ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ନେଇ ବିଶ୍ୱ ଆଜି ଚିନ୍ତିତ ଥିବା ବେଳେ ଓଡିଶାର ବହୁ ଯୁବକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫ଼ସିରହିଥିବା ଜଣାଯାଇଛି । ସମଗ୍ର ଦେଶ ଲକ୍ଡାଉନ୍ରେ ଥିବା ବେଳେ ଫସିରହିଥିବା ଲୋକଙ୍କ ଦୂରବସ୍ଥା ଅବର୍ଣ୍ଣନୀୟ ହୋଇଛି । ଜଳେଶ୍ୱର ଥାନା ଅନ୍ତର୍ଗତ ଗଡସାହୀ ବାଲିଆପାଳର ପ୍ରାୟ ୫୨ଜଣ ବ୍ୟକ୍ତି ମହାରାଷ୍ଟ୍ରର ଥାନେ ଜିଲା, ଦୁର୍ଗାପଡା ସହର ଉଲ୍ଲାସ ନଗର-୫, ସଂଜୟ ପଟ୍ଟୁଆଲା ଅଂଚଳର କାର୍ଯ୍ୟ କରି ଆସୁଥିଲେ । ସେମାନଙ୍କ ସହ ସ୍ତ୍ରୀଲୋକ ଓ ଛୋଟ ପିଲାମାନେ ମଧ୍ୟ ରହିଛନ୍ତି । କରୋନା ମହାରାଷ୍ଟ୍ରରେ ପ୍ରଥମେ ପରିଲକ୍ଷିତ ହେବାରୁ ସେଠାକାର ରାଜ୍ୟ ସରକାର ପ୍ରଥମେ ଲକ୍ଡାଉନ୍ ଘୋଷଣା କରିଥିଲେ । ଫଳରେ ସେଠାରେ ରହିଥିବା ଲୋକେ ୧୯ତାରିଖରୁ ଅଦ୍ୟାବଧି ଭୋକ ଉପାସରେ କାଳ କାଟି ଆସୁଛନ୍ତି । ଗଡସାହି ବାଲିଆପାଳ ଗାଁର ସମ୍ଭୁନାଥ ମାଝୀ, ବିଜୟ ମାଝୀ, ମାନସ ମାଝୀଙ୍କ ନେତୃତ୍ୱରେ ସେଠାରେ ରହିଥିବା ବେଳେ ଖାଦ୍ୟ ଓ ପିଇବା ପାଣି ମିଳିବା ମଧ୍ୟ କଷ୍ଟସାଧ୍ୟ ହୋଇ ଯାଇଛି । ସେମାନେ ଗାଁକୁ ଆସିବା ପାଇଁ ନେହୁରା ହୋଇ ଆସୁଥିବା ବେଳେ ଅଦ୍ୟାବଧି ମହାରାଷ୍ଟ ଓ ଓଡିଶା ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ବିଭିନ୍ନ ଗଣମାଧ୍ୟମକୁ ନିବେଦନ କରି ଆସୁଛନ୍ତି । ସେମାନଙ୍କ ବୟାନ ଅନୁଯାୟୀ ପୁନେର ରଂଜନ ଗାଁଓ ଠାରେ ମଧ୍ୟ ୩୦ଜଣ ବାଲେଶ୍ୱର ଜିଲାର ଯୁବକ ଅଟକି ରହିଛିନ୍ତି । ୨୨ ତାରିଖରେ ସେମାନଙ୍କର ଟିକେଟ ହୋଇଥିବା ବେଳେ ରେଳ ସେବା ବାତିଲ ହୋଇଥିବାରୁ ଆସିବା ସମ୍ଭବ ହୋଇପାରିନାହିଁ । ଅତିଶୀଘ୍ର ଫେରାଇ ଆଣିବା ଲାଗି ସେମାନେ ନିବେଦନ କରିଛନ୍ତି । ଓଡିଶା ସରକାର ଓଡ଼ିଆ ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଦାବୀ ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା