
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦାରିଙ୍ଗିବାଡ଼ି ପୀଡ଼ିତାକୁ ନ୍ୟାୟ ଓ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବୀ ନେଇ ଆରଡିସି କାର୍ଯ୍ୟାଳୟ ଆଗରେ ମହିଳା କଂଗ୍ରେସ ଗଣଧାରଣାରେ ବସିଥିଲେ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ସ୍ଥିତି ସେବାଶ୍ରମ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ହୋଇଛି । ବିଭିନ୍ନ ରାଜନୀତିକ ଦଳ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ଦେଖିବାକୁ ମିଳୁଛି । ବିଦ୍ୟାଳୟ କର୍ତୃପକ୍ଷ ଛାତ୍ରୀ ଜଣକ ପ୍ରସବ କରିବା ଘଟଣା ଜାଣିବା ପରେ ତାକୁ ବିଦ୍ୟାଳୟରୁ ତଡ଼ିଦେବା ଘଟଣାକୁ ଗଂଜାମ ଜିଲ୍ଲା ମହିଳା କଂଗ୍ରେସ୍ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଏଭଳି ଅନେକ ଘଟଣା ଘଟୁଥିବା ବେଳେ ବିଶେଷକରି ଆଦିବାସୀ,ହରିଜନ ଆବାସିକ ବିଦ୍ୟାଳୟ ଗୁଡ଼ିକରେ ବାରମ୍ବାର ଏଭଳି ଘଟଣା ଘଟୁଛି । ରାଜ୍ୟ ସରକାର ଏଦିଗରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ନାହିଁ ବୋଲି ମହିଳା କଂଗ୍ରେସ୍ ଅଭିଯୋଗ କରିଛି । ଏଥିପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚିବ ମଧ୍ୟ ଦାୟୀ ବୋଲି କୁହାଯାଇଛି । କେବଳ ଲୋକଦେଖାଣିଆ ଭାବେ ଘଟଣାରେ ତଳିଆ କର୍ମଚାରୀ ମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ କିଛି କର୍ମଚାରୀଙ୍କୁ କାର୍ଯ୍ୟରୁ ବିଚ୍ୟୁତ କରାଯାଇଛି । କିନ୍ତୁ କୌଣସି ଉଚ୍ଚ କର୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ତୁରନ୍ତ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କୁ ତୁରନ୍ତ ବହିଷ୍କାର ପାଇଁ ଜିଲ୍ଲା କଂଗ୍ରେସ ଦାବି କରିଛି । ଏଥିସହ ଉଭୟ ବିଭାଗର ସଚିବଙ୍କୁ ମଧ୍ୟ ବହିଷ୍କାର ଏବଂ ପୀଡ଼ିତା ଛାତ୍ରୀର ସମସ୍ତ ଦାୟୀତ୍ୱ ସରକାର ଗ୍ରହଣ କରି ତୁରନ୍ତ କ୍ଷତିପୂରଣ ବାବଦକୁ ୧୫ ଲକ୍ଷ ଟଙ୍କା ପ୍ରଦାନ ଓ ଭବିଷ୍ୟତ ଜୀବନର ଭରଣପୋଷଣ ଓ ଥଇଥାନ ବ୍ୟବସ୍ଥା କରିବା ପାଇଁ ଦାବି କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯକ୍ରମରେ ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ୍ ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ, ଜିଲ୍ଲା ସଭାପତି ଡ଼. ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଭୋକାଲି ସେଠି, ପ୍ରତିମା ମିଶ୍ର, ରାଜେଶ୍ୱରୀ ସୁବୁଳ, ଗୀତା ରାଓ, ସୁପ୍ରିୟା ପାତ୍ର, ସୁଜ୍ଞାନୀ ପଟ୍ଟନାୟକ, ଜୋଛନା ପାତ୍ର, ବବି ପ୍ରଧାନ, ମେନକା ରେଡ୍ଡୀ, ରଞ୍ଜୁ ବେହେରା, ନଗର ସଭାପତି ପ୍ରମୋଦ ଜେନା, ନିରଞ୍ଜନ ପାଣିଗ୍ରାହୀ, ସୁଧୀର ବିଶ୍ୱାଳ, ରାମା ରାଓ, ରବୀନ୍ଦ୍ର କୁମାର ଦେଓ, ଲଲାଟେନ୍ଦୁ ପାଢ଼ୀ, ସୁରେନ୍ଦ୍ର ବେହେରାଙ୍କ ସମେତ ବହୁ ମହିଳା କାର୍ଯ୍ୟକର୍ତ୍ତା ମଧ୍ୟ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




