ମଧୁବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୂଲ୍ୟବୋଧଭିତ୍ତିକ ଶିକ୍ଷାର ଏନ୍ତୁଡ଼ିଶାଳ:ଶତ ବାର୍ଷିକୀ ସମାରୋହରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ …

ବ୍ରହ୍ମପୁର(ସମୃଦ୍ଧ ଓଡିଶା )୩୩୩ ବର୍ଷ ତଳେ କବିସୂର୍ଯ୍ୟଙ୍କ ବଂଶଧରମାନେ ବସବାସ କରୁଥିବା ମଧୁବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରସାର କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି ଶିକ୍ଷାର ଅନ୍ଧକାର ଭିତରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଆଲୋକବର୍ତ୍ତିକା ଦେଖାଇବାରେ ଗୁରୁ ଦାୟିତ୍ୱ ଗ୍ରହଣ କରିଆସୁଛି ବୋଲି ଶତବାର୍ଷିକୀ ସମାରୋହ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଐତିହାସିକ ତଥା ଗବେଷକ ଡ଼. ଅନନ୍ତରାମ କର (କୌଣ୍ଡିନ୍ୟ) ପ୍ରକାଶ କରିଛନ୍ତି । ଶ୍ରୀ କର କହିଲେ, ୧୬୮୫ ମସିହାରୁ ସ୍ଥାପିତ ମଧୁବନ ଗ୍ରାମର ଇତିହାସକୁ ବର୍ଣ୍ଣନା କରି ରଘୁନାଥ ରଥ ପ୍ରଥମ ନିବାସୀ ଏହି ଗ୍ରାମ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ୧୯୧୮ରେ ରଥ ବଂଶର ସୁଯୋଗ୍ୟ ଦାୟାଦ ସତ୍ୟବାଦୀ ରଥ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟକୁ ଗୋପବନ୍ଧୁଙ୍କ ବନ ବିଦ୍ୟାଳୟ ସହ ସମତୁଲ କରାଯାଇପାରେ ସେ କହିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷତା କରି ଏହି ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଅଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରତିଷ୍ଠାତା ବିଜୟ କୁମାର ରଥ, ବରିଷ୍ଠ ସାହିତି୍ୟକ କପିଳ ଚନ୍ଦ୍ର ମହାନ୍ତି, ଯୁବ ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ, ସିଆରସିସି ଶିବ ଶଙ୍କର ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ତଥା ପୁରାତନ ଛାତ୍ର ଦଣ୍ଡପାଣି ସାହୁ, ଇଂ. ଦୀନବନ୍ଧୁ ସାହୁ, ଅବସରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଦୟ ନାଥ ସାହୁ, ଆଡଭୋକେଟ ସୂର୍ଯ୍ୟ ନାରାୟଣ ସାହୁ, ସିମାଞ୍ଚଳ ପାଣିଗ୍ରାହୀ, ପୂର୍ବତନ ସମିତିସଭ୍ୟ ସତ୍ୟ ନାରାୟଣ ରଥ, ମୃତୁ୍ୟଞ୍ଜୟ ଗୌଡ଼, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଦଳେଇ, ବିଜୟ ପଣ୍ଡା ପ୍ରମୁଖ ଯୋଗଦେଇ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ସମାରୋହ ପୂର୍ବରୁ ସମସ୍ତ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟର ପ୍ରତିଷ୍ଠାତା ସତ୍ୟବାଦୀ ରଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ସମସ୍ତ ପୁରାତନ ଏବଂ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଏକ ବର୍ଷ ଧରି ଚାଲିବା ସହ ଆକର୍ଷଣୀୟ ସ୍ମରଣିକା ମଧ୍ୟ ପ୍ରକାଶନ କରାଯିବାର ପ୍ରସ୍ତାବ ରହିଛି । ରିପୋର୍ଟ : ରବି ରଥ