ଭୁବନେଶ୍ୱର(ସମୃଦ୍ଧଓଡିଶା) ମହାରାଜା ଶ୍ରୀରାମଚନ୍ଦ୍ର ଥିଲେ ଜଣେ ଅତ୍ୟନ୍ତ ସରଳ, ପ୍ରଜାବତ୍ସଳ ଓ ଦେଶପ୍ରେମୀ ସୁଶାସକ । ଶ୍ରୀରାମଚନ୍ଦ୍ର ଭଞ୍ଜ ଖାଲି ମୟୂରଭଞ୍ଜର ନୁହନ୍ତି, ସମଗ୍ର ଓଡ଼ିଆ ଜାତିର ଉନ୍ନତି ନିମିତ୍ତ ତାଙ୍କର ବହୁବିଧ ଉଦ୍ୟମ ଅବିସ୍ମରଣୀୟ । ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କର ଆଦର୍ଶ ଚରିତ୍ରବତ୍ତା, ସରଳତା, ନମ୍ରତା, ସ୍ୱଭାବ ଓ ବ୍ୟକ୍ତିତ୍ୱ ସର୍ବାଧିକ ପ୍ରଶଂସନୀୟ । ଉତ୍କଳ ଜନନୀର ଏହି ଯୋଗଜନ୍ମା ସୁଯୋଗ୍ୟ ସନ୍ତାନ ଆଜି ସମଗ୍ର ଓଡ଼ିଆ ଜାତିର ଚିରନମସ୍ୟ ବୋଲି ଅତିଥିମାନେ ଉଲ୍ଲେଖ କରିଛନ୍ତି । ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ମୟୂରଭଞ୍ଜ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର କହିଲେ ଯେ ମହାରାଜା ଶ୍ରୀ ଭଞ୍ଜଦେଓ ଓଡିଶା ଓ ଓଡ଼ିଆ ଜାତିର ଉନ୍ନତି ପାଇଁ ନିଜକୁ ସମର୍ପିତ କରିଥିଲେ । ଆମେ ଆଜି ଯେଉଁ ବିକଶିତ ଓଡିଶାର କଥା କହୁଛୁ ତାହାର ମୂଳଦୁଆ ମାହାରାଜାଙ୍କ ରାଜତ୍ୱ କାଳରେ ପଡିଥିଲା । ମୟୂରଭଞ୍ଜର ରାଜା ହେଲେ ମଧ୍ୟ ସମଗ୍ର ଓଡ଼ିଶାର ସାମାଜିକ-ରାଜନୈତିକ ସଂସ୍କାର ଦିଗରେ ତାଙ୍କର ଅବଦାନ ଅତୁଳନୀୟ । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରିକରଣ ଦିଗରେ ତାଙ୍କର ଉଦ୍ୟମ ଚିରସ୍ମରଣୀୟ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ଭାଷା ଆନ୍ଦୋଳନ, ଅରଣ୍ୟ ଓ ଖଣିଜ ସଂପଦର ପୁନଃମୂଲ୍ୟାୟନ, ଶିଳ୍ପାୟନ ଆଦି ପ୍ରତି କ୍ଷେତ୍ରରେ ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଓ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ସ୍ପଷ୍ଟ ଭାବରେ ପ୍ରତିଫଳିତ । ମହାରାଜାଙ୍କ ଜୀବନୀ ଓ ତ୍ୟାଗପୂତ ଅନାଲୋଚିତ ଦିଗ ଗୁଡ଼ିକ ଉପରେ ଆଲୋକପାତ କରି ବାସ୍ତବରେ ସେ ଜଣେ ଯୁଗଜନ୍ମା ପୁରୁଷ ବୋଲି ସେ ପ୍ରକାଶ କରିବା ସହିତ ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ବିଶିଷ୍ଟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ମାନ୍ୟବର ମନ୍ତ୍ରୀ, ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ କହିଲେ ଯେ ମୟୂରଭଞ୍ଜ ତଥା ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ । ଓଡ଼ିଶାର ବହୁ ଲୋକହିତକର ଅନୁଷ୍ଠାନ ତାଙ୍କ ଅମୂଲ୍ୟ ଅବଦାନରେ ସୁପ୍ରତିଷ୍ଠିତ ଓ ପବିତ୍ର ସୂତିରେ ମହିମାମଣ୍ଡିତ । ତାଙ୍କ ରାଜତ୍ୱ କାଳରେ ମୟୂରଭଞ୍ଜ ଏକ ଆଦର୍ଶ ରାଜ୍ୟ ପାଲଟିଥିଲା ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ଲେଖକ ଶ୍ରୀଯୁକ୍ତ ଭାଗବତ ଶୁକ୍ଳ ଯୋଗଦେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୀବନଦର୍ଶନ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଉତ୍କଳ ଆକାଶର ଉଜ୍ଜ୍ୱଳ ତାରକା । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ମହାରାଜା ଶ୍ରୀ ଭଞ୍ଜଦେଓ ସଭାପତିତ୍ୱ କରିଥିଲେ । ତାଙ୍କର ବ୍ୟକ୍ତିତ୍ୱ ଓ ଚରିତ୍ର ଓ ସୁଶାସନ ଓ ପ୍ରଜାବତ୍ସଳ ରାଜା ଭାବେ ବ୍ରିଟିଶ୍ମାନେ ପ୍ରଭାବିତ ହୋଇ ତାଙ୍କୁ ମହାରାଜା ଉପାଧିରେ ଭୁଷିତ କରିଥିଲେ । ତାଙ୍କ ଜ୍ଞାନାଲୋକରେ କେବଳ ମୟୂରଭଞ୍ଜ ନୁହେଁ ବରଂ ସମଗ୍ର ଓଡ଼ିଶା ଆଲୋକିତ ହୋଇଥିଲା । ଓଡ଼ିଶାରେ ପନିତତ୍ତ୍ୱ ବିଭାଗର ଭିତ୍ତିଭୂମୀ ତୋଳି ଓଡିଶା ଇତିହାସକୁ ପୁର୍ନଜୀବିତ କରିବା ସହିତ ଓଡିଶାର ବିକାଶ ପାଇଁ ତାଙ୍କର ବହୁବିଧ ଉଦ୍ୟମର ତୁଳନା ନାହିଁ ବୋଲି ସେ ପ୍ରକାଶ କରିଥିଲେ । ସଭା ଆରମ୍ଭରେ ଅତିଥିମାନେ ଓଡ଼ିଶାର ବରପୁତ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରି ମହାରାଜା ଶ୍ରୀରାମଚନ୍ଦ୍ରଙ୍କୁ କେବଳ ଓଡିଶାର ନୁହେଁ ସମଗ୍ର ଭାରତ ମାଟିର ଜଣେ ଜାତୀୟତାବାଦୀ ଜନନାୟକ ବୋଲି ଅଭିହିତ କରିଥିଲେ । ମାତ୍ର ୨୦ ବର୍ଷ ଶାସନକାଳରେ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇ ଭାରତ ମାନଚିତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲେ । ଆଜିର ଯୁବପିଢ଼ିି ତାଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହେଲେ ଆଜିର ବିକଶିତ ଓଡିଶାର ସ୍ୱପ୍ନ ଓ ରାଜ୍ୟର ସୁନାମ ବହୁଗୁଣିତ ହେବ ବୋଲି ଶ୍ରୀ ସାମଲ କହିଥିଲେ । ମୟୂରଭଞ୍ଜ ସାଂସ୍କୃତିକ ସଂସଦର ସାଧାରଣ ସଂପାଦକ ଡ. ରଜନୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିବାବେଳେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ୟୁନିଟ୍ -୨, ଭୁବନେଶ୍ୱରର ଛାତ୍ରୀମାନଙ୍କ ଦ୍ୱାରା ଜନଜାତି ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଏବଂ ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
ରିପୋର୍ଟ : ରଜତ ମହାପାତ୍ର ଓ ସରୋଜ କୁମାର ଶତପଥୀ, ସୂଚନା ଅଧିକାରୀ