ଭାରପ୍ରାପ୍ତ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ନିଶା ନିବାରଣ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଜିଲ୍ଲାରେ ନିଶା ସେବନ ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରାଇବା ଓ ସଂପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି କ୍ଷୋଦ୍ ଭାରପ୍ରାପ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ନେହଲତା ପଣ୍ଡା ପ୍ରଦାନ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତି ପଣ୍ଡାଙ୍କ ନେତୃତ୍ୱରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଛତ୍ରପୁର ଠାରେ ଜୁନ୍ ୨୬ ତାରିଖ ଦିନ ଆନ୍ତର୍ଜାତୀୟ ନିଶା ଔଷଧ ସେବନ ନିରୋଧ ଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ମହାତ୍ମାଗାନ୍ଧୀଙ୍କ ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜିଲ୍ଲାରେ ସଂପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦିଆଯିବ ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ । ସ୍ମାରକ ପତ୍ର ପ୍ରଦାନ ଅବସରେ ଆନୁସଙ୍ଗୀକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ଜିଲ୍ଲାପାଳ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ସାହୁ, କ୍ରିଡାବିତ୍ ପୂର୍ଣ୍ଣଚନ୍ଦ୍ର ବେହେରା, ସୟଦ ମୁକ୍ତାର, କିଶୋର ଚନ୍ଦ୍ର ସେନାପତି, ସନ୍ତ ରାଉଳ, କେ.ରମେଶ , ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା