ମାଗଣା ଉଜ୍ଜ୍ୱଳା ଗ୍ୟାସ ଯୋଗାଣ ପ୍ରହସନ: ମହିଳାଙ୍କୁ ଠକିଲେ ସରକାର, ମା’ମାନେ ପୁଣି ଧରିଲେ କାଠ ଚୁଲି …

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରର ମୋଦୀ ସରକାରଙ୍କର ବହୁ ପ୍ରଚାରିତ ଗରିବ ମାଆ ମାନଙ୍କର ଆଖିର ଲୁହ ପୋଛିବା ପାଇଁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ଯୋଗାଣ ପ୍ରହସନରେ ପରିଣତ ହୋଇଛି । ଏହି ଯୋଜନାରେ ମାଗଣାରେ ଗ୍ୟାସ୍ ଦିଆଯାଇଛି ବୋଲି କୁହାଯାଇ ଥିବା ବେଳେ ହିତାଧିକାରୀ ମାନଙ୍କ ଠାରୁ ୧୫୦୦ଟଙ୍କା ଋଣ ଆକାରରେ ଯୋଗାଇ ଦିଆଯାଇଥିଲା । ଏହି ଋଣ ଟଙ୍କାକୁ ହିତାଧିକାରୀ ମାନଙ୍କ ଠାରୁ ପରବର୍ତ୍ତୀ ସମୟରେ କମ୍ପାନୀ ଆଦାୟ କରିଥିଲା । ଯାହା ଫଳରେ ଗ୍ୟାସ୍ ଭର୍ତି କରିବା ପରେ ସବସିଡି ଅର୍ଥ ଫେରସ୍ତ ଦିଆଯାଇ ନ ଥିଲା । ଏବେ ଏଲ୍.ପି.ଜି ଗ୍ୟାସ୍ ମୂଲ୍ୟ ଚଳିତ ମାସ ୯୮୬ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଗରିବ ହିତାଧିକାରୀ ମାନେ ଗ୍ୟାସ୍ ଭର୍ତି କରିବା ପାଇଁ ଅର୍ଥ ନ ଥିବାରୁ ପୁଣି କାଠ ଜାଳେଣୀ ଚୁଲିକୁ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି । ଏ ସଂପର୍କରେ ରାଇବଣିଆ ଗ୍ରାମ ପଂଚାୟତର ଦଶରାପଦା ଗ୍ରାମର ବାସତ ମାରାଣ୍ଡିଙ୍କ ସ୍ତ୍ରୀ ମୂଖୀ ମାରାଣ୍ଡି, ଖୁଦିଆ ମାଝୀସାହି ଗ୍ରାମପଞ୍ଚାୟତର ବେହେରା ସାହି ଗ୍ରାମର ସୁଭାଷ ଦଣ୍ଡପାଟଙ୍କ ସ୍ତ୍ରୀ ଚାରୁ ଦଣ୍ଡପାଟ, ତପନ ମାରାଣ୍ଡିଙ୍କ ସ୍ତ୍ରୀ ସୁକାନ୍ତି ମାରାଣ୍ଡି, ରବିନ୍ଦ୍ର ରଣାଙ୍କ ସ୍ତ୍ରୀ ସବିତା ରଣା, ଭୁନୁ ରଣାଙ୍କ ସ୍ତ୍ରୀ ଯମୁନା ରଣା ପ୍ରମୁଖ ହିତାଧିକାରୀ ମାନେ ବର୍ଦ୍ଧିତ ମୂଲ୍ୟରେ ଗ୍ୟାସ କିଣିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିବା ସଙ୍ଗେ ସଙ୍ଗେ ଏହି ଯୋଜନା କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ସେମାନେ ପୂର୍ବପରି କାଠ ଜାଳେଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଆମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା