

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭାଲେଣ୍ଟାଇନ ଦିବସ ପାଳନ ନାଁରେ ଯୁବକଯୁବତୀ ଉତ୍ସୃଙ୍ଖଳିତ ହେଲେ କଳିଙ୍ଗସେନା ସେମାନଙ୍କୁ ବିଛୁଆତି ଗଛ ଉପହାର ଦେବ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଧମକ ଦେଇଛନ୍ତି ସେନାର ନାରୀ ସେନା ମୁଖ୍ୟ ସୁଭଦ୍ରା ମିଶ୍ର । ସେନା ପକ୍ଷରୁ କୁହାଯାଇଛି ଯେ ଯୁବକ ଯୁବତୀମାନେ ଭାଲେଣ୍ଟାଇନ୍ ଦିବସ ନାଁରେ ସର୍ବସାଧାରଣ ସ୍ଥାନରେ ନିର୍ଲ୍ଲଜ ଆଚରଣ ପ୍ରଦର୍ଶନ କରୁଛନ୍ତି । ପାର୍କ, ସିନେମା ହଲ୍, ବଡ ବଡ ମଲ୍, ହୋଟେଲରେ ଅସଂଯତ ଅବସ୍ଥାରେ ସେମାନଙ୍କୁ ଦେଖିବାକୁ ମିଳୁଛି । ଭାରତୀୟ ସଂସ୍କୃତିକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଗ୍ରହଣ କରି ନେଇଥିବା ବେଳେ ଭାଲେଣ୍ଟାଇନ୍ଙ୍ ମହାନ ବଳିଦାନକୁ ଆଜିର ଯୁବପିଢ଼ି କଦର୍ଥ କରି ପାଶ୍ଚାତ୍ୟ ନଗ୍ନ ପରମ୍ପରା ଆପଣେଇ ନେଇଛନ୍ତି । କଳିଙ୍ଗସେନା ଏହାକୁ ବରଦାସ୍ତ କରେନି କି କରିବ ନାହିଁ । ଚଳିତବର୍ଷ ଏହି ଦିବସ ପାଳନ ନାଁରେ ଉତ୍ସୃଙ୍ଖଳିତ ଯୁବକଯୁବତୀମାନଙ୍କୁ ସାବାଡ୍ କରାଯିବ ବୋଲି କଳିଙ୍ଗସେନା ଧମକ ଦେଇଛି । ଏଥିପାଇଁ ସେନା ସୈନିକମାନେ ଯେ କୌଣସି କାର୍ଯ୍ୟ ହାତକୁ ନେଇପାରନ୍ତି ବୋଲି ଚେତାଇ ଦିଆଯାଇଛି । କଳିଙ୍ଗସେନା ଭଲ ପାଇବାକୁ ବିରୋଧ କରୁନାହିଁ । ମାତ୍ର ଅପସଂସ୍କୃତିଭରା କୁତ୍ସିତ, ନଗ୍ନତା ଓ ଦୃଷ୍ଟିକଟୁ ଆଚରଣକୁ ଘୋର ବିରୋଧ କରିବ । ଏହା ଓଡିଆ ସଂସ୍କୃତି ପରମ୍ପରାର ବିରୁଦ୍ଧାଚରଣ ଏବଂ ବିଦେଶୀ ସଂସ୍କୃତିଭିତ୍ତିକ ଛାପ ବହନ କରୁଥିବା ପ୍ରେମୀ ଦିବସକୁ କୌଣସି ପ୍ରକାରେ ରାଜ୍ୟରେ ପାଳିବାକୁ ଦିଆଯିବ ନାହିଁ । ପୂର୍ବରୁ ଏହି ଦିବସଟିକୁ କଳିଙ୍ଗସେନା ରାଜ୍ୟରେ ପ୍ରତିବାଦ କରି ଆସୁଥିବାବେଳେ ଚଳିତବର୍ଷ ଦୃଷ୍ଟିକଟୁ ଆଚରଣରେ ଥିବା ଯୁଗଳବନ୍ଦୀମାନଙ୍କୁ ସାବାଡ କରିବା ପାଇଁ ନିଆରା ପଦ୍ଧତି ଆପଣାଇଛି ।ଫେବୃଆରୀ ୧୪ ଭାଲେଣ୍ଟାଇନ୍ ଦିବସରେ କଳିଙ୍ଗସେନା ଏଥର ଟାର୍ଗେଟ୍ କରିଛି ଯୁବକଯୁବତୀମାନେ ଭିଡ ଜମାଉଥିବା ଏକାମ୍ର ପାର୍କ, ମୁଖାର୍ଜୀ ପାର୍କ, ଇନ୍ଦିରା ଗାନ୍ଧି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ସାଇନ୍ସ ପାର୍କ, ଖଣ୍ଡଗିରିସ୍ଥିତ ଜୟଦେବ ବାଟିକା, ବଟାନିକାଲ ଗାର୍ଡେନ, ଏସ୍ପ୍ଲାନେଡ୍, ପାଣ୍ଟାଲୁନ୍, ଆଇନକ୍ସ,ବିଗବଜାର, ଏକାମ୍ର ହାଟ, ଇନଫୋସିଟି, ଶିଖରଚଣ୍ଡି ଆଦି ପ୍ରମୁଖ ସ୍ଥାନରେ ରାଜଧାନୀର ୭ଟି ମହାବିଦ୍ୟାଳୟର ୨୦୦ ଜଣ ଛାତ୍ରଛାତ୍ରୀ ପ୍ରତିବାଦ କରିବା ସହ ଅପସଂସ୍କୃତି କାର୍ଯ୍ୟରେ ଲିପ୍ତ ଥିବା ଯୁଗଳବନ୍ଦୀମାନଙ୍କୁ ପାନେ ଦେବା ପାଇଁ ବିଛୁଆତି ଗଛ ଉପହାର ପ୍ରଦାନ କରିବେ । ପୋଲିସ ମହାନିର୍ଦ୍ଦେଶକ ଏବଂ ପୋଲିସ କମିଶନରଙ୍କୁ ଏହିସବୁ ସ୍ଥାନ ସେଦିନ ବନ୍ଦ ରଖିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି ।ଅନ୍ୟପଟେ ଏ ବର୍ଷ ଭାଲେଣ୍ଟାଇନ ଡେକୁ ବଜରଙ୍ଗ ଦଳ ବିରୋଧ କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ଅପସସ୍କୃତି, ଅଶ୍ଳୀଳତା ଏବଂ ନଗ୍ନତା କୁ ଗୋଟିଏ ଦିନ ବିରୋଧ କଲେ ଏହା ସମାପ୍ତ ହେବ ନାହିଁ । ଏଥିପାଇଁ ନିରନ୍ତର ସଚେତନତା ଆବଶ୍ୟକ । ପାଶ୍ଚାତ୍ୟ ପରମ୍ପରା କେବଳ ଭାଲେଣ୍ଟାଇନ ଡେ ନୁହଁ, ଖ୍ରୀଷ୍ଟୀମାସ (ବଡ ଦିନ), ୩୧ ଡିସେମ୍ବର, ଗୁଡ଼ ଫ୍ରାଇଡେ ଇତ୍ୟାଦି । ଆଉ ଆମ ହିନ୍ଦୁମାନେ ଏହି ଗୁଡିକୁ ବହୁ ଧୁମ ଧାମ ରେ ପାଳନ କରନ୍ତି ,ମନା କଲେ ଯୁକ୍ତି କରନ୍ତି ବୋଲି ଦଳର ଭୁବନେଶ୍ବର ଜିଲ୍ଲା ସଂଯୋଜକ ଦେବାଶିଷ ରାଉତ କହଛନ୍ତି । ପୂର୍ବବର୍ଷ ମଧ୍ୟ ଶିବରାତ୍ରି ଓ ଭାଲେଣ୍ଟାଇନ୍ ଡେ ଗୋଟିଏ ଦିନରେ ପଡି ଥିବାରୁ ବଜରଙ୍ଗ ଦଳ ର କର୍ମୀ ମାନେ ପ୍ରେମ ପକ୍ଷୀ ଙ୍କୁ ବିରୋଧ ନକରି ଲିଙ୍ଗରାଜ ମନ୍ଦିରରେ ସେବାକାର୍ଯ୍ୟ କରିଥିଲେ ।
ରିପୋର୍ଟ : ଆକାଶ ମିଶ୍ର
