ଜଳେଶ୍ୱର(ସମୃଦ୍ଧ ଓଡିଶା) ଭୋଗରାଇ ବ୍ଲକର କମର୍ଦ୍ଦାଗ୍ରାମ ପଂଚାୟତର ଖଇରିଦା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ୨୨ଜଣ ଛାତ୍ରଛାତ୍ରୀ ୫ତାରିଖ ବୁଧବାର ଦିନ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡିବା ପରେ ସେମାନଙ୍କୁ ଜଳେଶ୍ୱର ଜି.କେ.ଭଟ୍ଟର ହସପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ବାନ୍ତି ହେଉଥିବା ବେଳେ ଅନ୍ୟ ମାନଙ୍କର ପେଟ ବ୍ୟଥା ହେଉଥିବାର ଜଣାଯାଇଛି । ତେବେ ଚିକିତ୍ସା କରୁଥିବା ଡାକ୍ତଙ୍କ କହିବା ଅନୁଯାୟୀ ସମସ୍ତେ ଭଲ ଅଛନ୍ତି । ଜଣାଯାଇଛି ଯେ ମଧ୍ୟାହ୍ନ ଭୋଜନ ଖାଉଥିବା ସମୟରେ ଜଣେ ପିଲାଙ୍କର ଖାଦ୍ୟରେ ଏକ ମୃତ ଝିଟିପିଟି ବାହାରିଥିଲା । ଶିକ୍ଷକ ଏହା ଜାଣି ପାରି ଖାଦ୍ୟକୁ ନଷ୍ଟ କରିଦେବା ସଙ୍ଗେ ସଙ୍ଗେ ପୁଣିଥରେ ଖାଦ୍ୟ ରାନ୍ଧି ପିଲାମାନଙ୍କୁ ଖାଇବାକୁ ଦେଇଥିଲେ । କିନ୍ତୁ ଯେଉଁ ପିଲା ମାନେ ଆଗରୁ ଖାଇ ସାରି ଥିଲେ ସେମାନଙ୍କୁ ବିଦ୍ୟାଳୟରେ ଛୁଟି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ରଖା ଯାଇଥିଲା । ସେଥିରୁ ୨ଜଣଙ୍କୁ ବାନ୍ତି ହୋଇଥିବା ବେଳେ ଅନ୍ୟ ମାନେ ପେଟ ବ୍ୟଥା ହେଉଥିବାର କହିଥିଲେ । ଫଳରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ନିକଟସ୍ଥ ଜି.କେ.ଭଟ୍ଟର ହସ୍ପିଟାଲକୁ ନେଇ ଆସିଥିଲେ । ବର୍ତମାନ ସମସ୍ତେ ଭଲ ଥିବା ବେଳେ ଏହି ଖବର ଶୁଣି ଅଭିଭାବକ ମାନେ ଆତଙ୍କିତ ହୋଇ ପଡିଥିବାର ଦେଖାଯାଇଥିଲା ।
ରିପୋର୍ଟ:ଭୂପତି କୁମାର ପରିଡା