ମହାନଦୀରେ ବେଆଇନ୍ ନିର୍ମାଣ ବନ୍ଦ,କଲମା ବ୍ୟାରେଜରୁ ପାଣି ଛାଡ଼ିବା ଦାବୀରେ ସମାଜବାଦୀ ପାର୍ଟିର ବିକ୍ଷୋଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହାନଦୀ ଟ୍ରିବୁନାଲର ଦ୍ୱିତୀୟ ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ମହାନଦୀ ଉପର ମୁଣ୍ଡରେ ପରିବେଶ ଆଇନ୍କୁ ଉଲଘଂନ କରି ଛତିଶଗଡ଼ ସରକାର ଦୀର୍ଘ ୧୦ବର୍ଷ ଧରି ନିର୍ମାଣ କରୁଥିବା ସମସ୍ତ ବ୍ୟାରେଜ / ଡ଼୍ୟାମକୁ ବନ୍ଦ କରିବା, ଅଣମୌସୁମୀ ଋତୁରେ ମହାନଦୀକୁ କଲମା ବ୍ୟାରେଜରୁ ପାଣି ଛାଡ଼ିବା ଦାବୀରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଂଟିନ ଛକଠାରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଦାବୀ କରାଯାଇଛି ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା । ରାଜ୍ୟର ୧୫ଟି ଜିଲ୍ଲାର ୩ କୋଟି ଲୋକଙ୍କର ଜୀବନ ଜୀବିକା, ପାନୀୟ ଜଳ ଯୋଗାଣ, ଚାଷବାସ, ବିଦ୍ୟୁତ୍ ଉତ୍ପାଦନ ମହାନଦୀ ପାଣି ଉପରେ ନିର୍ଭର କରେ । ଏହା ବ୍ୟତୀତ ସାତକୋଶିଆ ଅଭୟାରଣ୍ୟ, ଚିଲିକା ଜୈବମଣ୍ଡଳ ମଧ୍ୟ ମହାନଦୀ ପାଣି ଉପରେ ନିର୍ଭରଶୀଳ । ଛତିଶଗଡ଼ ସରକାର ଓ କେନ୍ଦ୍ରୀୟ ଜଳ ଆୟୋଗ ୧୯୫୬ ଆନ୍ତଃ ରାଜ୍ୟ ଜଳ ବିବାଦ ଆଇନ୍କୁ ଅଣଦେଖା କରି ଓଡ଼ିଶାକୁ ମହାନଦୀ ପାଣିରୁ ବଂଚିତ କରିଛନ୍ତି ।୨୦୦୪-୦୫ ମସିହା ଠାରୁ ନିର୍ମାଣ କରାଯାଉଥିବା ଡ୍ୟାମ୍ ଓ ବ୍ୟାରେଜ ଯୋଗୁଁ କ୍ରମାଗତ ଭାବରେ ଓଡ଼ିଶାକୁ ମହାନଦୀର ଜଳ ପ୍ରବାହ କମିବାରେ ଲାଗିଛି । ଗତବର୍ଷ ମେ-ଜୁନ୍ ମାସରେ ଜଳପ୍ରବାହ ଶତକଡ଼ା ୭୮ ଭାଗ କମିବାରେ ଦେଖାଦେଇଛି । ଏହି ଧାରା ଯଦି ଅବ୍ୟାହତ ରହେ, ତାହା ହେଲେ ଦିନେ ମହାନଦୀ ଏକ ମରୁନଦୀ ଓ ହୀରାକୁଦ ଜଳଭଣ୍ଡାର ଏକ ଶୁଷ୍କ ଜଳଭଣ୍ଡାରରେ ପରିଣତ ହେବ ଓ ସମଗ୍ର ଓଡ଼ିଶା ମରୁଭୂମି ପାଲଟିଯିବ । ତେଣୁ ମହାନଦୀ ଟ୍ରିବୁନାଲ ଓଡ଼ିଶାର ସ୍ୱାର୍ଥ ପାଇଁ ଛତିଶଗଡ଼ ସରକାରଙ୍କ ଦ୍ୱାରା ବେଆଇନ୍ ଭାବରେ ନିର୍ମାଣ କରାଯାଉଥିବା ସମସ୍ତ ପ୍ରକଳ୍ପ ଉପରେ ରୋକ୍ ଲଗାଇବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି । ସେହିଭଳି ଅଣମୌସୁମୀ ଋତୁରେ ମହାନଦୀରେ ଜଳ ପ୍ରବାହ କଲମା ବ୍ୟାରେଜ୍ ଗେଟ୍ ଖୋଲି ଅବ୍ୟାହତ ରଖିବାକୁ ଦଳ ପକ୍ଷରୁ ଆଜିର ବିକ୍ଷୋଭରେ ମାନ୍ୟବର ଟ୍ରିବୁନାଲଙ୍କୁ ଅପିଲ୍ କରାଯାଇଛି । ରିପୋର୍ଟ : ଆକାଶ ମିଶ୍ର