ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଦିବାସୀ ଅଧ୍ୟୁସିତ ରାଇବଣିଆର ଶ୍ରୀରାମପୁର ପଞ୍ଚାୟତରେ ପ୍ରାୟ୨୦ବର୍ଷ ପୂର୍ବରୁ ଏକ ପ୍ରାଣୀଧନ ସହାୟକ କେନ୍ଦ୍ର ମାଳିପାଳ ଠାରେ ନିର୍ମାଣ କରାଯାଇଥିଲା । ଦୀର୍ଘବର୍ଷ ଧରି ତାର ମରାମତି ହେଉ ନ ଥିବାରୁ ଏବଂ ନିକଟରେ ବାଉଁଶବୁଦା, ଖାଲୁଆ ସ୍ଥାନ, ପ୍ରଶାସନିକ ଉଦାସୀନତା ଯୋଗୁଁ ତାହା ଧରାଶାୟୀ ହେବାକୁ ବସିଛି । ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ବହୁଳ ଭାବେ ଗୋରୁ, ଗାଈ, ଛେଳି, ଘୁଷୁରୀ, ମେଣ୍ଡା, କୁକୁଡା, ବତକ ଇତ୍ୟାଦି ପାଳନ ସହିତ ଅଧିକ କ୍ଷୀର ଉତ୍ପାଦନ ଲାଗି ଦୁଧିଆଳୀ ଗାଈ ପାଳନ ଲାଗି ଏହି ସହାୟକ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । କିନ୍ତୁ ଦୀର୍ଘଦିନ ବ୍ୟବଧାନ ପରେ ଅଳ୍ପ ଦିନ ପୂର୍ବରୁ ଜଣେ ପ୍ରାଣୀଧନ ନିରିକ୍ଷକ ନିଯୁକ୍ତି ପାଇଥିବା ବେଳେ ଘରର କବାଟ ଝରକା ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ନିକଟରେ ପିଇବା ପାଣି, ଶୌଚାଳୟ, ସହାୟକ କେନ୍ଦ୍ରକୁ ସଂଯୋଗୀକରଣ ରାସ୍ତା ନଥିବା ବେଳେ ନିକଟରେ ୪ଟି ବିଦ୍ୟୁତ୍ ଟ୍ରାନ୍ସଫରମର ବିପଦ ସଂକଳ ଅବସ୍ଥାରେ ରହିଥିବାରୁ କର୍ମଚାରୀ, ଗ୍ରାମବାସୀ ମାନେ ସେଠାକୁ ଯିବାକୁ ଅସୁରକ୍ଷିତ ମଣୁଛନ୍ତି । ଫଳରେ ସଠିକ ଭାବେ ପଶୁପକ୍ଷୀମାନଙ୍କର ଚିକିତ୍ସା କରାଯାଇ ପାରୁନାହିଁ । ଏପରିକି ଛାତରୁ ପାଣି ଗଳିବା, କାନ୍ଥରେ ଫାଟ ସୃଷ୍ଟି ହେବା, ଘରର ଚଟାଣ ଫାଟି ଦବି ଯାଇଥିବାରୁ କେଉଁ ମୁହୁର୍ତ୍ତରେ ଯେ ଘରଟି ଭୁଷୁଡି ପଡିବ ତାହା କହିବା ମୁସ୍କିଲ । ତେଣୁ ଯଥାଶୀଘ୍ର ଏହି ପ୍ରାଣୀଧନ ସହାୟକ କେନ୍ଦ୍ରକୁ ସବୁଦିନିଆ ରାସ୍ତା ସହିତ ଘରର ମରାମତି କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା