ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନିଜେ ମହିଳା କମିଶନ ସଦସ୍ୟା ଆଜି ବିଜୁ ଜନତା ଦଳର ବିଧାୟକଙ୍କ ଦ୍ୱାରା ନିର୍ଯ୍ୟାତିତା ହେଉଛନ୍ତି । ଏଥିରୁ ଜଣାପଡୁଛି ରାଜ୍ୟରେ ମହିଳାମାନେ କେତେ ଅସୁରକ୍ଷିତ । ମହିଳା କମିଶନ ଯିଏ ମହିଳାଙ୍କୁ ସୁରକ୍ଷା ଦେବା କଥା ସେହି ମହିଳା କମିଶନର ସଦସ୍ୟାମାନେ ଆଜି ବିଜୁ ଜନତା ଦଳର ବିଧାୟକଙ୍କ ଦ୍ୱାରା ଦୁର୍ବବ୍ୟହାର ଶିକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମହିଳାଙ୍କୁ ସମ୍ମାନ ରାଜନୈତିକ ପ୍ରତିବଦ୍ଧତା ନୁହେଁ ବରଂ ମହିଳାଙ୍କୁ ମୋହରା କରି ଡ଼୍ରାମା ଓ ନାଟକ ମାଧ୍ୟମରେ ମହିଳା ସମର୍ଥନ ହାସଲ କରିବା ଗୋଟିଏ ମାତ୍ର କାମ ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ବିଜେଡ଼ିର ଟାଣୁଆ ବିଧାୟକ ତୃତୀୟ ମହଲା ଅଣ ଓଡ଼ିଆ କଳା ପାହାଡ଼ଙ୍କ ଚଳନ୍ତି ପ୍ରତିମା କୁହାଯାଉଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ଜଣେ ସାଧାରଣ ମହିଳା ନୁହେଁ ବରଂ ମହିଳା କମିସନର ସଦସ୍ୟା ତିଲୋତମା ନାୟକଙ୍କୁ ସର୍ବସାଧାରଣରେ କୁତ୍ସିତ ବ୍ୟବହାର କଲେ । ଏଥି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ଅଭିଯୋଗ କରିବାକୁ ଆସିଥିବା ତିଲୋତମା ନାୟକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ନକରି ପାରି ତାଙ୍କୁ ବିଜେଡ଼ିର ଏହି ଟାଣୁଆ ବିଧାୟକ ସର୍ବସାଧାରଣରେ କରିଥିବା ଅସଭ୍ୟ ବ୍ୟବହାରର ବିବରଣୀ ଗଣମାଧ୍ୟମ ସାମ୍ନାରେ ଦେଇଥିଲେ । ଏପରି ବ୍ୟବହାର ଦେଶର ଆଇନ ଅନୁଯାୟୀ ଏକ ଧର୍ତବ୍ୟ ଅପରାଧ । ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପାଟି ଫିଟେଇଲେ ନାହିଁ । ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ତିଲୋତମା ନାୟକ ଖୋଦ୍ ମହିଳା କମିସନର ସଦସ୍ୟା । ମହିଳା କମିସନଙ୍କ ତରଫରୁ ଏହି ମାମଲା ସମୃକ୍ତ ଅଭିଯୁକ୍ତ ବିଧାୟକଙ୍କୁ ନୋଟିସ ପଠାଇବା ପାଇଁ ଉପଯୁକ୍ତ ମାମଲା । ମହିଳା କମିସନ ବି ଚୁପ୍ ବସିଛି । ଏପରି ପରିସ୍ଥିତିରେ ମହିଳା ସଶକ୍ତିକରଣ ଓ ସମ୍ମାନର ନାରା ଦେଇଥିବା ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କର ଅସଲ ଚେହେରା ପଦାରେ ପଡ଼ିଛି ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ମାଆ କୁ ସମ୍ମାନ ଓ ମହିଳା ସଂରକ୍ଷଣ ର ସ୍ଲୋଗାନ କୁଆଡେ ଗଲା ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । ଆମେ ଯାହା ଆଗରୁ ଅଭିଯୋଗ କରିଆସିଥିଲୁ ଯେ ବିଜୁ ଜନତା ଦଳର ନିର୍ବାଚନ ଦାୟୀତ୍ୱ ତୃତୀୟ ମହଲାରୁ ତାମିଲ ଅଫିସରଙ୍କ ମାଧ୍ୟମରେ କିଛି ଦାଗୀ ଓ ଠକ ବିଧାୟକମାନେ ପରିଚାଳନା କରୁଛନ୍ତି ତାହା ଏବେ ପୁଣି ଥରେ ସତ୍ୟ ପ୍ରମାଣିତ ହୋଇଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ନିୟତୀ ଗିରି, କାନନବାଲା ପଟ୍ଟନାୟକ, କସ୍ତୁରୀ ମିଶ୍ର ଏବଂ ସୁନୀତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଆକାଶ ମିଶ୍ର