୧୧ ସେପ୍ଟେମ୍ବର ୧୮୯୩ରେ ବିଶ୍ବ ଧର୍ମ ସମ୍ମିଳନୀ, ଚିକାଗୋ, ଆମେରିକାରେ ସ୍ବାମୀ ବିବେକାନନ୍ଦ ଜଣେ ନବାଗତ ଅପରିଚିତ, ଅନିୟନ୍ତ୍ରିତ ବକ୍ତାଭାବରେ(ବହୁ ଅନୁନୟ ପରେ) ଭାଷଣ ଦେଇଥିଲେ, “ହେ ମୋର ପ୍ରିୟ ଆମେରିକାର ଭାଇ ଭଉଣୀମାନେ” ସମ୍ବୋଧନରୁ, ଏଇ ସମ୍ବୋଧନଟା ଆମେରିକାଵାସୀଙ୍କ ମନକୁ ଏତେ ଛୁଇଁଲା ଏବଂ ତାଙ୍କର ପରବର୍ତ୍ତୀ ଭାଷଣ ଏତେ ହୃଦୟଗ୍ରାହୀ ହେଲା ଯେ ସମୟ କେତେବେଳେ ଅତିକ୍ରାନ୍ତ ହେଲା ଜଣାପଡି ଲାରି । ପ୍ରଥମରୁ ମୋଟେ ଅନୁମତି ପାଇ ନଥିବା ସ୍ବାମୀଜୀ ୧୧-୦୯-୧୮୯୩ରୁ୨୭-୯-୯୩ ଭିତରେ ୫ଦିନରେ ମୋଟ ୬ଥରରେ କେତେ ସମୟ ଭାଷଣ ଦେଲେ ତା’ର ହିସାବ ନାହିଁ, ମାତ୍ର ଏହି ଭାଷଣ ଅବସରରେ ସମବେତ ୭,୦୦୦ ବିଦେଶୀ ଜନତା ଦଣ୍ଡାୟମାନଭାଵେ ୨ମିନିଟ ଧରି ଉଚ୍ଛ୍ୱସିତ କରତାଳି ଦେବା ଭାରତୀୟ ସଦଭାବନା, ସଂସ୍କୃତି, ଐତିହ୍ୟ, ଚଳଣୀକୁ ସ୍ବୀକୃତି ନୁହେଁ କି ? ସେଇ ସ୍ବାମୀଜୀ ଥରେ ଆମେରିକାର ଜଣକୁ ପଚାରିଲେ, ତମେ ଘରେ କେତେଜଣ ଏକାଠି ରହୁଛ, କିଏ, କିଏ, ରହୁଛ । ଏହାପରେ ସେଇଯୁବକକୁ ପଚାରିଲେ ତୁମ ବାପା ଆଜି କ’ଣ ଖାଇଲେ, ତାଙ୍କ ସଙ୍ଗେ ତୁମେ ଖାଇଲ କି, କେବେ ଶେଷଥର ବାପାଙ୍କ ସଙ୍ଗେ କଥା ହୋଇଥିଲ , କେବେ ବାପାଙ୍କ ସଙ୍ଗେ ଏକାଠି ଖାଇଥିଲ ଇତ୍ୟାଦି । ଯୁବକଙ୍କ ଉତ୍ତର ଥିଲା ଘରେ ସେ, ବାପା, ମା’ ଓ ଏକ ଦିବ୍ୟାଙ୍ଗ ଭଉଣୀ ଏକାଠି ରହୁଛନ୍ତି । ନାଁ ସେ ଜାଣିନାହାନ୍ତି ବାପା କ’ଣ ଖାଇଲେ, ବାପାଙ୍କ ସହିତ ୨୦ଦିନ ତଳେ କଥା ହୋଇଥିଲେ, ବାପା ଓ ମା’ଙ୍କ ସହିତ ଏକାଠି ଖାଇଥିଲେ ୨ମାସ ପୂର୍ବେ, ଭଉଣୀର ଖବର ତାଙ୍କ ପାଖରେ କିଛି ନଥିଲା । ତା’ପରେ ସ୍ବାମୀଜୀ କହିଥିଲେ, ନାଁ ଏହାକୁ ଏକାଠି ରହିବା କୁହାଯାଇପାରିବ ନାହିଁ, କାରଣ ତୁମେ ପାଖରେ ରହୁଛି, ମାତ୍ର ଏକାଠି ନୁହଁ, ତୁମ ବାପା ମା’ କେବେ ଖାଇଲେ କ’ଣ ଖାଇଲେ, କେମିତି ଅଛନ୍ତି ତୁମକୁ ଯଦି ଜଣାନାହିଁ, ଭଉଣୀର ଖବର ଯଦି ତୁମ ପାଖରେ ନାହିଁ, ଏକାଠି ରହୁଛ ବୋଲି କେମିତି କୁହାଯିବ ? ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରୁଛି, କହିଲେ ଆମ ଦେଶରେ ଆମ ସନାତନ ସଂସ୍କୃତିରେ, ତତ୍କାଳୀନ ଏକାନ୍ନଵର୍ତ୍ତୀ ପରିବାରରେ ପରସ୍ପରସହ ସମ୍ପର୍କ ଯେମିତି ଥିଲା ଆଉ କ’ଣ ସେମିତି ଅଛି ? ବାପା ମା’, ପୁଅ ଝିଅ, ଜେଜେ ଜେଜୀ ମା’, ଅଜା ଆଈ, ମାମୁଁ ମାଇଁ, ଦାଦା ଖୁଡି, ମଉସା ମାଉସୀ, ପିଇସା ପିଉସୀ ଏମିତି ସମସ୍ତଙ୍କୁ ଯୋଉ ସମ୍ପର୍କ ସ୍ନେହ ଆଦର, ଭକ୍ତି, ସମ୍ମାନ, ସମ୍ଭ୍ରମ ବା ପ୍ରେମରେ ବାନ୍ଧି ରଖିଥିଲା ପରସ୍ପରକୁ ତା’ କ’ଣ ଆଉ ଅଛି ? ସେତେବେଳେ ଅନେକ ଅଭାବ ଅନାଟନ ମଧ୍ୟରେ ବି ସମସ୍ତେ ଏକାଠି ଏକ ଛାତତଳେ ଆନନ୍ଦରେ ରହୁଥିଲେ, ପରସ୍ପରର ଦୁଃଖସୁଖ, ଭଲ ମନ୍ଦରେ ସାହାଯ୍ୟ କରୁଥିଲେ, ଗାଁରେ କାହାର କ’ଣ ହେଲେ ଡାକିବାକୁ ପଡୁନଥିଲା, ଛାଏଁ ଆସି ହାଜର ହୋଇ ଯାଇଥିଲେ ଅନ୍ୟମାନେ, କାନ୍ଧରେ କାନ୍ଧ ମିଶାଇ ଦେଉଥିଲେ ସାହାଯ୍ୟ ପାଇଁ । ଆଜି ଆଉ ସେକଥା ନାହିଁ, ସେସବୁ ଏବେ ସେ-କାଳ ପଖାଳ ହୋଇଯାଇଛି । ଗୋଟିଏ ଘର ଭାଙ୍ଗି ଏବେ ଏକାଧିକ ଘର ହୋଇଛି, ଗୋଟିଏ ପରିବାରର କେତେ ଶାଖା ହୋଇଛି, ବାପା-ପୁଅ, ମା’-ପୁଅ, ବାପ-ଝିଅ, ମା’-ଝିଅ, ପୁଅ-ବୋହୁ, ସ୍ବାମୀ-ସ୍ତ୍ରୀ କେହି କାହା ସାଙ୍ଗରେ ପଡୁନାହାନ୍ତି, ଜନ୍ମକଲା ବାପା-ମା’ଙ୍କୁ ପୁଅ-ଝିଅ ପଚାରୁ ନାହାଁନ୍ତି, ବିପରୀତରେ ମଧ୍ୟ ସେମିତି ସମ୍ପର୍କ । ଖାଲି ଯୋଉଠି ନିହିତ ସ୍ବାର୍ଥ ସେଇଠି କିଛିଟା ସମ୍ପର୍କ, ତା ମଧ୍ୟ କେତେ କ୍ଷେତ୍ରରେ ବାଧ୍ୟବାଧକତାରେ । “କି ଥିଲା ଏ ଦେଶ କି ହୋଇଲା ଆଜ।” ସେତେବେଳେ ଛୋଟ ପିଲାମାନେ ଜେଜେ-ଜେଜୀ ମା’, ଅଜା-ଆଈଙ୍କ ପାଖରେ ରହିବାକୁ ବେଶୀ ଭଲପାଉଥିଲେ, ଆଜିକାଲି ସେଇ ବୁଢ଼ାବୁଢ଼ୀଙ୍କୁ ତ ନିଜ ପୁଅଝିଅ ଭଲ ପାଉ ନାହାଁନ୍ତି, ନାତି ନାତୁଣୀ କଥା କିଏ ପଚାରୁଛି ! ବୁଢ଼ାବୁଢ଼ୀ ଗୁଡା କୁଆଡେ ଗନ୍ଧାଉଛନ୍ତି, ତାଙ୍କୁ ଛୁଇଁଲେ କୁଆଡେ ପିଲାମାନଙ୍କୁ ରୋଗ ମାଡିବସିବ, ନିଜେ କେମିତି ମଣିଷ ହୋଇଥିଲ ବା ନିଜେ ନିଜେ କ’ଣ ଶୂନ୍ୟେ ଶୂନ୍ୟେ ବଡ଼ ହୋଇଗଲ ! ମତେ ଥରେ ଜଣେ ସମ୍ପର୍କୀୟ ମନଦୁଃଖରେ କହୁଥିଲେ, ଜାଣିଲୁ, ଯୋଉ ପିଲାମାନଙ୍କର ଜେଜେ-ଜେଜୀ ମା’, ଅଜା-ଆଈ ଅଛନ୍ତି ସେମାନେ ବହୁତ ଭାଗ୍ୟବାନ, କାରଣ ସେମାନେ ସେ ସ୍ନେହଟା କ’ଣ ଜାଣିଲେ । ହାୟ ଆଜିକାଲି ଯଦି ଲୋକମାନେ ଏଇକଥାଟି ହୃଦୟଙ୍ଗମ କରନ୍ତେ ! ଆଜିକାଲି ସବୁ ଅଣୁ ବା ନିୟୁକ୍ଲିୟସ୍ ପରିବାର, “ଆମେ ଦୁଇ, ଆମର ଦୁଇ”ରୁ ଆସି ଏବେ”ଆମେ ଦୁଇ, ଆମର ଏକ”ରେ ପହଞ୍ଚିଲାଣି,ଯୋଉ ପରିବାରରେ ସ୍ବାମୀ-ସ୍ତ୍ରୀ ଉଭୟେ କାମକରନ୍ତି, ସେ ପରିବାରର ପିଲାଟି ନିଶ୍ଚିତ ଅବହେଳିତ ଅନେକ ପ୍ରକାରେ । ଏମିତି ପରିସ୍ଥିତିରେ ଭଲଭାବେ ବଢିବା ପିଲା ବିରଳ କିନ୍ତୁ ଅସମ୍ଭବ ନୁହେଁ, ବ୍ୟତିକ୍ରମ ସଂସାରର ନିୟମ ! ଆମର ମଧ୍ୟ ଏଠାରେ ସେଇ ପାଶ୍ଚାତ୍ୟ ପରିବାରଭଳି, ଏକାଛାତ- ତଳେ ଗୋଟିଏ କୋଠରୀରେ ରହିଲେ ମଧ୍ୟ କିଏ କାହା କଥା ଜାଣିବାକୁ ଅନିଚ୍ଛୁକ।ପୁଅ-ବୋହୁ, ବାପା-ମା’ଙ୍କୁ ପଚାରୁ ନାହାନ୍ତି, ବୋଝ ବଳେଇ ଯିବ, ଭାର ବଢିବ, ଦାୟିତ୍ଵ ବଢିବାଆଳରେ, ମାତ୍ର ଯଦି ପିତାମାତାଙ୍କ ହାତରେ କିଛି ଅସ୍ଥାବର ସମ୍ପତ୍ତି, ଟଙ୍କା, ସୁନା ଆଦି ଦାମୀ ଜିନିଷ ଅଛି, ତାହେଲେ ପିଛା ଛାଡ଼ନ୍ତି ନାହିଁ(ମୃତ୍ୟୁ ପର୍ଯ୍ୟନ୍ତ), ଯେ କୋୖଣସି ପ୍ରକାରେର ଠ କରି ଘୋଷାଡି ନେବା ହେଉଛି ମୂଳ ଲକ୍ଷ, ସିଏ ଭଲପାଆନ୍ତୁ ବା ନାହିଁ, ସେଥିରେ କିଛି ଯାଏ ଆସେ ନାହିଁ, ଆମେ କର୍ତ୍ତବ୍ୟ କଲୁ ନାଁ ନାହିଁ, ବାହାର ଲୋକ ଆମର କ’ଣ କରିବେ, ଆମ କଥାରେ କଥା କହିବାକୁ ସେମାନେ କିଏ? ସ୍ବାମୀ-ସ୍ତ୍ରୀ ବାହାରକୁ ବୁଲିବାକୁ ଯାଉଛନ୍ତି, ବୁଢ଼ାବୁଢ଼ୀ ବାପା-ମା’ଙ୍କୁ ଘରଭିତରେ ରଖି ବାହାରେ ଚାବିପକାଇ ଯାଇଥିବାର, କିଛିଦିନ ପରେ ଫେରିବା ବେଳକୁ ଦୁଇଜଣଯାକ ଅଫେରା ରାଇଜକୁ ଚାଲିଯାଇଥିଵେ, ପଡୋଶୀଙ୍କ ଅଭିଯୋଗରେ ପୋଲିସ ଗ୍ରୀଲ/କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିବ, ପତି-ପତ୍ନୀ ଉଭୟେ ଗିରଫ ହେଲେ ମଧ୍ୟ ଅନୁଶୋଚନା ନଥିବାର ଖବର ଆପଣମାନେ ଶୁଣିଥିବେ/ଦେଖିଥିବେ ଆଶା କରୁଛି । ସତରେ ଆମେ କେତେ ସମ୍ବେଦନହୀନ ହୋଇ ଗଲେଣି, ଆମେ ଆଉପାଶ୍ଚାତ୍ୟକୁ ଅନ୍ଧାନୁକରଣ କରୁନେତ? ଅବଶ୍ୟ ପାଶ୍ଚାତ୍ୟରେ ଧୀରେ ଧୀରେ ଭାରତୀୟ ପରିବାରବାଦ ଲୋକପ୍ରିୟ ହେଉଛି।ଏଇ ସମ୍ପର୍କ ସୁଧାରିବାକୁ ବେଶୀ କିଛି ଖର୍ଚ୍ଚ,କଷ୍ଟ କରିବାକୁ ପଡ଼ିବନି, ପଦେ, ଦିପଦ ମିଠାକଥାରେ କାମହୋଇଯିବ।ତୁମେ ଦେଶର ଯୋଉପ୍ରାନ୍ତରେ ଥା ବା ବିଦେଶରେ ଥା,ମା’ଙ୍କୁ ଖାଲି ଫୋନରେ କହିବ, ମା’ ତୋ ହାତର ସେ ଆଳୁ ଚକଟା, ବଡ଼ିଚୁରା ବହୁତ ମନେ ପଡୁଛି, ମୁଁ ଶୀଘ୍ର ଆସୁଛି ତା’ର ସ୍ବାଦ ନେବାକୁ।ବାପାଙ୍କୁ କହିବ, ବାପା ମତେ ପିଲାଦିନେ ସାଇକେଲ ରେ ଯାତ୍ରାକୁ ନେଇ ମଲେଇ ଖୁଆଇ ଥିବା ବୃହତ ମନେ ପଡୁଛି,ମୁଁ ଶୀଘ୍ର ତୁମପାଖକୁ ଆସୁଛି । ତୁମେ ଆସ ବା ନ ଆସ, ବୁଢ଼ାବୁଢ଼ୀ ସେଇ ଖୁସିରେ କେତେ ଦିନ ବଞ୍ଚିଯିଵେ ! କୁଆଡେ ଗଲା ସେହି ଭକ୍ତକବି ମଧୁସୂଦନ ରାଓଙ୍କ ଅମର ଲେଖନୀ ପ୍ରସୂତ,”ବୈକୁଣ୍ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଯାଏ ନିରନ୍ତର” ଅମୃତମୟ ଭାବନା ଡିଜିଟାଲ ଯୁଗରେ ଆମର ଉତ୍ତରଣ ହେଉଛି ନା ଅବତରଣ ! ଗତ ଜାନୁଆରୀ ୧୦ ତାରିଖ ସମ୍ବାଦରେ ଗୋଟିଏ ପୃଷ୍ଠାରେ ତିନୋଟି ଏକାଭଳି ଖବର ପଢ଼ି ମନ ଉଦବେଳିତ ହୋଇ ଉଠିଲା । ଗୋଦାବରୀଶ ମିଶ୍ରଙ୍କ”କାଳିଜାଈ”କାବ୍ୟରେ ନାୟିକା ପିତାଙ୍କୁ କହିଲା ଭଳି,”ରୂପ,ଗୁଣ ଆଉ ବିଭବ ବାପା ହେ ତିନିହେଁ ତିନିଙ୍କୁ ବଳି”, ତିନୋଟିଯାକ ଖବର, ନିର୍ଦ୍ଦୟତା, ହୃଦୟହୀନତା ଓ ବର୍ବରତାର ଏକ ଏକ ନିଚ୍ଛକ ଉଦାହରଣ । ନିମ୍ନରେ ବିଶଦ ବିବରଣୀ ଦିଆଗଲା :- ୮ ଜାନୁଆରୀ ୨୦୨୩, ପୁରୀ ଜିଲ୍ଲାର ଗୋପ ଥାନା ବିଜିପୁର ଗାଁର ଦୁର୍ଗାଚରଣ ମହାରଣା(୪୫), ୨ୟ ପତ୍ନୀ ମମତା ଓଝା, ଶାଳକ ଜୀବନ ଓଝା, ଦୁର୍ଗାଙ୍କ ମା’ ଶଶୀ ମହା- ରଣା ମିଶି ମମତାଙ୍କ ସାବତ ଝିଅ, ମୋନାଲି ମହାରଣା(୧୭),ଗୋପ କଲେଜର +୩ ଛାତ୍ରୀଙ୍କୁ ବିଳମ୍ବିତ ରାତିରେ ପିଟିପିଟି ମାରିଦେଇ ପ୍ରମାଣ ନଷ୍ଟ କରିବା ନିମନ୍ତେ ରାତାରାତି ଗ୍ରାମ୍ୟ ଶ୍ମଶାନରେ ପୋଡିଦେଇଥିଲେ ଏବଂ ପାଉଁଶ ସବୁ ସଫା କରି ଦେଇଥିଲେ । ଘଟଣା- ପରେ କୋଲକାତାରେ ଚାକିରୀ କରୁଥିବା ଦୁର୍ଗାଙ୍କ ବଡ଼ଝିଅ ରଞ୍ଜିତା ଖବରପାଇ ଆସି ସାନଭଉଣୀଙ୍କୁ ଖୋଜିବା ପରେ ଗୋପଥାନାରେ ଏଫ୍ଆଇଆର ଦେଇଥିଲେ । ଏଫଆଇ- ଆର ଆଧାରରେ ଗୋପ ପୋଲିସ ଦୁର୍ଗାଚରଣ, ମମତା, ଶଶୀ ଓ ପୋଡିବାରେ ସାହାଯ୍ୟ କରିଥିବା ୩ ଜଣ ପଡୋଶୀ ସୁଶାନ୍ତ ମହାରଣା, ନକୁଳ ମହାରଣା ଓ ଶିବ ମହାରଣା ୬ ଜଣଙ୍କୁ ଗିରଫ କରିଛି, ଜୀବନ ଓଝା ଫେରାର ଅଛନ୍ତି । ଗୁରୁତ୍ୱଦୃଷ୍ଟିରୁ ଏହି ମାମଲାକୁ “ରେଡଫ୍ଲାଗ” ପର୍ଯାୟଭୁକ୍ତ କରାଯାଇଛି । ବିଜିପୁର ଶ୍ମଶାନରୁ ପୋଲିସ ମୋନାଲିଙ୍କର ହାଡ଼ ଓ ପାଉଁଶ ସଂଗ୍ରହକରି ଦୁର୍ଗାଚରଣଙ୍କ ଡିନଏ ଟେଷ୍ଟ ପାଇଁ ପଠାଇଛି । ରଞ୍ଜିତାଙ୍କ କହିବା କଥା, ୨୦୧୮ରେ ତାଙ୍କ ମା’ଙ୍କ ମୃତ୍ୟୁପରେ ୨୦୨୦ରେ ଦୁର୍ଗାଚରଣ ୨ୟ ବିବାହ କରନ୍ତି ମମତାଙ୍କୁ, ସେବେଠାରୁ ମୋନାଲିଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଗଲା, ପାଠ ନପଢି ଘର କାମ କରିବାକୁ ବାଧ୍ୟ କରାଯାଉଥିଲା, ଯେତେବେଳେ ମୋନାଲିଙ୍କ ସମସ୍ତ ପଢାଖର୍ଚ୍ଚ ରଞ୍ଜିତା ଯୋଗାଇ ଦେଉଥିଲେ । ଏ କ୍ଷେତ୍ରରେ ତଦନ୍ତ ଦାୟିତ୍ୱ ଦିଆଯାଇଛି IUCAW-Investigative Unit for Crime Against Women-ମହିଳା ବିରୋଧି ହିଂସା ଅନୁସନ୍ଧାନ ଦଳର ଡିଏସପି ମାନବ୍ରତ ଶତପଥିଙ୍କୁ, ପୋଲିସ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ପ୍ରମାଣ ଯୋଗାଡ଼ରେ ଲାଗିଛି । ଘଟଣାରେ ବିଚିତ୍ରତା ଏହାଯେ ଜନ୍ମ କଲା ବାପା ତ ନୃଶଂସ ହୋଇ ନିଜ ଝିଅକୁ ପିଟିପିଟି ମାରିବାକୁ ପଛଘୁଞ୍ଚା ଦେଲା ନାହିଁ, ଜେଜୀ ମା’ ଯାହାଙ୍କୁ ପିଲାଏ ବେଶୀ ଭଲପାଆନ୍ତି ସେ ମଧ୍ୟ ସ୍ନେହର ନାତୁଣୀକୁ ମାରିବାରେ ସହଯୋଗ କଲା, କାହାକୁ ଆଉ ବିଶ୍ବାସ କରିବା ! ୨ୟ ଅଭାବନୀୟ ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲା ୱପଦା ବ୍ଲକ ରାଏରାମଚନ୍ଦ୍ରପୁର ପଜ୍ଞାଯତ ଟିପୁରା ଗ୍ରାମରେ । ଗ୍ରାମର ୫୨ ବର୍ଷିୟ ଗଣେଶ ପାତ୍ର ଜଣେ ମାନସିକ ଦିବ୍ୟାଙ୍ଗ, ପତ୍ନୀ ଏବଂ ପୁତ୍ରଙ୍କ ସହିତ ବିଭିନ୍ନ ସମୟରେ ତାଙ୍କର ଗଣ୍ଡଗୋଳ ହୁଏ । ଜାନୁଆରୀ ୮ ତାରିଖ ରାତିରେ ପୁଅ ଦୀପକ(୨୧) ଶୋଇଥିବାଵେଳେ ଗଣେଶ ଦୀପକଙ୍କ ବିଛଣାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ, ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ ପଡୋଶୀ ମିଶି ଖଇରା ଡାକ୍ତରଖାନାକୁ ନେଇଥିଲେ, ଗୁରୁତର ଦୀପକଙ୍କୁ ସେଠାରୁ ଭଦ୍ରକ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଗଣେଶଙ୍କୁ ଥାନାରେ ଅଟକ ରଖିଛି, ମାନସିକ ବିକଳାଙ୍ଗ ହେଲେ ମଧ୍ୟ ପୁଅକୁ ନିଆଁ ଲଗାଇବାକୁ ହାତ ଗଲା କେମିତି ? ଯେତେ ଗଣ୍ଡଗୋଳ ହେଲେ ମଧ୍ୟ, ଅବଶ୍ୟ ମାନସିକ ଦିବ୍ୟାଙ୍ଗ ପଟା ଅଛି ! ୩ୟ ଘଟଣାଟି ମଧ୍ୟ ସେଇ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ସିଂଳା ଥାନା ସାର୍ଥା ଗ୍ରାମର, ଗର୍ଭଧାରିଣୀ ମା’କୁ ଶାବଳରେ ପିଟି ମାରିଦେଲା ମଦ୍ୟପ ପୁତ୍ର, ଘଟଣାଟି ଏହିପରି, ଅଯୋଧ୍ୟା ମଣ୍ଡଳଙ୍କ ବିଧବା ପତ୍ନୀ ସାବିତ୍ରୀ ମଣ୍ଡଳ(୭୫)ବାର୍ଦ୍ଧକ୍ୟ ଭତ୍ତା ଓ ଭିକ୍ଷାଵୃତ୍ତିରୁ ନିଜର ପ୍ରତିପୋଷଣ କରନ୍ତି । ୩ପୁଅ ଥିଲେ ମଧ୍ୟ କେହି ପଚାରନ୍ତି ନାହିଁ, ମାତ୍ର ବଡ ମଦୁଆ ପୁଅ ଅଜୟ ସବୁବେଳେ ମାରଧର କରି ଭତ୍ତା ଟଙ୍କା ନେଉଥିଲେ ପିଇବାକୁ, ସେଇ ଜାନୁଆରୀ ୮ତାରିଖରେ ମାତାଲ୍ ଅବସ୍ଥାରେ ଅଜୟ ବୁଢୀଙ୍କୁ ଟଙ୍କା ମାଗିଲା, ନଦେବାରୁ ଏକଶାବଳରେ ମୁଣ୍ଡକୁ ପିଟିଦେଲା, ବୁଢୀଙ୍କର ଚିତ୍କାରରେ ସାନବୋହୁ ସଞ୍ଜୁ ଚାଲିଆସିବାରୁ ଅଜୟ ଚମ୍ପଟ ମାରିଲା ଘଟଣାସ୍ଥଳରେ ବୁଢୀଙ୍କର ପ୍ରାଣ ଚାଲିଗଲା । ଦେଖିଥିବା ସାନବୋହୁ ସଞ୍ଜୁରାଣୀ ମଣ୍ଡଳଙ୍କ ଅଭିଯୋଗ ଆଧାରରେ ସାର୍ଥା ପୋଲିସ ଏକ କେସ୍ ରୁଜୁକରି ଅନୁସନ୍ଧାନ ଚଳାଇଛି ସାଇଣ୍ଟିଫିକ୍ ଟିମ୍ ସହାୟତାରେ । ଅଜୟ ମଣ୍ଡଳ ଫେରାର ଅଛି, ଯାହାହେଉ ପୁତ୍ରର କର୍ତ୍ତବ୍ୟ କରିଦେଇଛି, ମା’ ଋଣ ସୁଝି ଦେଇଛି, ଓଲଟା ହେଉପଛେ । ଏସବୁ ଜାଣିବା ପରେ ମଣିଷପଣିଆ ଜୀବିତ ଅଛି ବୋଲି ମନରେ ସନ୍ଦେହ ଆସେ । ଆମ ଧର୍ମର, ସଂସ୍କୃତିର “ମହାଉପନିଷଦ”ରେ ଲେଖା ଅଛି, “ବସୁଧୈବ କୁଟୁମ୍ବକମ୍” ଯାହା ସଂସଦର ପ୍ରଵେଶ ପଥରେ ଲେଖାଯାଇଛି ତା’ର ଉତ୍କର୍ଷ ତା’ର ଗାରିମା ହେତୁ, ଏହାର ଅର୍ଥ ହେଲା ସାରା ବହୁଧା ଅର୍ଥାତ୍ ବିଶ୍ବ ଗୋଟିଏ କୁଟୁମ୍ବ ବା ପରିବାର ।ଅଧୁନା ଆମେ ଗୋଟିଏ ପରିବାରକୁ ଭାଙ୍ଗି ପାଞ୍ଚଟା କରିଦେଉଛେ,ସାରା ପୃଥିବୀକୁ କୁଟୁମ୍ବ କରିବା କିପରି ତେଣେ ୨୦୨୩ରେ ଭାରତ ଅଧ୍ୟକ୍ଷତା କରିବାକୁଥିବା ଜି-୨୦ ସମ୍ମିଳନୀ ନିମନ୍ତେ ଆମ ପ୍ରଧାନମନ୍ତ୍ରୀ ମୋଦୀ ବାର୍ତ୍ତା ଦେଇଛନ୍ତି, ବସୁଧୈବ କୁଟୁମ୍ବକମ୍ ସହିତ”ଏକ ବିଶ୍ବ, ଏକ ପରିବାର, ଏକ ଭବିଷ୍ୟତ।” ଏଗୁଡାସଵୁ ହେବ କେବେ ? ପ୍ରକୃତରେ ଆଜିକାର ଡିଜିଟାଲ ଯୁଗରେ ଏସବୁ ସାଧାରଣ, ମାତ୍ର ବାସ୍ତବରେ ଆମେ ଓଲଟା ଦିଗରେ ଯାଉଛେ, ଏହା ସବୁ ଆଉ ଏକ ବିବର୍ତ୍ତନ ନୁହେଁ ତ ?
ଜୟନ୍ତ ପଟ୍ଟନାୟକ
୯୦୯୦୧ ୯୦୦୬୯