ମନ୍ଥରଗତିରେ ଚାଲିଛି (ଘୋଡାହାଡ କ୍ରୋକଡାଇଲ୍ ୱାଚ୍ ସେଣ୍ଟର୍) କୁମ୍ଭୀର ନିରୀକ୍ଷଣ କେନ୍ଦ୍ର…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଖମ୍ବାରୀଗାଁ ସ୍ଥିତ ଘୋଡାହାଡ ଜଳଭଣ୍ଡାର ଉପରଭାଗରେ ସମ୍ପ୍ରତ୍ତି କୁମ୍ଭୀର ସୁରକ୍ଷା ପାଇଁ କୁମ୍ଭୀର ନିରୀକ୍ଷଣ କେନ୍ଦ୍ର (କ୍ରୋକୋଡାଇଲ୍ ୱାଚେ ସେଣ୍ଟର୍) ନିର୍ମାଣ ଚାଲିଛି । କମ୍ପେନସେଟର୍ ଏଫୋରେଷ୍ଟସନ୍ ଫଣ୍ଡ୍ ମୟାନେଜମେଣ୍ଟ୍ ଆଣ୍ଡ୍ ପ୍ଲାନିଂ ଅଥରିଟି (ସିଏଏମ୍ପିଏ) ବା, ପ୍ରତିପୁରକ ବନୀକରଣ ନିଧି ପ୍ରବନ୍ଧକ ଏବଂ ଯୋଜନା ପ୍ରାଧିକରଣ ଆନୁକୂଲ୍ୟରେ ଏହି ୱାଚ୍ ସେଣ୍ଟର ନିର୍ମାଣ ଚାଲିଥିବା ଜଣାପଡିଛି । ହେଲେ ଗତ ୨୦୧୮ ମସିହା ସେପ୍ଟେମ୍ବର ମାସରୁ ଏହାର ଭାଉଚର୍ ହୋଇଯାଇଥିଲେ ହେଁ ଅଦ୍ୟାବିଧି ଶତ ପ୍ରତିଶତ କାର୍ଯ୍ୟ ଶେଷ ହୋଇନଥିବାରୁ କାର୍ଯ୍ୟକାରିତାକୁ ନେଇ ସନ୍ଦୀହାନ ସୃଷ୍ଟି କରୁଥିବା ନେଇ ସାଧାରଣରେ ସମାଲୋଚନା ଜୋର୍ ଧରିଛି । ପ୍ରକାଶ ଯେ, କମ୍ପେନସେଟର୍ ଏଫୋରେଷ୍ଟସନ୍ ଫଣ୍ଡ୍ ମୟାନେଜମେଣ୍ଟ୍ ଆଣ୍ଡ୍ ପ୍ଲାନିଂ ଅଥରିଟି (ସିଏଏମ୍ପିଏ) ବା କାମ୍ପା ଅନୁକୂଲ୍ୟରେ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କ୍ରୋକଡାଇଲ୍ ୱାଚ୍ ସେଣ୍ଟର ନିର୍ମାଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କାମ୍ପା ଯୋଜନାରେ ଅର୍ଥ ଅନୁମୋଦନ ହୋଇଥିବାରୁ ଏହାର ଟେଣ୍ଡର ନହୋଇ ବରଂ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ପର୍ଯ୍ୟାୟ କ୍ରମେ ଏହାର ଭାଉଚର୍ କରାଯାଇ ଗତ ସେପ୍ଟେମ୍ବର ମାସ ୨୦୧୮ରୁ ଘୋଡାହାଡ କ୍ରୋକଡାଇଲ୍ ୱାଚ୍ ସେଣ୍ଟର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଥିବା ନେଇ ବିଭାଗୀୟ କାଗଜାତରେ ଦର୍ଶାଯାଇଥିବା ବେଳେ ବାସ୍ତବରେ ଏହାର କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଥିବା ଦେଖିବାକୁ ମିଳିଛି । ଗୋଡାହାଡ ଜଳଭଣ୍ଡାରରେ ୫୯ଟି ଗୋମୁହାଁ ପ୍ରଜାତିର କୁମ୍ଭୀର ରହିଛି । କୁମ୍ଭୀରମାନେ ଜଳଭଣ୍ଡାରରେ ଚଳପ୍ରଚଳ ହେଉଥିବା ବେଳେ ମତ୍ସ୍ୟଜିବୀ ମାନେ ସର୍ବଦା ମାଛ ଓ ଚିଙ୍ଗୁଡି ଶୀକାର କରିବା ସକାଶେ ଜାଲଧରି ଡଙ୍ଗାରେ ଘୋଡାହାଡ ଡ୍ୟାମକୁ ଯାଇଥାନ୍ତି । କୁମ୍ଭୀର ସୁରକ୍ଷା ଓ ସେମାନଙ୍କ ବଂଶ ବୃଦ୍ଧି ଏବଂ ସେମାନଙ୍କ ଉପରେ ନିରୀକ୍ଷଣ କରିବା ସକାଶେ ସେଠାରେ ଏକ ୱାଚ୍ ସେଣ୍ଟର୍ ସ୍ଥାପନର ଆବଶ୍ୟକତୀକୁ ଭିତ୍ତି କରି ଏହାର କାର୍ଯ୍ୟାରମ୍ଭ କରାଯାଇଥିଲା । ହେଲେ ବିଭାଗୀୟ କାର୍ଯ୍ୟ ଜଣେ ଡେପୁଟି ରେଞ୍ଜର ଓ ଫରେଷ୍ଟରଙ୍କ ଦ୍ୱାରା ନ୍ୟସ୍ତ ରହିଥିବାରୁ ଏହି କାର୍ଯ୍ୟରେ ଏବେ ଅର୍ଥ ବାଟବଣା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅଧିକାର ନିୟମରେ ଉକ୍ତ କାର୍ଯ୍ୟ ଉପରେ କୌଣସି ମଧ୍ୟ ତଥ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ଦିଆଯାଉନଥିବା ବେଳେ ନିମ୍ନ ମାନର କାର୍ଯ୍ୟ କରାଯାଉଛି ବୋଲି ଅବସରପ୍ରାପ୍ତ ଫରେଷ୍ଟର ଅଶୋକ ମିଶ୍ର ପ୍ରେସ୍ ଇସ୍ତହାର ମାଧ୍ୟମରେ ଅଭିଯୋଗ ଜଣାଇଛନ୍ତି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଡେପୁଟି ରେଞ୍ଜରଙ୍କ କାର୍ଯ୍ୟକୁ ଘଣ୍ଟ ଘୋଡାଉଥିବାରୁ କେବଳ କାଗଜାତରେ ସମ୍ପୂର୍ଣ୍ଣ ହୋଇଯାଇଥିବା କ୍ରୋକଡାଇଲ୍ ୱାଚ୍ ସେଣ୍ଟର ବାସ୍ତବରେ ଶତପ୍ରତିଶତ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ସେ ଜଣାଇଛନ୍ତି । ଏନେଇ ରେଞ୍ଜର ପରମାନନ୍ଦ ପାଣିଗ୍ରାହୀଙ୍କୁ ପଚରାଯିବାରେ କହିଛନ୍ତି ଯେ, କ୍ରୋକଡାଇଲ୍ ୱାଚ୍ ସେଣ୍ଟରର ସମସ୍ତ କାର୍ଯ୍ୟ ଶେଷ ହୋଇଯାଇଛି ଅଳ୍ପ କେତେକାଂଶ ବାକି ରହିଛି ତାହା ଖୁବ୍ ଶୀଘ୍ର ଶେଷ କରିଦିଆଯିବ । ସେହିପରି ଅଭିଯୋଗର ବିଧିବଦ୍ଧ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଏଫ୍ଓ ଆଶିଷ କୁମାର ବେହେରା କହିଛନ୍ତି । ଅନ୍ୟପକ୍ଷରେ ଘୋଡାହାଡ କ୍ରୋକଡାଇଲ ୱାଚ୍ ସେଣ୍ଟରକୁ ଗଣମାଧ୍ୟମକୁ ନେଇ ଆର୍ସିସିଏଫ୍ ନିଜେ ଗସ୍ତ କରିଲେ ନିର୍ମାଣକାର୍ଯ୍ୟର ଗତିବିଧି ହୃଦବୋଧ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ପିପୁଲ୍ ଫର୍ ଆନିମଲ୍ ସଂସ୍ଥା (ପିଏଫ୍ଏ)ସ୍ୱେଚ୍ଛାସେବୀ ସମୀରକାନ୍ତ ତ୍ରିପାଠୀ, ଶୁଭମ୍ କୁମାର ସାହୁ, ତାରାପ୍ରସାଦ ଦାସ, ସୁଶାନ୍ତ ମହାଙ୍କୁଡ, ରିତେଶ ବେହେରା ପ୍ରମୁଖ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା