମରେ ଭାରତୀୟ ମହିଳା ରାଷ୍ଟ୍ରୀୟ ହକି ଟିମ୍ ର କ୍ରୀଡ଼ାବିତ୍ ମାନଙ୍କୁ ଆଗାମୀ ଏସିଆନ୍ ମହିଳା ହକି ଚାମ୍ପିୟନସିପ୍ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଟିମ୍ ର ପ୍ରସ୍ତୁତି ସମ୍ବନ୍ଧରେ ପଚାରି ବୁଝିଥିଲେ।
ଆଜି ଆଭାସୀ ମାଧ୍ୟମରେ ହୋଇଥିବା ଆଲୋଚନାରେ ଭାରତୀୟ ମହିଳା ରାଷ୍ଟ୍ରୀୟ ହକି ଟିମ୍ ତରଫରୁ କ୍ୟାପଟେନ୍ ସଲୀମା ଟେଟେ, ଭାଇସ୍ କ୍ୟାପଟେନ୍ ନଭନୀତ କୋୖର, କୋଚ୍ ହରେନ୍ଦ୍ର ସିଂ, ଓଡ଼ିଶାର ହକି କ୍ରୀଡାବିତ୍ ସୁନେଲିତା ଟପ୍ପୋ ଏବଂ ଟିମ୍ ର ଅନ୍ୟାନ୍ୟ କ୍ରୀଡାବିତ୍ ଓ ସଦସ୍ୟମାନେ ଉପସ୍ଥିତ ଥିଲେ।
ଭାରତୀୟ ମହିଳା ରାଷ୍ଟ୍ରୀୟ ହକି ଟିମ୍ ର କ୍ରୀଡ଼ାବିତ୍ ମାନଙ୍କୁ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ, “ଆପଣମାନେ ସମସ୍ତେ ହେଲେ ଆମ ଦେଶର ଗର୍ବ ଓ ଗୌରବ, ସମସ୍ତ ଯୁବ କ୍ରୀଡାବିତ୍ ମାନଙ୍କ ପାଇଁ ହେଲେ ପ୍ରେରଣାର ଉତ୍ସ। ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଆଗାମୀ ଏସିଆନ୍ ମହିଳା ହକି ଚାମ୍ପିୟନସିପ୍ ରେ ଆପଣମାନେ ନିଶ୍ଚିତ ରୂପେ ଆମ ଦେଶ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି ମୋର ଆଶା ଓ ବିଶ୍ୱାସ।” ଭାରତୀୟ ମହିଳା ରାଷ୍ଟ୍ରୀୟ ହକି ଟିମ୍ ର କ୍ୟାପଟେନ୍ ସଲୀମା ଟେଟେଙ୍କୁ ମନ୍ତ୍ରୀ ଶ୍ରୀ ସୂରଜ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ଓଡ଼ିଶାର କ୍ରୀଡାବିତ୍ ସୁନେଲିତା ଟପ୍ପୋ ଓଡ଼ିଶାର ଗର୍ବ ବୋଲି ମତପ୍ରକାଶ କରିବା ସହ ସୁନ୍ଦରଗଡ଼ର ଯୁବ କ୍ରୀଡାବିତ୍ଙ୍କ ପାଇଁ ସୁନେଲିତା ପ୍ରେରଣାର ଉତ୍ସ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ।
ଏସିଆନ୍ ମହିଳା ହକି ଚାମ୍ପିୟନସିପ୍ ର ପ୍ରସ୍ତୁତି ସମ୍ବନ୍ଧରେ ମନ୍ତ୍ରୀ ଟିମ୍ ର କୋଚ୍ ହରେନ୍ଦ୍ର ସିଂଙ୍କ ସହ ଆଲୋଚନା କରିଥିଲେ। ଓଡିଶା ସରକାରଙ୍କ ହକି ତଥା ହକି କ୍ରୀଡାବିତ୍ ମାନଙ୍କର ବିକାଶ ପାଇଁ ରହିଥିବା ପ୍ରତିବଦ୍ଧତାକୁ ଭାରତୀୟ ମହିଳା ରାଷ୍ଟ୍ରୀୟ ହକି ଟିମ୍ ର ସଦସ୍ୟମାନେ ପ୍ରଶଂସା କରିଥିଲେ।
ଆଜିର ଆଭାସୀ ଆଲୋଚନାରେ ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ହକି ଇଣ୍ଡିଆ ପ୍ରେସିଡେଣ୍ଟ ଦିଲୀପ ତିର୍କୀ, କ୍ରୀଡା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ଆଦି ଉପସ୍ଥିତ ଥିଲେ।
ରିପୋର୍ଟ : ରଜତ ମହାପାତ୍ର