ମାନବିକ ମୂଲ୍ୟବୋଧ/ଜ୍ଞାନ…

ନିର୍ଭିକ, ନିରାଶ୍ରିତ, ସ୍ୱୟଂସିଦ୍ଧତା ମାନବିକ ଜ୍ଞାନର ଶୀର୍ଷ କ୍ଷେତ୍ର । ମଣିଷର ସାମଜିକ ନିୟାମକ ଗୁଡିକ କେବଳ ମାନବିକ ଚରିତ୍ର ଉପରେ ଆଧାରିତ । ମାନବିକ ମୂଲ୍ୟବୋଧତା ତଥା ଜ୍ଞାନ ରହିତ ମଣିଷ ମାନଙ୍କ ପାଇଁ ନିର୍ଦ୍ଧାରିତ ନିୟମ ଗୁଡିଏ ସାମାଜିକ କ୍ଷେତ୍ରରେ ଲିପିବଦ୍ଧ କରାଯାଇ ସାମାଜିକ ପରିଚାଳନା ବ୍ୟବସ୍ଥା କରାଯାଇ ଥାଏ । ସଭ୍ୟ ସମାଜର ପ୍ରତ୍ୟେକ ମଣିଷ ଯଦି ଉପଯୁକ୍ତ ମାନବୀୟ ଚେତନାରେ ଅଭିଷିକ୍ତ ହୁଅନ୍ତେ ତାହେଲେ କୌଣସି ଆଇନ, କାନୁନର ଆବଶ୍ୟକତା ରହିବ ନାହିଁ । ସମସ୍ତେ ନିଜେ ନିଜେ ସାତର୍କିତ ମାନବୀୟ ଭାବଧାରା ପ୍ରବାହ ପୂର୍ବକ ଏକ ସମୁଚିତ ସଭ୍ୟ ସମାଜ ଗଠନ କରିବା ସମ୍ଭବ ହୋଇ ପାରିଥା’ନ୍ତା । କି’ନ୍ତୁ ଯେହେତୁ ସବୁ ବର୍ଗର ମଣିଷ ଗୁଡିକ ମାନବୀୟ ଚେତନାର ଜ୍ଞାନ ପାଇ ପାରୁ ନାହାନ୍ତି ତଥା ମାନବୀୟ ଜ୍ଞାନ କ’ଣ ଜାଣନ୍ତି ନାହିଁ ତେଣୁ ସମାଜରେ ବିଭିନ୍ନ ଆଇନ, କାନୁନ ମାଧ୍ୟମରେ ସେମାନଙ୍କ ଗତି ବିଧିକୁ ପରିଚାଳିତ କରାଇବା ବ୍ୟବସ୍ଥା ରହିଛି । ମାନବୀୟ ଚିନ୍ତାଧାରା, ଜ୍ଞାନ ଶିକ୍ଷା ଦେଇ ସମସ୍ତ ମଣିଷଙ୍କୁ ସମାନ୍ତରାଳ କରିବା ଲକ୍ଷ ରହିଥାଏ ଏକ ସଭ୍ୟ ସମାଜର । ଇତି ମଧ୍ୟରେ ବ୍ୟବସ୍ଥା ସହିତ ଅନେକ ସ୍ୱେଚ୍ଛାସେବୀ ମଧ୍ୟ ବ୍ୟକ୍ତିଗତ, ସାଙ୍ଗଠନିକ ଉପାୟରେ ସମାଜରେ ମାନବିକ ଚେତନା ପ୍ରସାର କରିବା ଲକ୍ଷ ରଖି କାର୍ଯ୍ୟରତ ରହିଥିବା ଆମେ ଜାଣୁ । କି’ନ୍ତୁ ସେମାନଙ୍କ ନିଷ୍କପଟ ସ୍ୱଛଳତା ସମ୍ପର୍କରେ କୌଣସି ନିଶ୍ଚିତତା ନଥିବା ବେଳେ ଅନେକ କ୍ଷେତ୍ରରେ ସେମାନେ ସ୍ୱାର୍ଥ ଜଡିତ କାର୍ଯ୍ୟ କରୁଥିବା ମଧ୍ୟ ଅଛପା ନାହିଁ କାହାକୁ । ଧର୍ମ ଗୁରୁ, ପଥ ପ୍ରଦର୍ଶକ ଭଳି ଅଭିନୟ କରୁଥିବା ଅନେକ କେଳେଙ୍କାରୀ ମଣିଷଙ୍କ ପ୍ରକୃତ ଭାବ ପଦାରେ ପଡି ଆଇନ ସମ୍ମତ ଦଣ୍ଡ ବିଧାନର ଉଦାହରଣ ଦେଖିବାକୁ ମିଳିଛି ନିକଟ ଅତୀତରେ । ଅର୍ଥାତ ସାଧାରଣ ର୍ନିେବାଧଙ୍କୁ ବିଭିନ୍ନ ଉପାୟରେ ଅଲୌକିକ କ୍ରିୟା ମାଧ୍ୟମରେ ପ୍ରତାରିତ କରୁଥିବା ମଣିଷ ଗୁଡିଏ ମଧ୍ୟ ଦେଖିବାକୁ ମିଳନ୍ତି ଆମ ସମାଜରେ ଯାହାଙ୍କୁ ଲୋକେ ଅନ୍ଧ ଭଳି ସମାଜ ସଂସ୍କାରକ ଭାବେ ବିବେଚନା କରିଥା’ନ୍ତି ଅଥବା ସେମାନଙ୍କ ଠାରୁ ମାନବୀୟ ବିଚାରଧାରା ଶିକ୍ଷା କରିବା ଲକ୍ଷ ରଖିଥା’ନ୍ତି । ତେଣୁ ଅନେକ କ୍ଷେତ୍ରରେ ସଂଖ୍ୟା ଗରିଷ୍ଠ ମଣିଷ ମାନବୀୟ ଚେତନାର ମୂଲ୍ୟବୋଧତା ତଥା ଜ୍ଞାନ ଆହରଣ କରିବାରୁ ବଂଚିତ ରହି ଅମାନବୀୟ ଜୀବନ ଯାପନ କରୁଥିବା ଦେଖିବାକୁ ମିଳୁଛି ବିଶ୍ୱ ବ୍ୟାପି । ମାନବୀୟ ମୂଲ୍ୟବୋଧ କରି ସେହି ଚେତନା ଜ୍ଞାନକୁ ଆହରଣ କରିବା ଅତ୍ୟନ୍ତ ଜଟିଳ ବିଷୟ ଯାହା ଆମଦେଶ ପୂର୍ବଜଙ୍କ ଦ୍ୱାରା କେତେକ ମାତ୍ରାରେ ଉନ୍ନୀତ କରାଯାଇ ଥିଲା । କି’ନ୍ତୁ ପ୍ରଥମେ ମୋଗଲ ଏବଂ ତା’ପରେ ଇଂରେଜ ମାନଙ୍କ ଆଗମନ ପରବର୍ତ୍ତୀ ଅଦ୍ୟାବଧି ଆଉ ଭାରତୀୟ ଭାବଧାରା ସମ୍ପନ୍ନ ମାନବୀୟ ଚେତନା ଜ୍ଞାନ କାହା ପାଖରେ ଦେଖିବାକୁ ମିଳୁନାହିଁ । କାରଣ ଇଂରେଜ ମାନେ ଆମକୁ ଯେଉଁ ପାଶ୍ଚାତ୍ୟ ନୀତି, ନିୟମ, ଆଇନ, କାନୁନ ଇତ୍ୟାଦି ଶିକ୍ଷା ଦେଲେ ଏବଂ ପରବର୍ତ୍ତୀ ସମୟରେ ସେହି ନୀତି ଗୁଡିକୁ ଆଦରି ନେଇ ଗଠିତ ହେଲା ଭାରତୀୟ ସମ୍ବିଧାନ ସେଇଥିରେ ଆଉ ଭାରତୀୟ ଚେତନା ପରିବର୍ତ୍ତେ କେବଳ ହିଂସାତ୍ମକ ଭାବ ହିଁ ଦେଖିବାକୁ ମିଳିଲା । ସମସ୍ତେ ସମସ୍ତଙ୍କ ପ୍ରତି ଦ୍ୱେଷ, କ୍ରୋଧ, ତଥା ପରଶ୍ରୀ କାତର ମନୋଭାବ ପୋଷଣ କରି କେବଳ ନିଜକୁ ଶୀର୍ଷ ସ୍ଥାନିତ କରିବାରେ ବ୍ୟସ୍ତ ଯାହା ଅତ୍ୟନ୍ତ ଅମାନବୀୟ ଚରିତ୍ର । ସଂସ୍କାର ଆଉ ନାହିଁ ! ଭାଇଚାରା କହିଲେ ହାସ୍ୟାସ୍ପଦ ଲାଗୁଛି ! ବ୍ୟକ୍ତିକୈନ୍ଦ୍ରିକ ସ୍ୱାର୍ଥନ୍ୱେଷୀ, ମିଥ୍ୟାବାଦୀ, ମିଥ୍ୟାଚାରୀ ଏକ ଦୁର୍ବଳ ମାନବ ସମାଜରେ ବଂଚିବାକୁ ପଡୁଛି ଆମକୁ । ଏମିତିକି ସବୁ ମଣିଷ ଗୁଡିକ ସେହି ଅନୈତିକ କାର୍ଯ୍ୟ କରିବାରେ ନିଗୁଢ଼ ନିପୁଣ ରହିଛନ୍ତି ଯେ ସେହି ଅନୀତି ଗୁଡିକ ନୀତିରେ ପରିବର୍ତ୍ତିତ ଆଜିର ଏହି ଅମାନବୀୟ ସମାଜର ସଜ୍ଞା ମିଳୁନାହିଁ ଆମକୁ । ଏମିତି ଅମାନବୀୟ ଚରିତ୍ର ପ୍ରବାହ ପୂର୍ବକ ବଂଚିବା ଏକ ପଶୁ ସାମ୍ରାଜ୍ୟ ହୋଇପାରେ କି’ନ୍ତୁ ଏହାକୁ ଏକ ସଭ୍ୟ ମଣିଷସମାଜର ଆଖ୍ୟା ଦିଆ ଯାଇ ପାରିବ ନାହିଁ । ତଥାପି ଆମର ଅହଂଭାବାପନ୍ନ ବିଚାରଧାରା ହେତୁ ନିଜକୁ ସତେ ଯେମିତି ପରି ରାଇଜର ଅବତରିତ ଚେହେରା ଭଳି ପ୍ରଦର୍ଶିତ ନିଜର ଚେହେରାର କୌଣସି ସତ୍ୟତା ନାହିଁ ।ମାନବୀୟ ଚେତନାର ମୂଲ୍ୟବୋଧ କରିବା ମଣିଷଙ୍କ ସଂଖ୍ୟା ଅତି ନଗଣ୍ୟ । ମାନବିକ ଚେତନା ଜ୍ଞାନ ଆହରଣ କରିବା ଜିଜ୍ଞାସା ରଖିଥିବା ମଣିଷଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ । ଯେଉଁମାନେ ମାନବିକ ଚେତନରେ ଅଭିଷିକ୍ତ ହୋଇ ନିଜ ଜୀବନକୁ ଏକ ଭିନ୍ନ ବାଟରେ ପରିଚାଳିତ କରିବା ପାଇଁ ପ୍ରୟାଶରତ ବା କରୁଛନ୍ତି ସେମାନେ କେବଳ ଏହି ଅସଭ୍ୟ ସମାଜ ଠାରୁ ନିଜକୁ ମାନସିକ ସ୍ତରରେ ଦୁରେଇ ରଖି ବଂଚିବା ଛଡା ଅନ୍ୟ ଉପାୟ ନାହିଁ । ସାଧାରଣ ନିର୍ବୋଧଙ୍କ ସମେତ ବ୍ୟବସ୍ଥାର କୌଣସି ନିଦର୍ଶନ ନାହିଁ ସମାଜରେ ମାନବିକ ଚେତନା ଜ୍ଞାନ ବିତରଣ କରିବା, ଶିକ୍ଷା ଲାଭ କରିବା ପାଇଁ । ପ୍ରାତଃରୁ ରାତ୍ରି ପର୍ଯ୍ୟନ୍ତ ସମସ୍ତ ମଣିଷ କେବଳ ଅନୈତିକ ବିଚାର ରଖି ଜୀବନ ବଂଚୁଥିବା ଏବଂ କାହା ପ୍ରତି ଷଡଯନ୍ତ୍ର ଭାବ ରଖି କେବଳ ନିଜସ୍ୱ ସ୍ୱାର୍ଥାନ୍ଧ ଭଳି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି ସର୍ବତ୍ର । ଏହା କେବଳ ଉଚ୍ଚ ସ୍ତରରୁ ଆରମ୍ଭ ହୋଇ ସମାଜର ନିମ୍ନ ସ୍ତରରେ ରହିଥିବା ଅଜ୍ଞାନ ନିର୍ବୋଧଙ୍କୁ ଏମିତି ପ୍ରଭାବିତ କରୁଅଛି ଯେ ସମସ୍ତେ ସେହି ପଥର ପଥିକ ଭଳି ଜୀବନ ବିତାଉଛନ୍ତି । ମାନବିକ ଚେତନା ଜ୍ଞାନର ମୂଲ୍ୟବୋଧତା ଉପରେ କାହାର ଆଗ୍ରହ ନାହିଁ । ମନବିକ ବିଚାରଧାରା ସୃଷ୍ଟି କରାଯିବା ଲକ୍ଷ କାହାର ନାହିଁ । ତେଣୁ ଧୀରେ ଧୀରେ ଆମ ସମାଜ ଅତ୍ୟନ୍ତ ନିମ୍ନଗାମୀ ହେଉଥିଲେ ମଧ୍ୟ କ୍ରୁର ଚକ୍ରାନ୍ତକାରୀ ଅମାନବୀୟ ମଣିଷ ଗୁଡିକ ବିଭିନ୍ନ ମିଥ୍ୟା, ଅପ୍ରାକୃତିକ ଶୈଳୀରେ ସାଧାରଣ ମଣିଷକୁ ଭୁଆଁ ବୁଲାଇ ସାମାଜିକ ଉନ୍ନତିର ପଥ ପ୍ରଦର୍ଶକ ଭଳି ଅଭିନୟ କରୁଥିବା ଏବଂ ନିର୍ବୋଧ ସେଗୁଡିକୁ ଆନନ୍ଦରେ ଗ୍ରହଣ କରୁଥିବା ଅତ୍ୟନ୍ତ ଦୁଖଦଃ ପରିସ୍ଥିତି ଦେଖିବାକୁ ମିଳୁଛି ଦେଶ ବ୍ୟାପି । ମାନବୀୟ ଚିଂତନରେ ପ୍ରେମ, ସଦ୍ଭାବ, ପରୋପକାର, ନିସ୍ୱାର୍ଥ ସହଯୋଗ, ସାମାଜିକ ଉତ୍ତରୋତ୍ତର ଉନ୍ନତି ଦିଗରେ ନିଜକୁ ବ୍ରତୀ କରିବା ସହିତ ସମସ୍ତଙ୍କ ପ୍ରତି ସମାନ ସମ୍ମାନ ପ୍ରଦର୍ଶନ କରିବା ଜଡିତ ରହିଥାଏ । ନିଜକୁ ସନ୍ତୁଳିତ କରି ରଖି ଅନ୍ୟର କ୍ଷତି କରିବା ପାଇଁ କୌଣସି ଦିଗରେ ମନ ବଳେ ନାହିଁ । କାହାପ୍ରତି ନିଜର ସହାୟତା ଭାବ ଜାଗ୍ରତ କରି ପରୋପକାରରେ ନିଜକୁ ବ୍ରତୀ କଲେ ଯେଉଁ ଆତ୍ମ ସନ୍ତୋଷ ପ୍ରାପ୍ତ ହୁଏ ତାହାର କଳନା ନାହିଁ । ଏହିଭଳି ଅସଂଖ୍ୟ ଚରିତ୍ର ପ୍ରବାହ ପୂର୍ବକ ପାରିବାରିକ, ସାମାଜିକ ତଥା ରାଷ୍ଟ୍ର ହିତରେ ନିଜକୁ ନିୟୋଜିତ କରି ଏକ ଆନନ୍ଦମୟ ଜୀବନକୁ ମାନବୀୟ ଚେତନା ଜଡିତ ମଣିଷ ବୋଲି କୁହାଯାଏ । କି’ନ୍ତୁ ଏସବୁର ବିପରୀତେ କାର୍ଯ୍ୟକ୍ଷମ ମଣିଷ ଗୁଡିକ ନିଶ୍ଚିତ ଅମାନବୀୟତାର ଚରମ ଶୀର୍ଷରେ ରହିଥା’ନ୍ତି ଯାହା ଆଜି ସମୟର ଏକ ଗମ୍ଭୀର ବିଷୟ ଦେଖିବାକୁ ମିଳୁଛି ଆମ ଦେଶରେ । ସମସ୍ତେ ବାହ୍ୟାରେ ପ୍ରକାଶ ନକଲେ ମଧ୍ୟ ନିଜକୁ ନିଜେ ପଚାରି ଦେଖନ୍ତୁ ସେମାନଙ୍କ ବ୍ୟକ୍ତିଗତ ବିଚାରଧାରା କ’ଣ ? ନିଶ୍ଚିତ କିଛିନା କିଛି ଅମାନବୀୟ ଚେତନାର ଉତ୍ତର ମିଳିବ ସେମାନଙ୍କ ପାଖରେ ଯାହା ସମାଜକୁ ଅତ୍ୟନ୍ତ ଦୁର୍ବଳ କରିବାରେ ସହଯୋଗ କରୁଛି । ଏକ ଦିଗରେ ଅମାନବୀୟ ଚରିତ୍ର ପ୍ରବାହ କରିବାରେ ଲାଭ ପାଉଥିବା ମଣିଷଙ୍କୁ କେହି ଚିହ୍ନି ପାରୁନଥିବା ବେଳେ ସମସ୍ତେ ନିଜକୁ ନିଜେ ତଥା ଅନ୍ୟକୁ ଠକି ଯେଉଁ ସ୍ୱାର୍ଥ ହାସଲ କରିଥା’ନ୍ତି ସେହି ଫଳ, ମଝିରେ ରହିଥିବା ମାଙ୍କଡ଼ କେମିତି ଖାଇଦିଏ ତାହାର ତର୍ଜମା , ବିଶ୍ଲେଷଣ ଜ୍ଞାନ ନାହିଁ କାହା ପାଖରେ । ଆଜିର ଉନ୍ନତ ମଣିଷ ସମାଜରେ ଏହି ଅମାନବୀୟ ଚେତନା ଜ୍ଞାନ ପ୍ରସାର କରିବାରେ ସିଦ୍ଧହସ୍ତ କେଳେଙ୍କାରୀ କେଉଁ ମାନେ ଏବଂ ସମସ୍ତଙ୍କୁ ଏହିଭଳି ଅମାନୁଷିକ ଶିକ୍ଷା ଦେଇ ସେମାନେ କେମିତି ସ୍ୱାର୍ଥ ହାସଲ କରିଥା’ନ୍ତି ବୁଝିବା ମଣିଷ ଶୂନ୍ୟ । ତେଣୁ ନିର୍ବୋଧଙ୍କୁ ଠକି ଯଥେଷ୍ଟ ସ୍ୱାର୍ଥ ହାସଲ କରୁଥିବା କେଳେଙ୍କାରୀଙ୍କ ପ୍ରରୋଚନରୁ ଦୁରେଇ ରହି ନିଜକୁ ସନ୍ତର୍ପଣର ସହିତ ମାନବିକ ଚେତନା ଜ୍ଞାନରେ ଅଭିଷିକ୍ତ କରାଇ ପାରିଲେ ମଣିଷ ଜୀବନର ପ୍ରକୃତ ଆନନ୍ଦ ପାଇ ପାରିବ ବୋଲି ଆମର ବିଚାର । ଉପସ୍ଥିତ କେଳେଙ୍କାରୀ ତଥା ମାୟାବୀ ଚେହେରା ଗୁଡିକୁ ବାଜ୍ୟାପ୍ତ କରି ସମାଜରେ ବାସ୍ତବ, ସତ୍ୟବାଦୀଙ୍କୁ ସାମାଜିକ ପରିଚାଳନା ଦାଇତ୍ୱ ଦିଆଯିବା ସହିତ ପାଶ୍ଚାତ୍ୟର ଅମାନବୀୟ ଚରିତ୍ର ତଥା କୁହେଳିକା ଗୁଡିକୁ ସମାଜରୁ ବିଲୁପ୍ତ କରାନଗଲେ ଆମର ଆସନ୍ତା ପିଢ଼ି ମଧ୍ୟ ଏକ ଅମାନବୀୟ ଚରିତ୍ର ଯୁକ୍ତ ପଶୁ ଭଳି ଜୀବନ ଅତିବାହିତ କରିବା ସହିତ ସମୟ ପୂର୍ବରୁ ମଣିଷ ସମାଜର ବିଲୁପ୍ତ କରିବାରେ ଯଥେଷ୍ଟ ସହାୟକ ହେବେ । ତେଣୁ ଜ୍ଞାନୀ ଗଣ ନିଶ୍ଚିନ୍ତ ନରହି ସମାଜରେ ବାସ୍ତବ ମାନବୀୟ ଚେତନା ଜ୍ଞାନ ତଥା ନିର୍ବୋଧଙ୍କୁ ଉପଯୁକ୍ତ ପଥରେ ପରିଚାଳିତ କରିବାର ଉପାୟ ଅବଲମ୍ବନ ପୂର୍ବକ ମଣିଷ ସମାଜର କାର୍ଯ୍ୟ କଲେ ଆଗକୁ ହୁଏତ ଫଳ ଭଲ ହେବା ସମ୍ଭାବନା ରହିବ । ନତୁବା ଭବିଷ୍ୟ ସମୟ ଗୁଡିକ ବିପଜ୍ଜନକ ହେବା ସହିତ ହୁଏତ ମଣିଷ ମଣିଷ ମଧ୍ୟରେ କ୍ଷେତ୍ର ଯୁଦ୍ଧ ହୋଇ ଜୀବନ ବିପନ୍ନ ହେବାରେ ମଣିଷ ସମାଜ ବିଲୁପ୍ତ ହୋଇଯିବ ସେଇଥିରେ ତିଳେ ହେଲେ ଦ୍ୱିଧା ନାହିଁ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭୂତି କ’ଣ …..??

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.