ବିଶାଖାପାଟଣା (ସମୃଦ୍ଧ ଓଡିଶା) ଆନ୍ଧ୍ର ପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଅଜବ ବୟାନ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ସେ କହିଛନ୍ତି, ଟେଷ୍ଟ୍ୟୁ ବେବି ଏବଂ ମିସାଇଲ୍ର ବ୍ୟବହାର ଦେଶରେ ହଜାର ହଜାର ବର୍ଷ ତଳୁ ଆରମ୍ଭ ହୋଇଥିଲା । ଏହାକୁ ପ୍ରମାଣିତ କରିବା ପାଇଁ ସେ ରାମାୟଣ ଓ ମହାଭାରତର ଉଦାହରଣ ମଧ୍ୟ ଦେଇଛନ୍ତି । ଇଣ୍ଡିଆନ୍ ସାଇନ୍ସ କଂଗ୍ରେସରେ ଉଦ୍ବୋଧନ ଦେଇ କୁଳପତି ଜି ନାଗେଶ୍ୱର ରାଓ କହିଛନ୍ତି “ ଆମେ ଗୋଟିଏ ମା’ଠାରୁ ଶହଶହ କୌରବ ପାଇଥିଲୁ । ଏହା କେବଳ ଷ୍ଟିମ ଶେଲ ରିସର୍ଚ୍ଚ ଓ ଟେଷ୍ଟ୍ୟୁ ବେବି ପ୍ରଣାଳୀ ଯୋଗୁ ସମ୍ଭବ ହୋଇପାରିଥିଲା । ଏହା ହଜାରେ ବର୍ଷ ତଳେ ଆରମ୍ଭ ହୋଇଥିଲା । ଏହା ଏକ ବିଜ୍ଞାନ ଭିତ୍ତିକ କାର୍ଯ୍ୟ ଥିଲା ।” ସେ ଆହୁରି କହିଥିଲେ “ଭଗବାନ ରାମ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତ୍ରୁପକ୍ଷଙ୍କୁ ଆକ୍ରମଣ କରିବା ପରେ ପୁଣିଥରେ ତାଙ୍କ ପାଖକୁ ଫେରି ଆସୁଥିଲା । ଏହା ମିସାଇଲ୍ ନିୟନ୍ତ୍ରଣ ପ୍ରକ୍ରିୟା ଯୋଗୁ ସମ୍ଭବ ହୋଇପାରିଥିଲା । ତେଣୁ ହଜାରେ ବର୍ଷ ପୂର୍ବରେ ମଧ୍ୟ ବିଜ୍ଞାନର ପ୍ରଚଳନ ହେଉଥିଲା । ରାବଣ ୨୪ ପ୍ରକାରର ବିମାନ ବ୍ୟବହାର କରୁଥିଲେ । ଏହାର ଆକାର ଓ କ୍ଷମତା ଭିନ୍ନଭିନ୍ନ ଥିଲା । ଏଥିପାଇଁ ରାବଣ ଶ୍ରୀଲଙ୍କାରେ ଏକାଧିକ ବିମାନବନ୍ଦର ମଧ୍ୟ ନିର୍ମାଣ କରିଥିଲେ ।” ଏହାକୁ ନେଇ ଏବେ ସାରା ଦେଶରେ ଆଲୋଚନା ଆରମ୍ଭ ହୋଇଛି ।
ରିପୋର୍ଟ : ପ୍ରତାପ କୁମାର ପାଢ଼ୀ