ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହଙ୍ଗା ପଡ଼ିଲା ପ୍ରେସ୍ମିଟ୍ । ଢାବାରେ ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁ ମାମଲାରେ ବାଲିଆପାଳ ଆଇଆଇସିଙ୍କୁ ମାଡ଼ ପ୍ରତିବାଦରେ କାର୍ଯ୍ୟରତ ପୋଲିସ ଅଧିକାରୀମାନଙ୍କର ସୁରକ୍ଷା ଦାବି କରି ସାମ୍ବାଦିକ ସମ୍ମିଳନୀ କରିଥିବା ପୋଲିସ ଅଫିସର୍ସ ସଂଘ ସଭାପତି ତଥା ପୋଲିସ କମିସନରେଟ୍ ମୁଖ୍ୟାଳୟ ଏସିପି ସତ୍ୟଜିତ ମିଶ୍ର ନିଲମ୍ବିତ ହୋଇଛନ୍ତି । ‘ସର୍ଭିସ କୋଡ୍’ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ବାଲିଆପାଳ ଥାନା ଇନ୍ସପେକ୍ଟରଙ୍କୁ ମାଡ଼ ଘଟଣାକୁ ନିନ୍ଦା କରିବା ସହ ଅନେକ ସମୟରେ ପୋଲିସ ଅଧିକାରୀମାନେ ଭିଡ଼ ନିୟନ୍ତ୍ରଣ ବା ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କଲା ବେଳେ ମାଡ଼ ଖାଉଥିବା ଦେଖାଯାଉଛି । ଏଣୁ ସେମାନଙ୍କୁ ସୁରକ୍ଷା ଦିଆଯାଉ ବୋଲି ଅଫିସର୍ସ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ଶ୍ରୀ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି ଆଧାରରେ ଗତକାଲି ତାଙ୍କୁ ନିଲମ୍ବିତ କରାଯାଇଛି ।
ରିପୋର୍ଟ : ଆକାଶ ମିଶ୍ର