ମମତା ବାନାର୍ଜୀଙ୍କ ଆଚରଣ ଟ୍ରେଡ ୟୁନିୟନ ନେତାଙ୍କ ଭଳି:ଖାରବେଳ ସ୍ୱାଇଁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣା ଦେଇ ଯେପରି ଆଚରଣ କରିଛନ୍ତି ତାହା ଟ୍ରେଡ ୟୁନିୟନ ନେତାଙ୍କ ଭଳି ବୋଲି ଉକ୍ରଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ କହିଛନ୍ତି । କଲିକତାରେ ପୋଲିସ ଓ ସି.ବି.ଆ.ଇ. ଲଢ଼େଇ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପୃକ୍ତିକୁ ନେଇ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ସି.ବି.ଆଇ. ଅଫିସରମାନଙ୍କୁ ତାଙ୍କର କର୍ତବ୍ୟ କରାଇ ନଦେବା ଓ ରାଜ୍ୟ ପୋଲିସକୁ ଲଗାଇ ସେମାନଙ୍କୁ ଥାନାରେ ଅଟକ କରିରଖିବା ଭାରତ ବର୍ଷର ଇତିହାସରେ ଲିପିବଦ୍ଧ ହୋଇଯିବ ।ଓଡ଼ିଶାରେ ମଧ୍ୟ ଚି଼ଟଫଣ୍ଡ ଦୁର୍ନୀତିରେ ଏମ.ଏଲ.ଏ., ଏମ.ପି. ଓ ମନ୍ତ୍ରୀମାନେ ସମ୍ପୃକ୍ତ ଥିବାରୁ ଏଠାକାର ପୋଲିସ ସି.ବି.ଆଇ.କୁ ମଧ୍ୟ ପଶ୍ଚିମ ବଙ୍ଗ ପୋଲିସ ପରି ରୋକିପାରିବ । ରାଜ୍ୟମାନେ ଯଦି ସି.ବି.ଆଇ.କୁ ଏହିପରି ରୋକିବେ ତେବେ ସି.ବି.ଆଇ. ତଦନ୍ତ ହେବ କିପରି ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି । ଏଣୁ ମମତା ବାନାର୍ଜୀ ଓ ତାଙ୍କ ସରକାରର ମନ୍ତ୍ରୀ ତଥା ଅଧିକାରୀମାନେ ସମସ୍ତେ ନିର୍ଦ୍ଦୋଷ ଏପରି ନୁହେଁ । ଅତୀତରେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଏମାନେ ସମସ୍ତେ ଜେଲରେ ଥିଲେ । ଯଦି ବି ମମତା ବାନାର୍ଜୀ ଭାବୁଛନ୍ତି ଯେ, ସି.ବି.ଆଇ. ପକ୍ଷପାତିତା କରୁଛି ତେବେ ତାଙ୍କ ସରକାର ତତ୍କ୍ଷଣାତ୍ କଲିକତା ହାଇକୋର୍ଟ ବା ସୁପ୍ରିମ କୋର୍ଟକୁ ଯାଇ ଏପରି କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ରହିତାଦେଶ ଆଣିପାରିଥନ୍ତେ । ଘଟଣା ଘଟିବାର ଦିନ ରବିବାର ହୋଇଥିଲେ ମଧ୍ୟ ରତି ଅଧରେ ଅଦାଲତମାନେ ବସି ନିଷ୍ପତି ନେବାର ଅନେକ ଦୃଷ୍ଟାନ୍ତ ରହିଆସିଛି । କିନ୍ତୁ ତାହା ନକରି ରାଜ୍ୟ ପୋଲିସ ଲଗାଇ ସି.ବି.ଆଇ. ଅଫିସରଙ୍କୁ ରୋକିବା ଗଣତାନ୍ତ୍ରିକ ଭାରତ ବର୍ଷ ପାଇଁ ଏକ ନକାରାତ୍ମକ ସଂକେତ ଅଟେ । ଯଥାଶୀଘ୍ର ସୁପ୍ରିମ କୋର୍ଟ ଏହି ବ୍ୟାପାରରେ ହସ୍ତକ୍ଷେପ କରିବା ଉଚି଼ତ ଓ ମମତା ବାନାର୍ଜୀ ତଥା ତାଙ୍କ ସରକାରଙ୍କୁ କଠୋର ଭର୍ତ୍ସନା କରିବା ଦରକାର ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର