ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଭଙ୍ଗାରୁଜା, ଏସ୍‌ପିଙ୍କ ଘରକୁ ଟେକାମାଡ଼

ପୁରୀ: ପୁରୀ ବନ୍ଦ ବେଳେ ଉତ୍ତେଜନା ଦେଖାଯାଇଛି। ଶ୍ରୀଜଗନ୍ନାଥ ସେନାର କର୍ମୀମାନେ ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ପଶି ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। ଘର ପରିସରରେ ଥିବା ଫୁଲକୁଣ୍ଡ ବି ଭଙ୍ଗାରୁଜା କରିଛନ୍ତି।ଏହାସହ ସେମାନେ ପୁରୀ ଏସ୍‌ପିଙ୍କ ବାସଭବନ ଉପରକୁ ଟେକାମାଡ଼ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।ଆନ୍ଦୋଳନକାରୀମାନେ ଧାଡ଼ି ଦର୍ଶନ ପାଇଁ କରାଯାଇଥିବା ବ୍ୟାରିକେଡ୍‌ ଭାଙ୍ଗିବା ସହ ଟାୟାର ଜାଳି ବଡ଼ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହ ସେମାନେ ଟାଉନ୍‌ ଥାନା ଆଗରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଆଜି ପୁରୀ ବନ୍ଦ ପାଳନ କରାଯାଉଛି। ବନ୍ଦ ପ୍ରଭାବରେ ସହରରେ ଦୋକାନବଜାର ସହ ସମସ୍ତ ସ୍କୁଲ୍‌ ଓ କଲେଜ୍‌ ବନ୍ଦ ରହିଛି।ଆନ୍ଦୋଳନ ଯୋଗୁଁ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି।ପୁରୀ ବନ୍ଦ ଡାକରା ଦେଇଥିବା ସାମାଜିକ ସଂଗଠନ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଘରୁ ଉଠାଇ ନେଇଛି ପୁଲିସ୍‌।ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିଦଦର୍ଶନ ପଟ୍ଟନାୟକଙ୍କୁ ପୁଲିସ୍ ଅଟକ ରଖିଛି। ଏଥିଯୋଗୁଁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିବା ଧାଡ଼ି ଦର୍ଶନକୁ  ଭକ୍ତ, ସବାୟତ ଓ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି।