ମରଣମୁହଁରୁ ୮ ପିଲାଙ୍କୁ ବଞ୍ଚାଇବା ଘଟଣା : ପୁରସ୍କୃତ କଲେ ପୋଲିସ କମିଶନର

ଭୁବନେଶ୍ୱର(ଆକାଶ ମିଶ୍ର) : କର୍ମର ଫଳ ମିଳିଲା । ସାବାସୀ ଦେଲେ ନିଜେ ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଏହା ସହ ପୁରସ୍କୃତ ମଧ୍ୟ କଲେ । ପେଟ୍ରୋଲିଂ ସମୟରେ ନିଜ ଜୀବନ କୁ ବାଜି ଲଗାଇ ଦୁର୍ଘଟଣାଗସ୍ତ ୮ ନିରୀହ ଛାତ୍ରଛାତ୍ରୀ ଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବା କମିଶନରେଟ ପୋଲିସ ର ପିସିଆର ନମ୍ବର ୧୬ ର କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି କମିଶନର । ଆଗକୁ ଏହି ଭଳି କାର୍ଯ୍ୟ ବଜାୟ ରଖିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।ସୂଚନାଯୋଗ୍ୟ ଗତ ମଙ୍ଗଳବାର ବରମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିର ସ୍କୁଲ ଛୁଟି ହେବା ପରେ ଏକ ଅଟୋ ରେ ଡ୍ରାଇଭର ଜଣଙ୍କ ୮ ଜଣ ଛାତ୍ରଛାତ୍ରୀ ଙ୍କୁ ବସାଇ ନାକଗେଟ ଅଭିମୁଖେ ଯାଉଥିଲା । ଏହି ସମୟରେ ଭରତପୁର ଠାରେ ଥିବା ଏକ ରାସ୍ତା କଡ ମଦ ଦୋକାନ ରେ ପ୍ରଚୁର ମଦ ପିଇ ଆଉ ଜଣେ ଅଟୋ ଡ୍ରାଇଭର ଗାଡି ଷ୍ଟାର୍ଟ କରିଥିଲେ । ମଦ ଦୋକାନ ସମ୍ମୁଖରେ ଅଟୋ କୁ ଘୁରାଇବା ସହ ଷ୍ଟଣ୍ଟ ଦେଖାଇଥିଲେ । ରାସ୍ତା ଯାଉଥିବା ଲୋକଙ୍କୁ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିଥିଲେ । ସବୁ ଡ୍ରାମା ସାରିବା ପରେ ସେଠାରୁ ଆସିଥିଲେ । ୫୦୦ ମିଟର ରାସ୍ତା ନିଶାସକ୍ତ ଅବସ୍ଥାରେ ଅତିକ୍ରମ କରିବା ମଦୁଆ ଡ୍ରାଇଭର ଜଣଙ୍କ ସ୍କୁଲ ରୁ ଫେରୁଥିବା ଅଟୋ କୁ ସାଇଡ ମାରିଥିଲେ । ଫଳରେ ଭାରସାମ୍ୟ ହରାଇ ଅଟୋ ଟି ସେହିଠାରେ ଲେଉଟି ପଡିଥିଲା ।କିନ୍ତୁ ସେହି ସମୟରେ ଦେବଦୂତ ସାଜିଥିଲେ ପିସିଆର ୧୬ ର କର୍ମଚାରୀ । ଦୁର୍ଘଟଣା ଘଟିବା ର କିଛି ସେକେଣ୍ଡ ମଧ୍ୟରେ ପୋଲିସ କର୍ମଚାରୀ ମାନେ ସେଠାରେ ପହଞ୍ଚି ବେଶ ତତ୍ପରତା ର ସହ ଛୋଟ ଛୋଟ ପିଲା ମାନଙ୍କୁ ଉଦ୍ଧାର କରିଥିଲେ । ରାସ୍ତା କଡରେ ଥିବା ବିଲ ଭିତରେ ପଶି ପିଲାଙ୍କୁ ମରଣ ମୁହଁ ରୁ ବାହାର କରୁଥିବା ଦେଖାଯାଇଥିଲା । ପରେ ପିସିଆର ଯୋଗେ ନିକଟସ୍ଥ ଏକ ବେସରକାରୀ ହସ୍ପିଟାଲ ରେ ପିଲାମାନଙ୍କୁ ଭର୍ତ୍ତି କରିଥିଲେ ଏହି ପିସିଆର କର୍ମଚାରୀ ମାନେ । ସ୍ଥାନୀୟ ଲୋକେ ପୋଲିସ କର୍ମଚାରୀ ଙ୍କୁ ସାବାସୀ ଦେବା ସହ ତାଙ୍କୁ ଦେବଦୂତ ସହ ତୁଳନା କରିଥିଲେ ।