ଭଲ ମଣିଷଟିଏ ହେବା ପାଇଁ ଅଧିକ ଶିକ୍ଷାଗତ ଯୋଗ୍ୟତା, ବେଶୀ ଧନ, ପ୍ରଚର ବଳ, ପଦ, ପ୍ରତିଷ୍ଠା ଇତ୍ୟାଦି ନିହାତି ଦରକାର ନ ଥାଏ, ଦରକାର ଥାଏ ନିର୍ମଳ ମନର ବଳ । ନିର୍ମଳ ମନ, ନିଷ୍କପଟ ଭାବନାର ପ୍ରଭାବରେ ମଣିଷ ଯେଉଁ କର୍ମ କରିଥାଏ, ସେହି କର୍ମ ହିଁ ତାକୁ ମଣିଷରର ପରିଚୟ ଦେଇଥାଏ । ମଣିଷପଣିଆର ମହକ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥାଏ । ୧୯୩୦ ମସିହାରେ ମିରଟ୍ଠାରେ ଜଣେ ଇଂରେଜ କମିଶନର ଥିଲେ । ତାଙ୍କ ନାଁ ପିଡବ୍ୟ ମାର୍ଶ । ତାଙ୍କ ପୂର୍ବଜ ବିଦେଶ ମାଟିର ଲୋକ ଥିଲେ ମଧ୍ୟ ମାର୍ଶଙ୍କର ଭାରତୀୟ ସଂସ୍କୃତି ପ୍ରତି ଶ୍ରଦ୍ଧା ଥିଲା ସେ ଥିଲେ ଶ୍ରୀରାମଙ୍କର ଜଣେ ଅନନ୍ୟ ଭକ୍ତ । ବାଲ୍ୟକାଳରୁ ପିତାମାତାକୁ ହରାଇ ଥିଲେ । ମାତ୍ର ଶ୍ରୀରାମଙ୍କୁ ନିଜର ଭବିଷ୍ୟତର ରକ୍ଷାକର୍ତ୍ତା ଭାବରେ ଗ୍ରହଣ କରିଥିଲେ । ସେ ଇଂରେଜ, ହିନ୍ଦୀ, ସଂସ୍କୃତ ଓ ଉର୍ଦ୍ଧ୍ବ ଭାଷାରେ ପାରଙ୍ଗମ ଥିଲେ । ଜଣେ ବୁଦ୍ଧିମାନ, ସଚ୍ଚୋଟ, ନ୍ୟାୟ ପରାୟଣ ବ୍ୟକ୍ତି ଭାବରେ ମାର୍ଶଙ୍କର ଖ୍ୟାତି ଥିଲା । ମଣିଷପଣିଆରେ ଭରପୁର ଥିବା ମଣିଷଟିଏ ଥିଲେ ମାର୍ଶ । ଦିନେ ଜଣେ ବିଧବା ବୃଦ୍ଧା ତାଙ୍କ ନିକଟକୁ ଆସି ଗୁହାରୀ କଲା-ମହାଶୟ, ମୁଁ ନିଶହାୟ । ମୋର କେହି ନାହାନ୍ତି । ମାତ୍ର ଛୋଟ ବଗିଚାଟିଏ । ସେଥିରୁ ପନିପରିବା ତିଆରି କରି ଚଳୁ ଥିଲି । ଏବେ ଗାଁ ମହାଜନ ମୋ ବଗିଚାକୁ ନିଜ ନାମରେ କରିନେଇ ଯାଇଛି । ମାର୍ଶ ସାହେବ ବୃଦ୍ଧାକୁ ଆଶ୍ବାସନା ଦେଇ ବିଦାୟ ଦେଲେ । ଦିନେ ସକାଳୁ ମାର୍ଶ ସାହେବ ସେହି ବଗିଚାରେ ପହଞ୍ଚି ନିଜ ଚପରାଶିକୁ କହିଲେ – ମୋତେ ଏହି ଗଛରେ ବାନ୍ଧିଦେଇ ତୁ ଏଠାରୁ ଚାଲିଯାଅ । ଚପରାଶି ମାର୍ଶଙ୍କ ଆଗ୍ଯା ପାଳନ କଲା । କିଛି ସମୟ ମଧ୍ୟରେ ଗାଁ ସାରା ଖବର ଖେଳିଗଲା, ମାର୍ଶ ଗଛରେ ବନ୍ଧା ହୋଇଛନ୍ତି । ତାଙ୍କ ପାଖକୁ ଲୋକେ ଆସି ଫିଟାଇଲେ ଏବଂ କିଏ ବାନ୍ଧିଛି ବୋଲି ପଚାରିରୁ ମାର୍ଶ କହିଲେ-ଏହି ବଗିଚାର ମାଲିକ ହିଁ ବନ୍ଧାଇଛି । ବୃଦ୍ଧାଠାରୁ ବଗିଚାର ମାଲିକାନା ଛଡାଇ ନେଇଥିବା ମାଲିକ ସେଠାରେ ଉପସ୍ଥିତ ଥିଲା । ମାର୍ଶଙ୍କ କଥା ଶୁଣି ସେ ଭୟଭିତ ହୋଇଗଲା । ସେ ସଙ୍ଗେ ସଙ୍ଗେ କହିଲା- ମହାଶୟ ଏ ବଗିଚା ତ ଜଣେ ବିଧବା ବୃଦ୍ଧାର।ସେ ବୃଦ୍ଧା ତ ସେଇଠି ଠିଆ ହୋଇଛି । ବୃଦ୍ଧା କହିଲା- ହଜୁର ମୁଁ ତ ପ୍ରଥମରୁ କହିଛି ବଗିଚା ମୋର ଥିଲା । ଏବେ ମହାଜନ ଅଧିକାର କରି ନେଇଛନ୍ତି । ମହାଜନ କହିଲା-ସାହେବ ମୁଁ ପ୍ରଥମରୁ କହିଛି ବଗିଚା ବୃଦ୍ଧାର । ଯାହା ଦଣ୍ଡ ଦେବା କଥା ତାକୁ ହିଁ ଦିଅନ୍ତୁ । ମାର୍ଶ ସାହେବ ବଗିଚାର କାଗଜପତ୍ର ଦେଖି ବଗିଚାଟି ବୃଦ୍ଧାର ବୋଲି ଘୋଷଣା କଲେ । ଆଜିର ସମାଜରେ କିଛି ଉଚ୍ଚପଦସ୍ଥ କର୍ମଚାରୀ ମାନବିକତା ଭୁଲି ଯାଆନ୍ତି । ଅର୍ଥ ଲୋଭରେ ଧନୀ ଲୋକଙ୍କୁ ନ୍ୟାୟ ପ୍ରଦାନ କରି ଥାଆନ୍ତି । ଆମ ଦୁନିଆରେ ଅନ୍ୟାୟ ଅନିତିକୁ ସିନା ମଣିଷ ପ୍ରଶ୍ରୟ ଦିଏ, ହେଲେ ପରମାତ୍ମା ଏହାର ସଠିକ୍ ନିଷ୍ପତ୍ତି ନିଅନ୍ତି ।