

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏମ୍ସରେ ହିନ୍ଦୀ ବାଧ୍ୟତାମୂଳକ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସିଛି । ଏହା ପରେ ଘଟଣାକୁ ନେଇ ଏମ୍ସ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ପ୍ରତିନିଧି ଦଳ । ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ୯ ଜଣିଆ ସଦସ୍ୟ ବିଶିଷ୍ଟ ଦଳ ଏମ୍ସ ନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଲୋକସଭା ସାଂସଦ ଅନୁଭବ ମହାନ୍ତି, ଶର୍ମିଷ୍ଠା ସେଠୀ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ୍ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ , ସରୋଜିନୀ ହେମରମ୍ ପ୍ରମୁଖ ଏମ୍ସ ଗସ୍ତ କରିଥିଲେ I ତେବେ ଭୁବନେଶ୍ୱର ଏମ୍ସର ଏପରି ନିର୍ଦ୍ଦେଶନାମାକୁ ବିରୋଧ କରିଛନ୍ତି ବିଜେଡ଼ି ପୁରୀ ସାଂସଦ ପିନାକୀ ମିଶ୍ର । ସେ କହିଛନ୍ତି, ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ, ଯାହା ଭାଷା ଭିତିରେ ଗଠନ ହୋଇଛି । ତେଣୁ ଓଡ଼ିଶାରେ କାର୍ଯ୍ୟ କରୁଥିବା କୌଣସି ସଂସ୍ଥା ଆମ ମାତୃଭାଷାକୁ ଗୌଣ କରିବାକୁ ଉଦ୍ୟମ କଲେ ଏହାକୁ ପ୍ରଶୟ ଦିଆଯିବନାହିଁ । ତେଣୁ ଏହି ପରିପେକ୍ଷୀରେ ଆଜି ଏମ୍ସ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛି ବିଜେଡ଼ି ପ୍ରତିନିଧି ଦଳ । ସୂଚନା ଅନୁସାରେ ଭୁବନେଶ୍ୱର ଏମ୍ସର ଏକ ବିଜ୍ଞପ୍ତିକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଏମ୍ସ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ସମସ୍ତେ ହିନ୍ଦୀରେ ଦସ୍ତଖତ କରିବାକୁ କୁହାଯାଇଛି । ସମସ୍ତ ଫାଇଲ ନାଁ ଓ ବିଷୟ ହିନ୍ଦୀରେ ଲେଖାଯିବାକୁ ନିର୍ଦ୍ଦେଶ ରହିଛି । ରେଜିଷ୍ଟରର ନାଁ, ହେଡିଂ, ସବହେଡିଂ ହିନ୍ଦୀରେ ଲେଖାଯିବା ସହ ହିନ୍ଦୀରେ ଏଂଟ୍ରି କରିବାକୁ କୁହାଯାଇଛି । ଏହା ସହ ଅତିକମରେ ୩୦ ପ୍ରତିଶତ ନୋଟିଂ ଓ ୫୫ ପ୍ରତିଶତ ଚିଠିପତ୍ର ହିନ୍ଦୀରେ ଲେଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ସେହିପରି ପ୍ରଶାସନିକ ବୈଠକରେ ହିନ୍ଦୀ ଭାଷା ବ୍ୟବହାର କରିବାକୁ କୁହାଯାଇଛି ।
ରିପୋର୍ଟ : ଆକାଶ ମିଶ୍ର
