ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ପ୍ରଣାମ ମହାନଦୀ କାର୍ଯ୍ୟକ୍ରମ ଆଜି କଟକ ସ୍ଥିତ ଯୋବ୍ରାଠାରେ ମହାନଦୀକୂଳରେ ଅନୁଷ୍ଠିତ ହୋଇଯାଇଛି । ମହାନଦୀର ସୁରକ୍ଷା ପାଇଁ ସମାଜର ସବୁ ବର୍ଗକୁ ସାମିଲ କରିବାର ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କଟକର ବିଧାୟକ ମହମ୍ମଦ ମୋବିମ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସମୁଦ୍ର ବୁଢାଳି ସବିର ଏବଂ ତାଙ୍କର ସାଥିମାନେ ମହାନଦୀ ପାଣିରୁ ଆବର୍ଜନା ସଂଗ୍ରହ କରି ନଦୀ ସଫେଇ କାର୍ଯ୍ୟକ୍ରମ କରିଛନ୍ତି । ବ୍ରହ୍ମପୁର ସ୍ଥିତ ଆର୍ଯ୍ୟଭଟ ଫାଉଣ୍ଡେସନର ସଭାପତି ପ୍ରଫେସର ସୁଧୀର ରାଉତଙ୍କ ନେତୃତ୍ୱରେ ସ୍ଵେଛାସେବୀମାନେ ମହାନଦୀ ସୁରକ୍ଷା ପାଇଁ ଗଛ ଲଗାଇବା ଏବଂ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବାର ସନ୍ଦେହ ନେଇ ଏକ ପଦଯାତ୍ରାରେ କଟକ ରେଳ ଷ୍ଟେସନରୁ ଆସିଥିଲେ । ଶୋଭନୀୟ ଶିକ୍ଷାଶ୍ରମ କଟକର ଛାତ୍ରଛାତ୍ରୀମାନେ ଡ଼. ବନଲତା ଦେବୀଙ୍କ ନେତୃତ୍ୱରେ ମହାନଦୀର ସୁରକ୍ଷା ପାଇଁ ଶୋଭାଯାତ୍ରା କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରିଥିଲେ । ଏହି ଅବସରରେ ଏକ ସଭା ମଧ୍ୟ ଅନୁଷ୍ଠିତ କରାଯାଇଥିଲା । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଏବଂ ସଂଯୋଜକ ବିଜୟ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସର୍ବଶ୍ରୀ ନିରାକାର ବେଉରିଆ, ପ୍ରଣବ ପାଣି, ଡ଼ଃ ସୁଧୀର ରାଉତ, ଦୁର୍ଗା ସାମନ୍ତରାୟ, ପ୍ରସନ୍ନ ବିଶୋଇ, ବିଜୟ ମଲ୍ଲ, ଗିରିଵାଳା ବେହେରା, ଡ଼ଃ ବନଲତା ଦେବୀ, ବିଜେନ୍ଦ୍ର ସୁତାର, ଭିକାରି ଚରଣ ଦାସ, ଟି. ବି. ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ମହାନଦୀ ପ୍ରଣାମ କାର୍ଯ୍ୟକ୍ରମକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆୟୋଜିତ କରାଯିବ । ବରଗଡ଼ର ମୁଖାଗୁଡାଠୁ ଆରମ୍ଭ କରି ପାରାଦ୍ବୀପ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ଥାନରେ ଏହା ଆୟୋଜିତ ହେବ ବୋଲି ଏହାର ଆବାହକ ସୁଜବନ ଦାସ ନେଇଛନ୍ତି । ସଂପ୍ରତି ମହାନଦୀ ଏକ ସଙ୍କଟ ଭିତରକୁ ଠେଲି ହୋଇଯାଇଛି । ଛତିଶଗଡ଼ରେ ୨୩୬୫ଟି ପ୍ରକଳ୍ପ ଶେଷ ହୋଇଛି ଏବଂ ଆହୁରି ୧୮୦୨ଟି ପ୍ରକଳ୍ପର କାର୍ଯ୍ୟ ନିର୍ମାଣାଧୀନ ରହିଛି । ଏହି ସବୁ ପ୍ରକଳ୍ପଗୁଡିକ ଯଦି କାର୍ଯ୍ୟକ୍ଷମ ହୁଏ ତେବେ ମହାନଦୀ ତୁଟି ଯିବାର ଆଶଙ୍କା ସୃଷ୍ଟି ହୋଇଛି । ସେହି ଗଭୀର ସଙ୍କଟରୁ ମହାନଦୀକୁ ମୁକ୍ତ କରିବା ପାଇଁ ସରକାର ଏବଂ ସାମାଜିକ ଅନୁଷ୍ଠାନ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ