

ଆସିକା (ସମୃଦ୍ଧ ଓଡିଶା) ଏଣିକି ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିମାନେ ସାବଧାନ ହୋଇଯାନ୍ତୁ । କାରଣ ମଦ୍ୟପାନ କରି ଗାଡି ଚଳାଉ ଥିବା ବେଳେ ପୋଲିସ ହାବୁଡ଼ରେ ଧରା ପଡିଲେ ଗିରଫ ହେବା ନିଶ୍ଟିତ ହୋଇଯାଇଛି । ଏହାସହ ଜରିମାନାରେ ଆଉ କାମ ଚଳିବ ନାହିଁ, ପୋଲିସ ଯାହାକୁ ଧରୁଛି ସିଧା କୋର୍ଟ ଚାଲାଣ କରୁଛି । ଆଉ କାମ ଦେବନି କୌଣସି ପ୍ରକାର ଅନୁରୋଧ କି ଗୁହାରି । ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ ପକ୍ଷରୁ ମଦ୍ୟପ ଗାଡି ଚାଳକ ଧରପଗଡ଼ ଅଭିଯାନ ଆରମ୍ଭ ହୋଇଯାଇଛି । ଆସିକା ଥାନା ପରିସରଭୁକ୍ତ ବିଭିନ୍ନ ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ରିଥଏନାଲାଇଜର ମେସିନ ଜରିଆରେ ଗାଡି ଚାଳକ ମଦ ପିଇଛନ୍ତି କି ନାହିଁ ଯାଞ୍ଚ କରାଯାଉଛି । ଆସିକା ପୋଲିସ ପକ୍ଷରୁ ବିଭିନ୍ନ ରାସ୍ତାରେ ଯାଞ୍ଚ କରାଯାଉଛି । ଏଥିରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ଆଗାମୀ ଦିନରେ ଏହି ଧରପଗଡ଼ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଲକ୍ଷ୍ୟ ନେଇ ନୂତନ ଟ୍ରାଫିକ ନିୟମ ମଧ୍ୟ ଲାଗୁ କରାଯାଇଛି । ଆସିକା ଥାନା ପରିସର ଭୁକ୍ତ ଅଞ୍ଚଳରେ ଆଗାମୀ ଦିନରେ ଏହି ନିୟମ ଯେପରି କଡାକଡି ଭାବେ ପାଳନ କରାଯିବ ସେଥିପାଇଁ ଆସିକା ପୋଲିସ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସୂଚନା ଦିଆଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

