

ଭଞ୍ଜନଗର (ସମୃଦ୍ଧ ଓଡିଶା) ମାଟିଲଗ୍ନା ସାହିତ୍ୟ ସଂସଦ, ଓଡିଶା ଗଞ୍ଜାମ ଜିଲ୍ଲା କମିଟିର ପ୍ରଥମ ବୈଠକ ଓ କବିତା ପାଠ କାର୍ଯ୍ୟକ୍ରମ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କୋଭିଡ କଟକଣା ପାଳନ ପୂର୍ବକ ଶେରଗଡ ବ୍ଳକ ପିତଳ ଗ୍ରାମସ୍ଥିତ ଚନ୍ଦ୍ରିକା ଆବାସିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ରଥମ ଅଧିବେଶନରେ ସଭାପତିତ୍ବ କରିଥିଲେ ସଭାପତି ବିଚିନ୍ଦ୍ରାନନ୍ଦ ମୁନୀ । ମୁଖ୍ୟ ଅତିଥି ରୂପେ ଶେରଗଡ ତହସିଲଦାର ତଥା ବିଶିଷ୍ଟ ସାହିତ୍ୟିକ ଦୟାସିନ୍ଧୁ ପରିଡା ମୁଖ୍ୟବକ୍ତା ରୂପେ ଯୋଗଦେଇ ସାଂପ୍ରତିକ ସମାଜରେ ଗାନ୍ଧୀବାଦର ଆବଶ୍ୟକତା ଓ ସାରସ୍ୱତ ସାଧକଙ୍କ କର୍ତ୍ତବ୍ୟ ବିଷୟରେ ସାରଗର୍ଭକ ବକ୍ତୃତା ରଖିଥିଲେ । ଭାଷା ସାହତ୍ୟ ର ସୁରକ୍ଷା ଦିଗରେ ଯତ୍ନବାନ ହୋଇ ମାଟି ପ୍ରତି ସେବା ମନସ୍କ ଏହି ଗଞ୍ଜାମ ଜିଲ୍ଲାର ସାରସ୍ୱତ ସାଧକମାନେ ଗଠନ କରିଥିବା ମାଟିଲଗ୍ନା ସାହିତ୍ୟ ସଂସଦର ସେ ଦୀର୍ଘ ସଫଳ ଜୀବନ କାମନା କରିଥିଲେ । ସମ୍ମାନିତ ଅତିଥି ରୂପେ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ଯୋଗ ଦେଇ ଗାନ୍ଧୀବାଦର ଆଲୋଚନା ସହ ଓଡିଆ ସାହିତ୍ୟରେ ଗାନ୍ଧୀ ଦର୍ଶନ ଉପରେ ମତ ରଖିଥିଲେ । ମୁଖ୍ୟବକ୍ତା ରୂପେ ବିମଳ ପଟ୍ଟନାୟକ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ଆଲୋଚନା କରିଥିଲେ । ମାଟିଲଗ୍ନାର ରାଜ୍ୟ ସଂଯୋଜକ ଲଳିତ କୁମାର ସ୍ବାଇଁ, ଗଂଜାମ ଜିଲ୍ଲା ସଂଯୋଜକ ଶ୍ରୀ ଅଜିତ କୁମାର ତ୍ରୀପାଠୀ ପ୍ରମୁଖ ପ୍ରଥମ ଅଧିବେଶନରେ ଗାନ୍ଧୀ ତତ୍ବ ଉପରେ ଆଲୋଚନା କରିଥିଲେ । ପରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ପୌରହିତ୍ୟ କରିଥିଲେ ଉପ ସଭାପତି ତ୍ରିନାଥ ବେହେରା । ସାଧାରଣ ସଂପାଦକ ସନ୍ତୋଷ ଜେନା, ପ୍ରାବନ୍ଧିକ ଏ.ଯୁଧିଷ୍ଠିର ଦୋରା, ଉପସଭାପତି ଡକ୍ଟର ଗୁରୁମୂର୍ତ୍ତୀ ନାୟକ ଓ ସୁରେନ୍ଦ୍ର ପାଣିଗ୍ରାହୀ, କବି ଅମୂଲ୍ୟ ଦାସ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ କବିତା ପାଠକୁ ସଂଯୋଜନା କରିଥିଲେ କବି ଲଳିତ କୁମାର ସ୍ୱାଇଁ ଓ କବି ଅଜିତ କୁମାର ମୁନୀ । ଏହି ଅବସରରେ ବହୁ କବି କବୟତ୍ରୀ ଉପସ୍ଥିତ ରହି ସ୍ୱ ରଚିତ କବିତା ପାଠ କରିଥିଲେ । ପରେ ମାଟିଲଗ୍ନା ରାଜ୍ୟ ସଂଗଠନ ତରଫରୁ ଜିଲ୍ଲା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ଓ କବୟିତ୍ରୀଙ୍କୁ ଜିଲ୍ଲା କମିଟି ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଖୁବ ଶିଘ୍ର ଗଂଜାମ ଜିଲ୍ଲାର ପ୍ରତିଟି ବ୍ଳକରେ ମାଟିଲଗ୍ନା ସାହିତ୍ୟ ସଂସଦର ବ୍ଳକ କମିଟି ଗଠନ କରିବା ସହ ସାରସ୍ୱତ ଆସର ଅନୁଷ୍ଠିତ କରାଯିବ ବୋଲି ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନ ବାର୍ତ୍ତା ଦେଇଥିବା ଜିଲ୍ଲା ସଭାପତି ଶ୍ରୀ ମୁନୀ ଘୋଷଣା କରିଥିଲେ ।