ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ମମିତାଙ୍କୁ ନ୍ୟାୟ ଦେବା ଦାବିରେ ଆଜି ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ହରତାଳ ପାଳନ କରାଯାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦିଆଯାଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା ଆର.ଉଦୟଗିରି, ରାୟଗଡ, ମୋହନା, ନୁଆଗଡ, ଗୋଷାଣୀ, କାଶୀନଗର, ଗୁମ୍ମା ଆଦି ଅଞ୍ଚଳରେ କଂଗ୍ରେସ ଦଳ ତରଫରୁ ହରତାଳ ପ୍ରଦର୍ଶନ କରାଯାଇ ମମିତାଙ୍କୁ ନ୍ୟାୟ ଦେବାରେ ସରକାରଙ୍କ ବିଫଳତା ଓ ଏଥିରେ ସଂପୃକ୍ତ ଗୃହ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ମମିତା ହତ୍ୟାକାଣ୍ଡର ସମସ୍ତ ପ୍ରମାଣକୁ ଉଦ୍ଦେଶ୍ୟ ମୁଲକ ଭାବେ ସରକାର ନଷ୍ଟ କରୁଥିବା ଆଦିର ପ୍ରତିବାଦ ଯଣାଇ କଂଗ୍ରେସ ଦଳ ତରଫରୁ ତୀବ୍ର ସମାଲୋଚନା କରାଯାଇଛି । ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ହାଇସ୍କୁଲ ଛକଠାରେ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗଙ୍କ ନେତୃତ୍ୱରେ ହରତାଳ ପ୍ରଦର୍ଶନ କରାଯାଇ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଜିଲ୍ଲା କଂଗ୍ରେସ ଯୁବ ସଭାପତି ସୂର୍ଯ୍ୟନାରାୟଣ ପାତ୍ର, ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଅଧିକାରୀ, ବସନ୍ତ କୁମାର ପଣ୍ଡା, କୃଷ୍ଣ କୁମାର ବେହେରା, ମୁନା ମହାରଣା ପ୍ରମୁଖଙ୍କ ସହ ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ । ସେହିଭଳି ଗୁମା ବ୍ଲକରେ ମଧ୍ୟ ବନ୍ଦ ପାଳନ କରାଯାଇଥିଲା । ପୂର୍ବତନ ଗୁମା ବ୍ଲକ ଉପାଧ୍ୟକ୍ଷ ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଦସ୍ୟ ବେର୍ନିକ ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ତଥା ଗୁମା ବ୍ଲକ ଅଧ୍ୟକ୍ଷ ଗୀତାଞ୍ଜଳି ଭୁଂୟ।, ବ୍ଲକ ସଭାପତି ଲଳିତ ମହନ ଦଣ୍ଡସେନା ପ୍ରମୁଖ ଯୋଗ ଦେଇ ହରତାଳ ସଫଳ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା