




ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗତ ଗୁରୁବାର ଦିନ ସକାଳେ ୭.୧୫ ମିନିଟ୍ ସମୟରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ବଡକଳାକୋଟ ପଞ୍ଚାୟତ ଅନ୍ତର୍ଗତ କୁଲଙ୍ଗ ଗ୍ରାମରେ ନିକଟସ୍ଥ ମୁଞ୍ଜଲିନ ପାହାଡର ମାଟି ଅତଡା ଧସିଯିବା ଫଳରେ ସେଠାରେ ଥିବା ୨୧ଟି ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ମାଟି-ଅତଡାରେ ମିଶି ଯାଇଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଘଟଣାରେ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ନିରାଶ୍ରୟ ତଥା ବିପନ୍ନ ହୋଇ ପଡିଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଘଟଣା କିଭଳି ହେଲା, ବିପନ୍ନ କ୍ଷତିଗ୍ରସ୍ତ ଲୋକେ କେଉଁଠି ଏବଂ କିଭଳି ରହୁଛନ୍ତି, ସରକାରୀ ସୁବିଧା ବ୍ୟବସ୍ଥା କେମିତି ଚାଲିଛି, ଏ ସବୁର ଅନୁଧ୍ୟାନ କରିବା ପାଇଁ ଶୁକ୍ରବାର ଦିନ ଓଡିଶା ରାଜ୍ୟ ଅନୁସୂଚିତ ଜାତି-ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ସମ୍ପୃକ୍ତ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ମନ୍ତ୍ରୀ ସାରକାଙ୍କ ସହିତ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧ୍ୟକ୍ଷ ସୁଧୀର କୁମାର ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ବିଡ଼ିଓ ନଟବର ଗରଡ଼, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ସଭାନେତ୍ରୀ ସଂଯୁକ୍ତା ବେହେରା ଏବଂ ପାରଳାଖେମୁଣ୍ଡି ପ୍ୟାଲେସର ରାଜକୁମାରୀ କଲ୍ୟାଣୀ ଗଜପତି ପ୍ରମୁଖ ଘଟଣା ସ୍ଥଳ ଗ୍ରସ୍ତ କରିଥିଲେ । ମନ୍ତ୍ରୀ ସାରକା କ୍ଷତିଗ୍ରସ୍ତ ବିପନ୍ନ ପରିବାରଙ୍କୁ ସାକ୍ଷାତ କରି ସାନ୍ତ୍ୱନା ଦେବା ସହ ଧର୍ଯ୍ୟହରା ନ ହେବାକୁ କହିଥିଲେ । ସମସ୍ତ ଘଟଣା ଅଞ୍ଚଳ ଓ ଭାଙ୍ଗି ଯାଇଥିବା ଘର ସବୁ ବୁଲିଦେଖି ଆଶ୍ଚର୍ଯ୍ୟ ହୋଇପଡି ଏତେ ବଡ଼ ପ୍ରାକୃତିକ ବିପର୍ଯ୍ୟୟରେ ଭଗବାନ ହିଁ ସେମାନଙ୍କ ସମସ୍ତ ଜୀବନ ବଞ୍ଚାଇ ଦେଇଛନ୍ତି ବୋଲି କହିଥିଲେ । ପରେ କ୍ଷତିଗ୍ରସ୍ତ ବିପନ୍ନଙ୍କ ଅସ୍ଥାୟୀ ଭାବେ ଥଇଥାନ କରାଯାଇଥିବା ଚର୍ଚ୍ଚ ପରିସର ପରିଦର୍ଶନ କରିବା ସହ ସେଠାରେ କ୍ଷତିଗ୍ରସ୍ତ ବିପନ୍ନଙ୍କ ସହ ଆୟୋଜିତ ଏକ ସାକ୍ଷାତ ତଥା ସାନ୍ତ୍ୱନା ଓ ଗୃହନିର୍ମାଣର କାର୍ଯ୍ୟାଦେଶ ବଣ୍ଟନ ସଭାରେ ଯୋଗ ଦେଇଥିଲେ । ମନ୍ତ୍ରୀ ସାରକା କହିଥିଲେ ଯେ, ଲଗାଣ ବର୍ଷାରେ ପାହାଡ଼ ମାଟି-ଅତଡା ଧସି ଅଞ୍ଚଳବାସୀଙ୍କ ଯେଉଁସବୁ ଘରଭାଙ୍ଗି ଧନ ସମ୍ପତ୍ତି ସବୁ ମାଟିରେ ମିଶିଯାଇଛି ତାହା ଅତ୍ୟନ୍ତ ଦୁଃଖ-ଦାୟକ ।ଏଠାରେ ୩୫ ଘର ଥିବା ବେଳେ ୨୧ ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶି ଯାଇଛି । ସେହି ୨୧ ଘର ପରିବାରଙ୍କୁ ସରକାରଙ୍କ ରିଲିଫ କୋଡ଼ ଅନୁସାରେ ଆଜି ସେମାନଙ୍କୁ ବିଜୁ ପକ୍କା ଘର ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଲୁ । ଅନ୍ୟ ଯାହା କ୍ଷୟକ୍ଷତି ଆକଳନ ହେବ ସେ ସବୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ଅନ୍ୟ ପକ୍ଷରେ ବିଜେଡି ଦଳୀୟ ପକ୍ଷରୁ ମଧ୍ୟ ବିଭିନ୍ନ ସାମଗ୍ରୀ ସାହାଯ୍ୟ ବ୍ୟବସ୍ଥା କରାଯାଇଛି । ଏଭଳି କ୍ଷେତ୍ରରେ ସମସ୍ତେ କ୍ଷତିଗ୍ରସ୍ତ ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇବା ଦରକାର । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧର୍ଯ୍ୟର ସହିତ ଏହାର ମୁକାବିଲା କରିବା ପାଇଁ ମୁଁ ନିବେଦନ କରୁଛି ବୋଲି କହିଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା












