ବାଲେଶ୍ୱର/ଜଳେଶ୍ୱର (ସମୃଦ୍ଧ ଓଡିଶା) ୭୫ ବର୍ଷର ସ୍ୱାଧୀନତାର ପୂର୍ତ୍ତି ବର୍ଷ ସହିତ”ରେବତୀ” ଗଳ୍ପର ୧୨୫ ବର୍ଷ ଏବଂ ସହିଦ ବାଘାଯତୀନଙ୍କ ୧୪୩ ବର୍ଷରେ “ପରିବେୱା ମଞ୍ଚ” ବାଲେଶ୍ଵର ସ୍ଥିତ ମାହେଶ୍ୱରୀ ଭବନ ଠାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୧୩ତମ ରାଜ୍ୟ ସମ୍ମିଳନୀ ମହା ସମାରୋହରେ ଉଦଘାଟିତ ହୋଇଯାଇଛି । ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ମାହେଶ୍ୱରୀ ଭବନ ଠାରୁ ଏକ ବିଶାଳ ମହିଳା ପଟୁଆର ବାହାରି ବାଲେଶ୍ଵର ବସଷ୍ଟାଣ୍ଡ ଠାରୁ ଫେରିବା ପରେ ସଂଗଠନର ପତାକା ଉତ୍ତୋଳନ ସଂଗଠିତ ହୋଇଥିଲା । ସଂଗଠନର ସର୍ବ ଭାରତୀୟ ସଭାନେତ୍ରୀ ଡ଼.ମାଳିନୀ ଭଟ୍ଟାଚାର୍ଯ୍ୟ ସମ୍ମିଳନୀକୁ ଉଦଘାଟନ କରି ଆଜିର ପରିସ୍ଥିତିକୁ ସାମନା କରିବାକୁ ହେଲେ ମହିଳାମାନଙ୍କୁ ଆଗକୁ ଆସିବାକୁ ହେବ । ସ୍ୱାଧୀନତା ଆନ୍ଦୋଳନ ସମୟରେ ମହିଳାମାନଙ୍କ ଭୂମିକା ବେଶ ସ୍ପଷ୍ଟ ଥିଲା । ଆମ ସଂଗଠନ ୧୯୮୧ ମସିହାରେ ଜନ୍ମ ନେଇଥିଲେ ମଧ୍ୟ ସ୍ୱାଧୀନତା ପୂର୍ବ ଓ ପରେ ବେଶ ଉଲ୍ଲେଖନୀୟ । ଆଜି ବି ଆମକୁ ନାରୀ ସମାନତା, ସ୍ୱାଧୀନତା, ଗଣତାନ୍ତ୍ରିକ ଅଧିକାର ପାଇଁ ଲଢେଇ ଜାରି ରହିଛି । ଉଚ୍ଚ, ନୀଚ ଭେଦ ଭାବ, ଧର୍ମ ନାମରେ ଦଙ୍ଗା, ନାରୀ ନିର୍ଯାତନା ଏବଂ ଦେଶର ସମ୍ବିଧାନକୁ ନ ମାନିବା ଭଳି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେହି ସମୟରେ ସଂଗଠନକୁ ଆହୁରି ଶକ୍ତିଶାଳୀ କରି ମିଳିତ ଆନ୍ଦୋଳନ ପାଇଁ ପ୍ରସ୍ତୁତିର ଆହ୍ୱାନ ଦେଇଥିଲେ । ଉଦଘାଟନ ସମୟରେ ରାଜ୍ୟରେ ପ୍ରଥମ ଗଣତାନ୍ତ୍ରିକ ମହିଳା ସମିତିର ଆବାହିକା ଶ୍ରୀମତୀ ଇନ୍ଦୁମତି ନନ୍ଦୀ, ମାଇକ୍ରୋ ଫାଇନାନ୍ସ ବିରୁଦ୍ଧରେ ସଂଗ୍ରାମ କରିଥିବା ସଂଯୁକ୍ତା ସେଠି, ମଦ ବିରୋଧରେ ଆନ୍ଦୋଳନର ନେତ୍ରୀ କାଞ୍ଚନ ସାହୁ ଏବଂ କରୋନା ସମୟରେ ଲୋକଙ୍କୁ ମାଗଣା ଖାଇବାକୁ ଦେଇଥିବା ଶାନ୍ତି ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସଂଗଠନର ସର୍ବ ଭାରତୀୟ ଅନ୍ୟତମ ସମ୍ପାଦିକା ତାପସୀ ପ୍ରହରାଜ, ଉତ୍କଳ ମହିଳା ସମିତି ନେତ୍ରୀ ବନଲତା ଜେନା, ଅଭ୍ୟର୍ଥନା ସମିତି ସମ୍ପାଦିକା ହରିପ୍ରିୟା ଜେନା ବକ୍ତ୍ୟବ ରଖିଥିଲେ । ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ପ୍ରଧାପିକା ବିନିତା ପଣ୍ଡା ସ୍ୱାଗତ ବକ୍ତ୍ୟବ ରଖି ବାଲେଶ୍ୱର ଜିଲ୍ଲାର ସାହିତ୍ୟ, ସଂସ୍କୃତି ଓ ଗଣତାନ୍ତ୍ରିକ ଆନ୍ଦୋଳନ ସମ୍ପ୍ପର୍କରେ ବର୍ଣ୍ଣନା କରିଥିଲେ । ରାଜ୍ୟ ସଭାନେତ୍ରୀ ସୁରଜିତା ନାୟକ ଉଦଘାଟନ କରିବା ସହିତ ଉତ୍ସବରେ ସଭାପତିତ୍ୱ କରିଥିଲେ ଏବଂ ଉପ ସଭାନେତ୍ରୀ ଚାରୁ ଵାଲା ଦାସ ମଧ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଭୂପତି ପରିଡା