


ଭୁବନେଶ୍ୱର(ସମୃଦ୍ଧଓଡିଶା) ୧୪ତମ ଜାତୀୟ ମତ ଦାତା ଦିବସ ଉପଲକ୍ଷେ ଆଜି ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀପ୍ରଦୀପ କୁମାର ଜେନା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସଂକଳ୍ପ ପାଠ କରାଇ ଥିଲେ । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖରେ ଜାତୀୟ ମତଦାତା ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି- “ମତଦାନର ବିକଳ୍ପ ନାହିଁ, ମୁଁ ନିଶ୍ଚିତ ଭାବେ ମତଦାନ କରିବି” । ଜାତୀୟ ଭୋଟର ଦିବସର ସଂକଳ୍ପ ଅନୁସାରେ ଭାରତର ନାଗରିକ ଭାବରେ ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି, ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା ତଥା ମୁକ୍ତ, ଅବାଧ ଏବଂ ଶାନ୍ତି ପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି, ନିର୍ଭିକ ହୋଇ, ଜାତି, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ କାର୍ଯ୍ୟକ୍ରମ ସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ତଥା ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀସୁରେନ୍ଦ୍ର କୁମାରଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇ ମତଦାତା ଦିବସର ସଂକଳ୍ପ ପାଠ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର