
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫେରେନ୍ସ ଜରିଆରେ ବ୍ରହ୍ମପୁରରେ ଦୁଇଟି ୧୫୦ ବିଶିଷ୍ଠ କୋଭିଡ ହସ୍ପିଟାଲର ଉଦ୍ଘାଟନ କରିଛନ୍ତି । ସୂଚନା ଅନୁଯାଇ ବ୍ରହ୍ମପୁରର କନିଷି ଠାରେ ଥିବା ଅମିତ୍ କଟକର ଅଶ୍ୱିନୀ ହସ୍ପିଟାଲ ପକ୍ଷରୁ ୧୫୦ ଶଯ୍ୟାବିଶିଷ୍ଟ କୋଭିଡ ସ୍ଥାପନ କରାଯାଇ ଥିବାବେଳେ ଏଥିରେ ୨୪ଟି ଆଇସିୟୁ(ICU) ବେଡ୍ ରହିଛି । ସେହିପରି ଏମକେସିଜି ହସ୍ପିଟାଲର ଶିଶୁ ୱାର୍ଡରେ ନୂଆ କୋଭିଡ ହସ୍ପିଟାଲ ଆରମ୍ଭ କରାଯାଇଛି । ଏହି ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଥିବା କହିଛନ୍ତି । ଏହାସହ ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି । କିନ୍ତୁ ଯେ ପର୍ଯ୍ୟନ୍ତ ଟୀକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତ୍ତି ନ ବାହାରିଛି ଏହି ମହାମାରୀ ବିରୁଦ୍ଧରେ ଫଳପ୍ରଦ ଲଢେଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ବ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ । ଜନସାଧାରଣ କୋଭିଡ ନିୟମାବଳୀକୁ ହାଲକା ଭାବରେ ନ ନେଇ ଏହାର ଗୁରୁତ୍ବକୁ ଭଲ ଭାବରେ ବୁଝନ୍ତୁ । ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଲେ ଯେ ଅନଲକ-୧ ପରେ ଦେଶର ହଟସ୍ପଟ ଅଞ୍ଚଳରୁ ଆମର ଭାଇଭଉଣୀମାନେ ଘରକୁ ଫେରିଛନ୍ତି । ଆମର କୋଭିଡ ଯୋଦ୍ଧା ମାନଙ୍କର ତ୍ୟାଗ, ନିଷ୍ଠା ଏବଂ ଗଞ୍ଜାମର ଜନସାଧାରଣଙ୍କର ସହଯୋଗ ଯୋଗୁ ଗଞ୍ଜାମ ଜିଲ୍ଲା ଏହି ମହାମାରୀ ବିରୁଦ୍ଧରେ ସଫଳତାର ସହ ଲଢେଇ ଜାରି ରଖିଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଓ ଗଞ୍ଜାମର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କରୋନା ଭୂତାଣୁ ମହାମାରୀ କବଳରୁ ଲୋକମାନଙ୍କ ଜୀବନ ରକ୍ଷା କରିବା ପାଇଁ ସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଂଶ ଗ୍ରହଣ କରି ସାମାଜିକ ଦୂରତ୍ବ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଗୁରୁତ୍ବ ଦେଇଥିଲେ । ବ୍ରହ୍ମପୁରର ଏହି ୨ଟି ହସ୍ପିଟାଲ ଜିଲ୍ଲାର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ସହାୟକ ହେବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଶା ପ୍ରକାଶ କରିଥିଲେ । ଏହାସହ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମେରେ ଗଞ୍ଜାମ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ବ୍ରହ୍ମପୁର ମ୍ୟୁନିସ୍ପାଲ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା